ଭୁବନେଶ୍ବର: ରାଜ୍ୟରେ ହାତୀ ସଂଖ୍ୟା ବଢ଼ିବା ଚିନ୍ତାର କାରଣ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୧୮୦୦ ଜାଗାରେ ୨୩୦୦ରୁ ଅଧିକ ହାତୀ ଅଛନ୍ତି । ଅଧିକ ହାତୀଙ୍କୁ ମ୍ୟାନେଜ ପାଇଁ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା ହେବ ।
ସେହିପରି, ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା ସରିଛି । ଜଙ୍ଗଲ ପରିସୀମା ବଢ଼ାଇବାକୁ ଯୋଜନା କରାଯାଉଛି । ବାଉଁଶ ସହ ହାତୀ ଖାଦ୍ୟ ଜଙ୍ଗଲରେ ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ, ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବା ନେଇ ମଧ୍ୟ ଚିନ୍ତା ପ୍ରକଟ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ବିଭିନ୍ନ ସ୍ଥାନରେ ମୋବାଇଲ ଧରି ହାତୀ ପଛରେ ଗୋଡ଼ାଇବା ଚିତ୍ର ସାମ୍ନାକୁ ଆସୁଛି । ସେ ଲୋକଙ୍କୁ କହିଛନ୍ତି ହାତୀ ପାଖକୁ ଯାଆନ୍ତୁନି । ସେଲ୍ଫି ନିଅନ୍ତୁନି ହାତୀ ସହ । ହାତୀ ଆସିଲେ ମାଇକ୍ ଯୋଗେ ସଚେତନ କରାଯାଉଛି । ଏହା ସହ ନିଜେ ମଧ୍ୟ ସତର୍କ ରହିବା ଅତ୍ୟନ୍ତ ଜରୁରୀ ଅଟେ ।