ନୁଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ । ଆସନ୍ତା କିଛି ଦିନ ମଧ୍ୟରେ ସଂସଦୀୟ ବ୍ୟାପାର କମିଟି(CCPA)ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏହି ବୈଠକର ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ବୈଠକରେ ମୌସୁମୀ ଅଧିବେଶନର ତାରିଖ ଉପରେ ସବିଶେଷ ଆଲୋଚନା କରାଯିବ ।
ସୂଚନା ମୁତାବକ, ସଂସଦର ମୌସୁମୀ ଅଧିବେଶନ ପ୍ରତିବର୍ଷ ଜୁଲାଇ ମାସରେ ହିଁ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଏହା ଜୁଲାଇ ୧୭ ତାରିଖରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ୨୦୨୨ରେ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ତାରିଖରୁ ଆରମ୍ଭ ହୋଇଥିଲା ।
ଏଥର ସଂସଦର ମୌସୁମୀ ଅଧିବେଶନରେ ବହୁ ହଟ୍ଟଗୋଳ ଦେଖା ଦେଇପାରେ । ଦିଲ୍ଲୀରେ ନିଯୁକ୍ତି ଓ ବଦଳି ପ୍ରସଙ୍ଗରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ କ୍ଷମତା ପ୍ରଦାନ କରୁଥିବା ବିଲକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିପାରନ୍ତି ବିରୋଧି ଦଳ । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ବିରୋଧୀ ଦଳମାନଙ୍କୁ ଭେଟି ସାରା ଦେଶରେ ବୁଲୁଛନ୍ତି ଏବଂ ଏହି ପ୍ରସଙ୍ଗରେ ସେମାନଙ୍କ ସମର୍ଥନ ଲୋଡିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ସମାନ ନାଗରିକ ସଂହିତା ଉପରେ ସଦ୍ୟ ଦେଇଥିବା ବୟାନକୁ ନେଇ ସଂସଦରେ ବିରୋଧୀମାନେ ହଟ୍ଟଗୋଳ କରିପାରନ୍ତି ।
Comments are closed.