Latest Odisha News

BREAKING NEWS

ମହାରାଷ୍ଟ୍ରର ମଦରଟେରିସା, ନିଜ ପୁରା ଜୀବନ ଅନାଥ ପିଲାଙ୍କ ପାଇଁ ସମର୍ପି ଦେଇଛନ୍ତି ସିନ୍ଧୁତାଇ

ପୁନେ: କାନ୍ଦୁଥିବା ପିଲାକୁ ଯିଏ ହସେଇପାରେ, ବେସାହାରା ପିଲାଙ୍କୁ ଯିଏ କୋଳେଇ ନେଇପାରେ, ଭୋକରେ ଡହଳ ବିକଳ ହେଉଥିବା ପିଲା ମୁହଁରେ ଯିଏ ଦି ମୁଠା ଦାନା ଦେଇପାରେ, ୟା ଠୁ ମହାନ କାମ ଆଉ କ’ଣ ହୋଇପାରେ । ଅନ୍ୟର ଦୁଃଖ ଓ କଷ୍ଟକୁ ପ୍ରକୃତରେ ସେଇମାନେ ହିଁ ଚିହ୍ନିପାରନ୍ତି, ଯିଏ ନିଜେ ଖରାପ ସମୟକୁ ପାଖରୁ ଦେଖିଥିବେ । ଯେମିତି କି ମହାରାଷ୍ଟ୍ର ପୁନେର ସିନ୍ଧୁତାଇ ସପକାଲ । ଦିନେ ଦୁଃଖ କଷ୍ଟ ସହିତ ନିଜେ ସଂଗ୍ରାମ କରୁଥିଲେ । ଆଜି ପାଖାପାଖି ୧୫ ଶହରୁ ଅଧିକ ଅନାଥ ପିଲାଙ୍କ ଖୁସି ପାଇଁ କାମ କରୁଛନ୍ତି, ତାଙ୍କ ମାଆ ହୋଇ । 

ସିନ୍ଧୁତାଙ୍କ ପୁରା ଜୀବନ ବିତିଲାଣି ଅନାଥ ପିଲାମାନଙ୍କ ପଛରେ । ଯେଉଁମାନଙ୍କର ନିଜର ବୋଲି କେହି ନାହିଁ । ସେ ଗରିବ, ବେସାହାରା, ଅନାଥ ପିଲାଙ୍କୁ ଆଶ୍ରା ଦେଇଛନ୍ତି ନିଜ କୋଳରେ ନିଜ ହୃଦୟରେ । ମହାରାଷ୍ଟ୍ରର ଏହି ମଦରଟେରିସାଙ୍କ ବୟସ ଆସି ହେଲାଣି ୭୩  ବର୍ଷ । 

ଅନ୍ୟ ମୁହଁରେ ହସ ଦେଇଥିବା ଚର୍ମ ଧୁଡୁ ଧୁଡୁ ଏହି ଶରୀର ଭିତରେ ଲୁଚିଛି କେତେ ଦୁଃଖ ଆଉ ଯନ୍ତ୍ରଣା । ସିନ୍ଧୁତାଇଙ୍କୁ ୨୦ ବର୍ଷ ହୋଇଥିଲା ଯେବେ ତାଙ୍କୁ ସ୍ବାମୀ ଘରୁ ବାହାର କରିଦେଇଥିଲେ । ଗର୍ଭାବସ୍ଥାରେ ତାଙ୍କୁ ଯେଉଁ ରାତିରେ ଘରୁ ବାହାର କରାଗଲା ସେହି ରାତିରେ ସେ ଗୋଟେ ଝିଅକୁ ଜନ୍ମ ଦେଇଥିଲେ । ସ୍ବାମୀ ତ ଆଶ୍ରୟ ଦେଲାନି । ମନରେ ଆଶା ରଖି ନିଜ ବାପ ଘରକୁ ଗଲେ ହେଲେ ସେଠି ବି ତାଙ୍କୁ ନିରାଶ ହେବାକୁ ପଡିଲା । ଆପଣେଇବାକୁ ତାଙ୍କୁ ପରିବାର ଲୋକ ମନା କରିଦେଲେ । ଦାନା ମୁଠେ ତ ଦୂରର କଥା ଆହା ପଦେ କହିବାକୁ ବି ସିନ୍ଧୁତାଇଙ୍କ ପାଖରେ କେହି ନଥିଲେ । ନବଜାତର ପେଟକୁ ଖାଦ୍ୟ ଦେବା ପାଇଁ ଷ୍ଟେସନରେ ଭିକ ମାଗିଥିଲେ ସିନ୍ଧୁତାଇ । 

ସେହି ଦିନ ସେ ବୁଝିଥିଲେ ଅନାଥ, ବେସାହାରା ଓ ଗରିବ ପିଲାଙ୍କ ଅବସ୍ଥା । ସେବେଠାରୁ ନିଜ ଜୀବନ ସମର୍ପି ଦେଇଥିଲେ ଅନାଥ ପିଲାଙ୍କ ପାଇଁ । ସ୍ଥାପନା କଲେ ସନମତି ବାଲ ନିକେତନ । ଏହି ଅନାଥ ପିଲାଙ୍କ ପାଇଁ ଦିନ ରାତି କଷ୍ଟ କରି ଟଙ୍କା ସଞ୍ଚୟ କଲେ । ଧୀରେ ଧୀରେ ଲୋକେ ତାଙ୍କ ଏହି ଭଲ କାମ ବିଷୟରେ ଜାଣିଲେ ଆଉ ସାହାଯ୍ୟ କରିବା ଆରମ୍ଭ କଲେ । ସିନ୍ଧୁତାଇଙ୍କ ଦିନ ଆରମ୍ଭ ହୁଏ ପିଲାଙ୍କ ଦେଖା ଚାହାଁରୁ । ପିଲାଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ପାଠ ପଢିବା ସବୁ ଦାୟିତ୍ବ ନିଅନ୍ତି ସିନ୍ଧୁତାଇ । ଦିନେ ଯାହାର କେହି ନଥିଲେ ଆଜି ତାଙ୍କ ଘରେ ଶହ ଶହ ପିଲା । ସିନ୍ଧୁତାଇଙ୍କୁ ମାଆ ରୂପେ ପାଇବା ଭାଗ୍ୟର କଥା ବୋଲି ଏହି ପିଲାମାନେ ମାନନ୍ତି ।

ସିନ୍ଧୁତାଇ ମାତ୍ର ୪ର୍ଥ ଶ୍ରେଣୀ ପାସ କରିଛନ୍ତି । କିନ୍ତୁ ନିଜ ଆଶ୍ରମରେ ସେ ଯେଉଁ ଅନାଥ ପିଲାଙ୍କୁ ସାହାରା ଦେଇଛନ୍ତି ସେମାନେ ଆଜି ଡକ୍ଟର, ଇଞ୍ଜିନିୟର ହୋଇସାରିଲେଣି । ତାଙ୍କର ଏହି ଅବଦାନ ପାଇଁ ସିନ୍ଧୁତାଇ ୨ ଶହରୁ ଅଧିକ ଆୱାର୍ଡ ପାଇସାରିଲେଣି । ଦେଶର ପ୍ରଥମ ନାଗରିକଙ୍କଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ତାଙ୍କ ତ୍ୟାଗ ଓ ବଳିଦାନର ପ୍ରଶଂସା । 

ସିନ୍ଧୁତାଇଙ୍କ ଜୀବନ କାହାଣୀ ନେଇ ଏକ ମରାଠୀ ଫିଲ୍ମ ବି ତିଆରି ହୋଇଛି । ସିନ୍ଧୁତାଇଙ୍କ ପରେ ତାଙ୍କ ଝିଅ ମମତା ତାଙ୍କ ମାଆଙ୍କ ଲକ୍ଷ୍ୟକୁ ଆଗକୁ ବଢାଉଛନ୍ତି । 

Leave A Reply

Your email address will not be published.