Latest Odisha News

ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ୱାସନ ମଧ୍ୟରେ ସ୍ୱାକ୍ଷର ହେଲା ମିଳିତ ରାଜିନାମା

ଭୁବନେଶ୍ୱର: ଆଜି ମହିଳା ଶିଶୁ ବିକାଶ ବିଭାଗ ଓ ୱାଟରସେଡ୍‌ ସପୋର୍ଟ ସର୍ଭିସେସ୍‌ ଆଣ୍ଡ୍‌ ଆକଫିଭିଟିଜ୍‌ ନେଟୱାର୍କ (ୱାସନ) ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହେଇଛି । ମହିଳା ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ଏହା ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ୱାସାନର ସମସ୍ତ ବରିଷ୍ଠ ଅଧିକାରୀ ଏବଂ ପ୍ରତିନିଧି ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାର ଯୋଗାଯୋଗ ରଣନୀତିକୁ ଆହୁରି ଦୃଢ କରିବା ସହ ତୃଣମୂଳ ସ୍ତରରେ କିଶୋରୀ, ଗର୍ଭବତୀ ମାଆ ଓ ପ୍ରସୂତି ମା’ ମାନଙ୍କର ପୁଷ୍ଟିଭିତ୍ତିକ ସଚେତନତାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ।

ସୂଚନାଯୋଗ୍ୟ, ଓଡ଼ିଶାର କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କର ମଧ୍ୟରେ ପୁଷ୍ଟିହୀନତା ଓ ରକ୍ତହୀନତାର ମୁକାବିଲା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୦୨୩ ମସିହା ସେପ୍ଟେମ୍ବର ରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଆରମ୍ଭ ହୋଇଥିଲା । ଶିଶୁମାନଙ୍କ ଠାରୁ ଆରମ୍ଭ କରି ପ୍ରସୂତି ଏବଂ ସାଧାରଣ ମହିଳାଙ୍କ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଓ ଏକ ସୁସ୍ଥ ଭବିଷ୍ୟତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ । ପୁଷ୍ଟିର ଉନ୍ନତି ଜରିଆରେ ବିକାଶ ଲକ୍ଷ୍ୟ ପୂରଣ କରିପାରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଆରମ୍ଭ କରିଥିଲେ ।

ଏହି ଯୁଗାନ୍ତକାରୀ ଯୋଜନାର ଯୋଗାଯୋଗ ରଣନୀତିକୁ ବିକାଶ କରିବା ସହ ଏହି ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବ ପାଇଁ ପୁଷ୍ଟିଭିତ୍ତିକ କାର୍ଯ୍ୟକ୍ରମରେ ୨୨ ବର୍ଷର ଅଭିଜ୍ଞତା ଥିବା ସ୍ବେଚ୍ଛାସେବୀ ସଂଗଠନ ୱାଟରସେଡ୍‌ ସପୋର୍ଟ ସର୍ଭିସେସ୍‌ ଆଣ୍ଡ୍‌ ଆକଫିଭିଟିଜ୍‌ ନେଟୱାର୍କ (ୱାସନ) ସହଯୋଗ କରିବ ।

ଏହା ବ୍ୟତୀତ ୱାସନର ସହାୟତାରେ ବ୍ରାଣ୍ଡିଂ ତଥା ପ୍ରତୀକ ବିକାଶ ସମେତ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ସାମଗ୍ରୀର ବିକାଶ, ଆଇସିଡିଏସ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ଅଧିବେଶନ, ରାଜ୍ୟସ୍ତରୀୟ କର୍ମଶାଳା, ପରାମର୍ଶ, ଯୋଜନା ଓ ପୁଷ୍ଟିସାଧନକୁ ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ କରାଯିବ ।

Comments are closed.