Latest Odisha News

BREAKING NEWS

ଉଦୟନିଧିଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲା ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ

ଭୁବନେଶ୍ବର: ସାରା ଦେଶର ଜନ ମାନସରେ ଘୃଣା ସୃଷ୍ଟିକାରୀ ବୟାନ ଦେଇ ସନାତନ ଧର୍ମକୁ ଅପମାନିତ କରିଥିବା ଉଦୟାନିଧିଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲା ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ । ଏହାସହ ସନାତନ ଧର୍ମ ଉଚ୍ଛେଦ ସମ୍ମିଳନୀ ଆୟୋଜନ କରିଥିବା ସଙ୍ଗଠନକୁ ମଧ୍ୟ ଦୃଢ଼ ନିନ୍ଦା କରିଛି ହିନ୍ଦୁ ସନାତନୀ ସଙ୍ଗଠନ । ଆଜି ପବିତ୍ର ଜନ୍ମାଷ୍ଟମୀରେ ଜନସାଧାରଣଙ୍କ ସାମାଜିକ ଉତ୍ସବକୁ କୌଣସି ପ୍ରତିବନ୍ଧକ ନପହଞ୍ଚାଇ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛି ସଙ୍ଗଠନ ।

କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ଜନଜାଗରଣ ମହାସଂଘ ସହପ୍ରତିଷ୍ଠାତା ଶ୍ରୀଯୁକ୍ତ କୃତିବାସ ରଥ ସନାତନ ବିରୋଧୀମାନଙ୍କୁ ଦେଶ ବିରୋଧୀ ବୋଲି ଅଭିଯୋଗ କରି ସେମାନଙ୍କ ପୃଷ୍ଠଭୂମି ଯାଞ୍ଚ କରିବା ସହ ସରକାର ଏ ପ୍ରସଙ୍ଗକୁ ଗମ୍ଭୀର ଭାବରେ ଦାୟିତ୍ୱ ନିଅନ୍ତୁ ବୋଲି କହିଥିଲେ । ସର୍ବତ୍ର ଭାରତରେ ସନାତନ ସଂସ୍କୃତି ବିଦ୍ୟମାନ ଥିଲା ବେଳେ ଏହାର ଉଚ୍ଛେଦ ପାଇଁ ସମ୍ମିଳନୀ ଆୟୋଜନ କରିଥିବା ସଙ୍ଗଠନ ନିଶ୍ଚିତ ଭାବରେ ଦେଶ ବିରୋଧୀ ବିଦେଶୀ ଶକ୍ତି ସହିତ ସମ୍ପର୍କିତ ବୋଲି ଅଭିଯୋଗ କରିଛନ୍ତି ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ରାଜ୍ୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦୀନବନ୍ଧୁ ଷଡ଼ଙ୍ଗୀ ।

ବସୁନ୍ଧରା ପରିବାର ପକ୍ଷରୁ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର ସମସ୍ତ ହିନ୍ଦୁ ସଙ୍ଗଠନମାନଙ୍କୁ ଏକ ହେବା ପାଇଁ ଆହ୍ଵାନ ଦେଇଥିଲେ। ଭାରତ ରକ୍ଷା ମଞ୍ଚ ମହିଳା ପ୍ରକୋଷ୍ଠ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମଜା ଦେବତା ଏକତ୍ରିତ ହିନ୍ଦୁ ସଙ୍ଗଠନ ପ୍ରତିନିଧିମାନଙ୍କୁ ପରସ୍ପର ମଧ୍ୟରେ ଏକତା ରଖି ଏହି ଆସୁରୀ ଶକ୍ତିମାନଙ୍କୁ ପ୍ରତିହତ କରିବା ପାଇଁ ଆହ୍ଵାନ ଦେଇଥିଲେ । ଆଜି ପବିତ୍ର ଜନ୍ମାଷ୍ଟମୀ ତିଥିରେ ୧୫ ବର୍ଷ ତଳେ ମିଶନାରୀ ମାନେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା କରିଥିଲେ । ଆଜି ସେହି ମିଶନାରୀମାନେ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରି ପୁଣି ହିନ୍ଦୁ ସମାଜର ଶାନ୍ତି ଭଙ୍ଗ କରୁଛନ୍ତି ବୋଲି ଶ୍ରୀଯୁକ୍ତ ଉଜ୍ଜଳ ପଣ୍ଡା ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ ଯେ,ଡିଏମକେ ଯୁବ ଶାଖା ସମ୍ପାଦକ ତଥା ତାମିଲନାଡୁ ଯୁବ କଲ୍ୟାଣ ମନ୍ତ୍ରୀ ଥିବା ଉଦୟନିଧି ଶନିବାର ଏକ ବୈଠକରେ କହିଥିଲେ ଯେ ସନାତନ ସମାନତା ଓ ସାମାଜିକ ନ୍ୟାୟ ବିରୋଧୀ। ଏହାକୁ ସେ କରୋନା ଭାଇରସ୍, ମ୍ୟାଲେରିଆ, ଡେଙ୍ଗୁ ଏବଂ ମଶାଙ୍କ ସହ ତୁଳନା କରିଥିଲେ। ତାଙ୍କର ଏହି ମନ୍ତବ୍ୟକୁ ନେଇ ସାରା ଦେଶରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସନାତନ ଧର୍ମର ମୂଳୋତ୍ପାଟନ ହେବାର ଆବଶ୍ୟକ ରହିଛି ବୋଲି ଉଦୟାନିଧିଙ୍କ ଆହ୍ୱାନ ପରେ ସାରା ଦେଶର ଜନ ମାନସରେ ଘୃଣା ସୃଷ୍ଟିକାରୀ ବୟାନ ଦେଇ ସନାତନ ଧର୍ମକୁ ଅପମାନିତ କରିଥିବା ଉଦୟାନିଧିଙ୍କ ଗିରଫ ଦାବିରେ ବିଦ୍ରୋହ କରିଛି ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ।

 

Leave A Reply

Your email address will not be published.