Latest Odisha News

BREAKING NEWS

ଶରତଙ୍କ ପିସିସି ନେତୃତ୍ୱକୁ ୧୦ ମାସ, ଯୋଡି ହେଉନି ହାତ !

ଭୁବନେଶ୍ୱର: କଂଗ୍ରେସରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଶରତ ପଟ୍ଟନାୟକଙ୍କ ନୂଆ କମିଟି ଘୋଷଣା ହେବା ବଦଳରେ ତାରିଖ ଗଡି ଗଡି ଚାଲିଛି। ଦାୟିତ୍ୱ ନେବାର ଦଶ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏ ଯାଏ ଶରତଙ୍କ ନୂଆ କମିଟି ଘୋଷଣା ହୋଇପାରୁନି।

ନୂଆ ପିସିସି କମିଟି ତାଲିକା ଦିଆଯିବା କାମ ସରିଥିବା ବେଳେ ସାତ ଆଠ ଦିନ ତଳୁ କମିଟି ଘୋଷଣା ହୋଇଯିବ ବୋଲି ସୂଚନା ମିଳୁଥିଲା। ଏପରିକି ଏଥିପାଇଁ ପିସିସି ସଭାପତି ଦିଲ୍ଲୀ ମଧ୍ୟ ଗସ୍ତ କରିଥିଲେ। କିନ୍ତୁ ଏ ଯାଏ କମିଟିର ନାଁ ଗନ୍ଧ ନାହିଁ।

କମିଟି ଘୋଷଣା ହୋଇ ନ ପାରିବା ପଛରେ ଯେଉଁ କିଛି ପ୍ରମୁଖ କାରଣ ରହିଛି ସେଥିରେ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ଭାଗ ଛିଡୁ ନ ଥିବା କୁହାଯାଉଛି। କମିଟିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପିସିସି କାର୍ଯ୍ୟକାରୀ ସଭାପତି ପଦ ପାଇଁ ପ୍ରମୁଖ ଦାବିଦାର ଥିବା ଆଲୋଚନା ହେଉଛି।

ଏପରିକି କଂଗ୍ରେସରେ ମିଶିଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ପିସିସି କାର୍ଯ୍ୟକାରୀ ସଭାପତି ରେସରେ ଥିବା ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ଶରତ ପଟ୍ଟନାୟକ କିନ୍ତୁ କାର୍ଯ୍ୟକାରୀ ସଭାପତି ପଦ ସପକ୍ଷରେ ନ ଥିବା କୁହାଯାଉଛି।

ଏପରିକି କମିଟି ଚୂଡାନ୍ତ ହୋଇପାରି ନ ଥିବା ବେଳେ ସେପଟେ କିଏ କେଉଁ ଅଞ୍ଚଳରେ ଟିକେଟ ବାଣ୍ଟିବ ତାକୁ ନେଇ ଲଢେଇ ଆରମ୍ଭ ହୋଇଯାଇଥିବା ଚର୍ଚ୍ଚା ହେଉଛି। ନବଜ୍ୟୋତି ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି ପଦ ସହ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଆଦି ଜିଲାରେ ଆଗାମୀ ନିର୍ବାଚନରେ ଦଳୀୟ ଟିକେଟ ବାଣ୍ଟିବା ପାଇଁ ପୂର୍ଣ୍ଣ ସ୍ୱାଧୀନତା ଚାହୁଁଥିବାବେଳେ ବିଜୟ ପଟ୍ଟନାୟକ ଭୁବନେଶ୍ୱର କଟକ ସମେତ ରାଜ୍ୟବ୍ୟାପୀ ୫୦ ରୁ ଅଧିକ ସିଟରେ ତାଙ୍କ ମନ ପସନ୍ଦର ପ୍ରାର୍ଥୀ ବାଛିବାର ସ୍ୱାଧୀନତା ଚାହୁଁଥିବା ଚର୍ଚ୍ଚା ହେଉଛି।

ଏସବୁରେ ପିସିସି ସଭାପତି ଶରତ ପଟ୍ଟନାୟକ ସହମତ ହେଉ ନ ଥିବାରୁ ଅଙ୍କ ଛିଡିପାରୁ ନ ଥିବା ଆଲୋଚନା ହେଉଛି। ସେପଟେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ନିରଞ୍ଜନ ପଟ୍ଟନାୟକଙ୍କୁ ଗୋଷ୍ଠୀଙ୍କୁ ସମର୍ଥନ କରିବା ଯୋଗୁ ଶରତଙ୍କ ଟିମ ଘୋଷଣା ହୋଇପାରୁନି ବୋଲି ଚର୍ଚ୍ଚା ହେଉଛି।

ଏପରିକି ଶରତଙ୍କ ନୂଆ ଟିମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ଆଦି ନେତା ନିଜ ଲୋକଙ୍କୁ ଟିମରେ ରଖିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ଯେଉଁଥିରେ ସହମତି ହୋଇପାରୁନି।

ଚର୍ଚ୍ଚା ଅନୁଯାୟୀ ଆଗକୁ ନିର୍ବାଚନ ଥିବାରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳକୁ ଆର୍ଥିକ ସହଯୋଗ ଦେବେ ବୋଲି ଆଲୋଚନା ହେଉଛି। ତେଣୁ ତାଙ୍କୁ ଅସନ୍ତୁଷ୍ଟ କରିବାକୁ ଦଳ ଚାହୁଁ ନ ଥିବା ଚର୍ଚ୍ଚା ହେଉଛି। କିନ୍ତୁ ସବୁ ଗାଷ୍ଠୀଙ୍କ କଥାକୁ ରଖିବା ମଧ୍ୟ ସମ୍ଭବ ହେଉ ନାହିଁ ବୋଲି କୁହାଯାଉଛି।

ଏହା କଂଗ୍ରେସର ପୁରୁଣା ରୋଗ ବୋଲି କୁହାଯାଏ। କମିଟି ଗଠନ ବେଳେ ଜୋରଦାର ଲବୀ ଓ ଗଠନ ପରେ ବିରୋଧ ଆଦି ଦେଖିବାକୁ ମିଳେ। ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଦଳ ରାଜନୈତିକ କାର୍ଯ୍ୟକ୍ରମକୁ ଜୋରଦାର କରୁଛନ୍ତି।

ଏପଟେ କିନ୍ତୁ କଂଗ୍ରେସର ନୂଆ କମିଟି ହୋଇ ନ ଥିବାରୁ କୌଣସି ନେତା ଦଳୀୟ କାର୍ଯ୍ୟକୁ ନେଇ ବିଶେଷ ମନଯୋଗ ଦେଉ ନ ଥିବା ଦେଖାଯାଇଛି। ଏପରିକି ପିସିସି ରାଜ୍ୟ କମିଟି ସହ ଦଶରୁ ଅଧିକ ଜିଲ୍ଲା କଂଗ୍ରେସ ସଭାପତି ପରିବର୍ତ୍ତନ ହେବେ ବୋଲି କୁହାଯାଉଛି। ନୂଆ କମିଟିକୁ ନେଇ ଦଳ ନିର୍ବାଚନକୁ ଓଲ୍ହାଇବ ବୋଲି ବହୁ ନେତା ଚାହିଁ ବସିଥିବା ବେଳେ କମିଟି ଘୋଷଣା ବହୁ ବିଳମ୍ବିତ ହେବା ସ୍ଥିତିକୁ ଜଟିଳ କରିଛି।

Leave A Reply

Your email address will not be published.