ଢେଙ୍କାନାଳ: ବାଘ ବଂଶ ବୃଦ୍ଧିରେ ପ୍ରତିବନ୍ଧକ ସାଜିଛନ୍ତି ଶିକାରୀ। କେତେବେଳେ କରେଣ୍ଟ ତ କେତେବେଳେ ତାର ଜାଲରେ ଫଶୁଛନ୍ତି। ଢେଙ୍କାନାଳ ବନଖଣ୍ଡରେ ଶିକାରୀଙ୍କ ଉତ୍ପାତ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତ ୩ ବର୍ଷରେ ଦୁଇ ଗୁଣା ବଢିଛି କଲରାପତରିଆ ସଂଖ୍ୟା। ୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର।
ଅନ୍ୟପଟେ ଦୁଃଖର ବିଷୟ ଏହାକି ଯେ ବିଗତ ଦିନରେ ଦୁଇ ଦୁଇଟି ବାଘ ମୃତ୍ୟୁ ଓ ଶିକାରୀଙ୍କ ଫାସରେ ବାଘ ପଡିବା ଘଟଣା ବନବିଭାଗ ପାଇଁ ସୃଷ୍ଟି କରିଛି ନୂଆ ଚ୍ୟାଲେଞ୍ଜ। କାରଣ ଢେଙ୍କାନାଳ ବନଖଣ୍ଡରେ ମାତିଛନ୍ତି ଶିକାରୀ। ବାଘ ଛାଲ ପାଇଁ ବିଦ୍ୟୁତ ତାର ବିଛାଇ ବାଘ ଶିକାର କରିବାକୁ ସେମାନେ ପଛାଉ ନାହାନ୍ତି।
ନିକଟରେ ଢେଙ୍କାନାଳ-କେନ୍ଦୁଝର ସୀମାନ୍ତ ମହାବିରୋଡ ରେଞ୍ଜରେ ଶିକାରୀଙ୍କ ତାର ଜାଲରେ ପଡିଥିବା ଏକ କଲରାପତରିଆ ବାଘକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିନ୍ତୁ କିଏ ଏବଂ କାହିଁକି ତାର ବିଛାଇଥିଲା ତାହା ଏପର୍ଯ୍ୟନ୍ତ ତଦନ୍ତରେ ଜଣାପଡି ନଥିବା ବେଳେ ବନବିଭାଗ ପକ୍ଷରୁ ବାଘଙ୍କ ସୁରକ୍ଷା ପାଇଁ ସଠିକ ପାଟ୍ରୋଲିଂ ପ୍ରୋଟେକ୍ସନ ଦିଆଯାଉ ନଥିବାରୁ ବାଘ ବଂଶ ବିପଦରେ ବୋଲି କହିଛନ୍ତି ପରିବେଶବିତ୍।