Latest Odisha News

BREAKING NEWS

ନନ୍ଦନକାନନରେ ବଢିଲା ଧଳା ବାଘଙ୍କ ସଂଖ୍ୟା, ଦୁଇ ଛୁଆକୁ ଜନ୍ମ ଦେଲା ମୌସୁମୀ

ଭୁବନେଶ୍ବର: ନନ୍ଦନକାନନରେ ପୁଣି ବୃଦ୍ଧି ପାଇଲା ଧଳା ବାଘଙ୍କ ସଂଖ୍ୟା । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ରାତିରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ । ଏନ୍‌କ୍ଲୋଜର ୨୮-ବି’ରେ ଏହି ଦୁଇଟି ଯାକ ଛୁଆ ଜନ୍ମ ହୋଇଛନ୍ତି । ମା’ ସହିତ ଥିବାରୁ ଜନ୍ମିତ ଛୁଆମାନଙ୍କ ଲିଙ୍ଗ ନିର୍ଣ୍ଣୟ ହୋଇପାରିନାହିଁ । ମା’ ଛୁଆମାନଙ୍କର ଯତ୍ନ ନେଇଉଥିବାର ଦେଖିବାକୁ ମିଳିଛି।

୨୭ ଏବଂ ୨୮ ଫେବୃଆରୀ ୨୦୨୫ରେ ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ ରାଜେଶଙ୍କ ମଧ୍ୟରେ ସଫଳ ମିଳନ ପରେ ମୌସୁମୀ ଦ୍ୱିତୀୟ ଥର ପାଇଁ ମା’ ହୋଇଛି । ଦୁଇଟି ଛୁଆ ମଧ୍ୟରୁ ଗୋଟିଏ ଛୁଆ ସାଧାରଣ ରଙ୍ଗର ଏବଂ ଅନ୍ୟଟି ଧଳାରଙ୍ଗର ବୋଲି ଜଣାପଡିଛି ।

ଉଭୟ ପିତାମାତା ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ ରାଜେଶ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲେ । ମୌସୁମୀ ୫ ଅଗଷ୍ଟ ୨୦୧୬ରେ ମନୀଷ ଏବଂ ସ୍ନେହାଙ୍କ ଔରସରେ ଏବଂ ରାଜେଶ ୨୨ ସେପ୍ଟେମ୍ବର ୨୦୧୮ରେ ରୋଶନ ଏବଂ ବିଜୟାଙ୍କ ଔରସରେ ଜନ୍ମ ଗ୍ରହଣ କରିଥିଲା ।

ତେବେ ନିକଟରେ ନନ୍ଦନକାନନରେ ଏକ ଧଳା ବାଘ ଛୁଆର ମୃତ୍ୟୁ ହୋଇଥିଲା ଯାହା ଫଳରେ ନନ୍ଦନକାନନରେ ଧଳା ବାଘ ସଂଖ୍ୟା ହ୍ରାସ ପାଇଥିଲା । ବାଘ ଛୁଆଟିକୁ ମାତ୍ର ୭ ମାସ ହେଇଥିଲା । ଏହି ମାଈ ଧଳା ବାଘ ଛୁଆଟି ମେଲାନିଷ୍ଟିକ ବାଘ କ୍ରିଷ୍ଣା ଏବଂ ବାଘୁଣୀ ରୂପାଠାରୁ ୨୦୨୪ ନଭେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲା ।

Comments are closed.