ପୁଣି ଖଟିଆରେ ବୁହା ହେଲେ ରୋଗୀ

କୋରାପୁଟ: ପୁଣି ଖଟିଆରେ ବୁହା ହୋଇଗଲେ ରୋଗୀ। ସରକାର ଆଦିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ବିକାଶ ତ ଦୂରର କଥା, ଏହିପରି ଅନେକ ସ୍ଥାନ ରହିଛି ଯେଉଁଠାରେ ବିକାଶ ତ ଦୂରର କଥା ମୌଳିକ ସୁବିଧାରୁ ମଧ୍ୟ ଲୋକେ ବଞ୍ଚିତ ଅଛନ୍ତି। ଗାଁକୁ ରାସ୍ତା ନଥିବାରୁ ଆଜିବି ରୋଗୀଙ୍କୁ ବୁହା ହୋଇ ନେବାକୁ ପଡ଼ୁଛି। ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ବୈପାରୀଗୁଡ଼ା ବ୍ଲକ ମାଦି କାରୁଗୁଡ଼ା ଗାଁରେ ।

ଗତ କିଛିଦିନ ପୂର୍ବରୁ କାରୁଗୁଡ଼ା ଗାଁରେ ବୃଦ୍ଧ ବୁଦ୍ରା କ୍ରିଷାନୀ ଗଛରୁ ପଡ଼ିଯାଇ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ପରିବାର ଲୋକ ଚିକିତ୍ସା ପାଇଁ କୋରାପୁଟ ମେଡ଼ିକାଲକୁ ନେଇଥିଲେ। ହେଲେ ଚିକିତ୍ସା ନିମନ୍ତେ ଆବଶ୍ୟକ ଟଙ୍କା ଅଭାବ ଯୋଗୁଁ ବୁଦ୍ରା ମେଡ଼ିକାଲରୁ ଘରକୁ ଫେରିଆସିଥିଲେ। ଗୁରୁତର ଅବସ୍ଥାରେ ଘରେ ରହି କଷ୍ଟ ପାଉଥିଲେ।

ଏହି ଖବର ଶୁଣି ଗାଦବା ସମାଜର ସମ୍ପାଦକ ସାନୁ ତେନ୍ତଳିପଡ଼ିଆଙ୍କ ନେତୃତ୍ୱରେ ନିଜ ସମାଜ କର୍ମକର୍ତ୍ତାଙ୍କ ସହଯୋଗରେ ବୁଦ୍ରାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ତାଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସରେ ମେଡ଼ିକାଲକୁ ପଠାଇବା ବ୍ୟବସ୍ଥା କରାଯାଇଛି। ବୁଦ୍ରାଙ୍କ ପରିବାର ଲୋକେ ଗାଦବା ସମାଜ ପକ୍ଷରୁ ଚାଉଳ ପରିବା ସହିତ ଆର୍ଥିକ ସହାୟତା କରିଛନ୍ତି।