ପୈସା ତୋ ଗୟା ଗୟା , ଜୁହାର ଭି ଗୟା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……

ଗଳି ମୁଣ୍ଡରେ ଉଠା ଦୋକାନଟିଏ ପକେଇ ଲୁଗାପଟା ଇସ୍ତ୍ରୀ କରେ କନ୍ଦର୍ପ। ବହୁତ ମାନେ, ନାନୀ ,ନାନୀ ବୋଲି ଡାକେ, ଘରୁ ଆସି ଲୁଗା ନେଇଯାଏ, ଇସ୍ତ୍ରୀ କରି ଆଣିଦିଏ। ଏସନ ବର୍ଷା ଆରମ୍ଭରୁ ତା ଦୋକାନଟା ଭାଙ୍ଗି ରୁଜି ଯାଇଥିଲା, ଉପରୁ ପାଣି ଗଳୁଥିଲା। ଦୋକାନ ସଜେଇବ ବୋଲି ଅତି ନେହୁରା ହେଇ ଟଙ୍କା ପାଞ୍ଚ ହଜାର ନେଲା, କହିଲା ଯେତେ ଶୀଘ୍ର ହେବ ସୁଝି ଦେବ ।ତିନି ମାସ ହେଲାଣି ଗୋଟିଏ ଟଙ୍କାବି ଦେଖାନାହିଁ। ଲୁଗାବି ନେବାକୁ ଆସୁନାହିଁ। କେବେ କେବେ ଦୋକାନ ବାଟଦେଇ ଗଲା ବେଳେ ସାମ୍ନା ସାମ୍ନି ହେଇଗଲେ କହୁଛି,”ଚିନ୍ତା ନାଇଁ କର ନାନୀ, ଦେଇଦେମି ଯେ ! “କପଡା କାହିଁକି ନେବାକୁ ଆସୁନୁ ବୋଲି ପଚାରିଲେ କେବେ କହୁଛି,”କୁଇଲା ଉଦା ହେଇ ଯାଇଥିଲା,” ତ କେବେ କହୁଛି, “ଜିମି ଯେ ..କପଡା ରଖି ଦେଇଥିବ।” ଆଗରୁ ଯେବେ ଦେଖିଲେ ଦୂରରୁ ନାନୀ ବୋଲି ଡାକି ଜୁହାର କରେ, ହେଲେ ଏଇ କିଛି ଦିନ ହେଲା , ଦେଖିଲେ ବାଟ ଭାଙ୍ଗି ପଳେଇ ଯାଉଛି। ସେଦିନ କଥା ପଡ଼ୁ ପଡ଼ୁ ଘରେ ଯେତେବେଳେ ଏକଥା କହିଲି , ପୁରୋହିତ ବାବୁ କହିଲେ, ପାଇବାର ତ ଆଶା ନାହିଁ….ଗରିବ ଲୋକଟା, ବରଂ ତାକୁ ବାପାଙ୍କ ଅସ୍ତ୍ର ପ୍ରୟୋଗ କର। ‘ବାପାଙ୍କ ଅସ୍ତ୍ର’????ଓହୋ !!! ମନେ ପଡିଗଲା ବାପାଙ୍କ ସେଇ କଥା।

କଥାଟା ମୋର କଲେଜ ଗଲା ବେଳର, ବାପାଙ୍କୁ ବୁଝିପାରିବା ପରି କିଛି କିଛି ବୋଧଶକ୍ତି ହେଇ ସରିଥାଏ। ମୋର ଅଷ୍ଟମ ଶ୍ରେଣୀ ସରିବାକୁ କିଛିମାସ ଥାଏ, ବାପା ବାଲେଶ୍ଵରରୁ ବଦଳି ହେଇ ବଲାଙ୍ଗୀର ଓ କଳାହାଣ୍ଡି ଯୋନର କ୍ଷତ୍ରୀୟ (ରେଜିଓନାଲ) ମୁଖ୍ୟ ପ୍ରବନ୍ଧକ ଭାବରେ ଯୋଗଦେଲେ । ମୁଖ୍ୟ କାର୍ଯ୍ୟାଳୟ ଟିଟିଲାଗଡ଼ ହେଇଥିବା ହେତୁ,ଆମେ ବଲାଙ୍ଗୀରରେ ଆମ ନିଜ ଘରେ ରହିଲୁ ଓ ବାପା ଟିଟିଲାଗଡରେ.. ଛୁଟିରେ ଘରକୁ ଆସନ୍ତି, ଏଣୁ ବାପାଙ୍କ ସହ କ୍ଵଚିତ ଦେଖା ହୁଏ ।ମୋର ମାଟ୍ରିକ ବେଳକୁ ବାପାଙ୍କୁ ପଂଚାଵନ, ସେହି ବର୍ଷ ସେ ଚାକିରୀରୁ ଅବସର ଗ୍ରହଣ କଲେ। ସରକାରଙ୍କ ବିଚିତ୍ର ନିୟମ ହେତୁ ସେହି ବର୍ଷ ଅବସର ଗ୍ରହଣ ସୀମା ଅଠାବନରୁ ଖସି ପଂଚାଵନ ହେଇଯାଇଥିଲା।

ବାପାଙ୍କ ଅବସର ପରେ ଯେତେବେଳେ ସେ ଆମ ସାଙ୍ଗରେ ପୁରା ଚବିଶଘଣ୍ଟା ରହିଲେ ସେଇଟା ବୋଧେ ପ୍ରକୃଷ୍ଟ ସମୟ ଓ ବୟସ ହେଇଥିଲା ବାପାଙ୍କୁ ଜାଣିବା ପାଇଁ। ବାପାଙ୍କ ନିତ୍ୟଚର୍ଯ୍ୟା ଦେଖି ବିସ୍ମିତ ହେବାକୁ ହୁଏ। ଆମକୁ ଘୋର ନିଦ ମାଡି ଆସିଲା ବେଳକୁ ,ଭୋର ଚାରିଟାରୁ ଉଠି ସେ ନିଜର ନିତ୍ୟକର୍ମ ସାରି ଘରେ କିଛି ସମୟ କୀର୍ତ୍ତନ କରିବା ପରେ ଏକା ଏକା ବାହାରି ଯାଆନ୍ତି ନଗର କୀର୍ତ୍ତନ କରିବାକୁ ହାତରେ ଗିନି ଧରି…. ପ୍ରବଳ ବର୍ଷା ଛଡା ଖରାବର୍ଷା ଶୀତ କିଛି ତାଙ୍କୁ ଅଟକେଇ ପାରେନାହିଁ। ପରିଧାନ ଖଦଡ଼ ଧୋତି ଓ ଢିଲା , ନସିକା ଅଗ୍ରଭାଗରୁ କପାଳ ପର୍ଯ୍ୟନ୍ତ ତିଳକ ଗାର। ଘର ଭିତରେ ସୁନ୍ଦର ଠାକୁର ଘର,ନିତିଦିନ ଠାକୁରଙ୍କୁ ଅନ୍ନ ଭୋଗ। ପ୍ରସାଦ ବ୍ୟତିରେକେ ଅନ୍ୟ ଖାଦ୍ୟ ଗ୍ରହଣ ନିଷେଧ । ପ୍ରତିଦିନ ଦିପହରେ ଘରେ ଭାଗବତ ଚର୍ଚ୍ଚା କେତେଜଣ ଅବସରପ୍ରାପ୍ତ ସମଧର୍ମୀ ବନ୍ଧୁଙ୍କୁ ନେଇ। ବାକି ସମୟରେ ବାପା ପ୍ରାୟ ସମାନା ଦାଣ୍ଡଘରେ ବସିଥିବେ ଓ ଯିବା ଆସିବା ଲୋକଙ୍କୁ “ଜୟ ରଧେଶ୍ୟାମ” କହି ଅଭିବାଦନ କରୁଥିବେ। ବଲାଙ୍ଗୀରରେ ସେତେବେଳେ ‘ଜୟ ରଧେଶ୍ୟାମ’ ବୋଲି ବାପାଙ୍କ ପରିଚୟ।

ଘରେ ସବୁବେଳେ ବାବାଜୀ ବୈଷ୍ଣବ ଆତଯାତ। ସେମାନେ ଆସନ୍ତି ,ଉପରେ ଭାଗବତ କୋଠରୀରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେଇଥାଏ,ସେଇଠି ରୁହନ୍ତି। ଘରେ ସେମାନଙ୍କ ପାଇଁ ରନ୍ଧା ହୁଏ, କିଛିଦିନ ରହିବା ପରେ ପୁଣି ତାଙ୍କ ଗନ୍ତବ୍ୟ ପଥରେ ଚାଲି ଯାଆନ୍ତି।ଗଲାବେଳକୁ ନେଇ ଯାଆନ୍ତି କିଛି ନିତ୍ୟ ବ୍ୟବହାର୍ଯ୍ୟ ଆବଶ୍ୟକ ଜିନିଷ, କିଏ ଧୋତି ତ କିଏ ଲୋଟା ତ ଆଉ କିଏ କମ୍ବଳ। ବାପା ବି ଖୁସିରେ ଦେଇ ଦିଅନ୍ତି। ଦେବାରେ ବାପାଙ୍କର ବହୁତ ଆନନ୍ଦ।ଜଣେ ଜଣେ ବିଚିତ୍ର ଦାବି ମଧ୍ଯ କରନ୍ତି। ଥରେ ଜଣେ ବାବାଜୀ ଆସି ପହଞ୍ଚିଲେ, ଯଥାସାଧ୍ୟ ମାନ୍ୟ ଦେଇ ତାଙ୍କର ଚର୍ଚ୍ଚା ହେଲା। ସେହି ସମୟରେ ବାପା କେଉଁଠୁ କେଜାଣି କରତଗୁଣ୍ଡ ଜାଳ ବ୍ୟବହାର କରୁଥିବା ଚୁଲି କଥା ଶୁଣି କରତଗୁଣ୍ଡ ଚୂଲି କିଣି ଆଣିଥିଲେ। ଘରେ ଆମର ସେତେବେଳେ କାଠ ଚୁଲି,ମାଆ ଭାରି ହଇରାଣ ହୁଅନ୍ତି ବିଶେଷ କରି ଖରା ଦିନେ। ଉଠା କରତ ଚୁଲି,ଅଗଣାରେ ପ୍ରଥମେ ଜଳା ହୁଏ ଓ ଜଳିଲା ପରେ ରନ୍ଧାଘରକୁ ନିଆ ଯାଏ, ଧୁଆଁ କମ ,ରାନ୍ଧିବା ବି ସହଜ। ବାବାଜୀ ମହାଶୟ ଏମିତିକା ଉଠା ଚୁଲି ଦେଖି ତାଜୁଵ, କହିଲେ ମୋତେ ଦେଇ ଦିଅ , ମୁଁ ତ ସବୁବେଳେ ବାହାରେ ବୁଲୁଛି, ଏଇ ଉଠା ଚୁଲିଟା ମୋ କାମରେ ଆସିବ, ବିଶେଷ କରି ଚତୁର୍ମାସ୍ୟା ସମୟରେ। ବାବାଜୀ ଲୋକ ଚୂଲି କଣ କରିବେ କରତଗୁଣ୍ଡ କେମିତି ବୋହିବେ ବୋଲି ମାଆ ସାମାନ୍ୟ ବିରକ୍ତ ହେଲେ ମଧ୍ୟ ତାଙ୍କୁ ବାପା ତାଙ୍କୁ ବୁଝେଇଦେଲେ ଯେ ଆଉଗୋଟ କିଣି ଆଣିବା।

ସାଇ ଭିତରେ ଘର, ପାଖପଡିଶାରେ ଥିବା ଅଭାବୀଲୋକ ସାହାଯ୍ୟ ପାଇଁ ଆସି କେହି କେବେ ଖାଲି ହାତରେ ଫେରିବା ଦେଖି ନଥିଲୁ। ଘର ଆଗରେ ରାମଜୀ ମନ୍ଦିର, ବର୍ଷ ଯାକର ଅନ୍ନଭୋଗ ପାଇଁ ଗାଁରୁ ଚାଉଳ ଓ ମୁଗଡାଲି ଆମ ଚାଷ ଜମିରୁ ଆସେ। ଗାଁରେ ଧନ ସଙ୍ଗେ ଆଖୁ ,ପିଆଜ ଚାଷ ହୁଏ। ବର୍ଷକୁ ଥରେ ,ଦୁଇଥର ବାପା ଚାଷ ଗାଁକୁ ଯାଆନ୍ତି। ଆଗରୁ ସାଇକେଲରେ ଯାଉଥିଲେ, ହେଲେ ଥରେ କନ୍ଧପାଲି ପାଖରେ ସାଇକେଲରୁ ପଡି ଖଣ୍ଡିଆ ଖାଵରା ହେଇଗଲେ। ସେଦିନ ଠାରୁ ସାଇକେଲ ଚଢ଼ା ବନ୍ଦ। ବାଧ୍ୟ ହେଇ ଘର ପଛପାଖରେ ରଘୁ ବୋଲି ଯେଉଁ ରିକ୍ସାଵାଲା ଥିଲେ, ତାଙ୍କ ସାଙ୍ଗରେ ଗାଁ କୁ ଯିବା ଆସିବା କଲେ। ସେ ବାପାଙ୍କୁ ବହୁତ ମାନ୍ୟ କରୁଥିଲେ ବାପା ବୋଲି ସମ୍ବୋଧନ କରୁଥିଲେ ଓ ବାପା ବି ତାଙ୍କୁ ବହୁତ ସ୍ନେହ କରୁଥିଲେ। ଆମେ ସବୁ ତାଙ୍କୁ ରଘୁଦାଦା ବୋଲି ଡାକୁଥିଲୁ।ମଝିରେ ମଝିରେ ଆସି ଦୁଇ ଚାରି ଟଙ୍କା ନେଇଯାଆନ୍ତି…. ଦିନେ ଆସି ବାପାଙ୍କୁ କହିଲେ ଯେ ତାଙ୍କ ରିକ୍ସାର ଟାୟାର ଓ ଟ୍ୟୁବ ଖରାପ ହେଇଯାଇଛି, ଏକୋଇଶ ଟଙ୍କା ଦେଲେ ରିକ୍ସା ସଜେଇବେ ଓ ପରେ ରୋଜଗାର ହେଲେ ଫେରେଇ ଦେବେ। ଟଙ୍କା ଦିଆହେଲା, ଅତି ଆଦରରେ ମୁଣ୍ଡିଆ ମାରି ରଘୁଦାଦା ଫେରିଗଲେ। ସେ ଘଟଣାର ତିନି ଚାରି ମାସ ଗଲା କିନ୍ତୁ ପଇସାର ଦେଖା ନାହିଁ ବରଂ ରଘୁଦାଦା ଆଉ ଆମ ଘର ସାମନା ରାସ୍ତାରେ ବି ଗଲେ ନାହିଁ। ଦିନେ କିନ୍ତୁ ଦୈବାତ ବାପାଙ୍କ ସାଙ୍ଗରେ ତାଙ୍କର ମୁହାଁ ମୁହିଁ ଭେଟ ହେଇଗଲା। ବାପା ଦାଣ୍ଡ ଘରେ ବସି ଥାଆନ୍ତି, ସେ ସେଇବାଟେ ଯାଉଥିଲେ, ବାପାଙ୍କୁ ଦେଖି ନଦେଖିଲା ପରି ମୁହଁ ତଳକୁକରି ପଳାଇ ଯାଉଥିଲେ। ବାପା ତାଙ୍କୁ ଡାକି ହସି ହସି ଥଟ୍ଟାକରି କହିଲେ, ” ହଏ ହୋ ରଘୁ , ପୈସା ତୋ ଗୟା ଗୟା ଜୁହାର ବି ଗୈୟା ???? ” ବଡ ବିକଳ ହେଇ ରଘୁଦାଦା ହାତଯୋଡି ଠିଆ ହେଲେ। ବାପା ହସିହସି କହିଲେ,” ସେ ଟଙ୍କା ଆରୁ ନି ଫିରାବ ନ ହୋ। କହିଥିଲେ ତ ହେଇଥିତା, ହେନତା ସୁବିଧା ଅସୁବିଧା ସମକର ଥିସି। ଗାଁ ଗଲେ ବି ନିକାଟେ ନ ହୋ। ହେଲେ ଭେଟ ଘାଏ ଘାଏ ପଡୁଥିବ, ଜୁହାର ଟିକେ ଟିକେ କରୁ ଥିବ। ଜୟ ରଧେଶ୍ୟାମ।” ରଘୁଦାଦା ଟିକେ ଲାଜେଇ ଗଲେ ଓ ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ବାପାଙ୍କୁ ଜୁହାର ହେଲେ। ତାପରଠୁ ପୂର୍ଵପରି ଆମ ସାମନା ରାସ୍ତାରେ ଗଲେ ଓ ଭେଟ ହେଲେ ଜୁହାର ବି କଲେ। ଅନେକ ଦିନ ପର୍ଯ୍ୟନ୍ତ ବାପା ତାଙ୍କ ରିକ୍ସା ରେ ଗାଁକୁ ବି ଯାଉଥିଲେ। ସେ ଟଙ୍କା କଥା ବାପା କି ସେ ଆଉ କେବେ ପକେଇ ନାହାଁନ୍ତି।

ଷାଠିଏତିପର ଜୀବନରେ ଅଜି ମୁଁ ଯେବେ ପଛକୁ ଚାହିଁ ଦେଖେ ପାଏ ବାପା ଓ ତାଙ୍କ ସହ ଛାଇ ପରି ଚାଲୁଥିବା ମାଆଙ୍କ ଚରିତ୍ରର ଏମିତି ଅନେକ ଦିଗ ପ୍ରଚ୍ଛନ୍ନ ତଥା ପରୋକ୍ଷ ଭାବରେ ଆମମାନଙ୍କ ଜୀଵନ ଉପରେ ବହୁଳ ଭାବରେ ପ୍ରଭାବ ପକେଇଛି । ବାପାଙ୍କ ଶୃଙ୍ଖଳିତ ଜୀବନାଦର୍ଶ, ଭାଗବତ ବିଶ୍ବାସ, ନ୍ୟାୟାପରାୟଣତା, ନିସ୍ୱାର୍ଥପରତା ଓ ଦାନଶୀଳତା ଆମ ଅଜାଣତରେ ଆମକୁ ପ୍ରଭାବିତ କରିଛି, ଯଦିଓ ଅବୁଝା ପଣରେ କେବେ କେବେ ତାଙ୍କ ଉପରେ ଅଭିମାନ କରିଛୁ, ଅଭିଯୋଗ କରିଛୁ ଆଉ ଭୁଲ ବି ବୁଝିଛୁ। ଭାବିଲି ,ଠିକ କଥା କନ୍ଦର୍ପ ଉପରେ ବାପାଙ୍କ ଅସ୍ତ୍ର ପ୍ରୟୋଗ କରାଯାଉ …. ।