ଭୁବନେଶ୍ୱର: ପୁଲୱାମା ଆକ୍ରମଣ ପ୍ରସଙ୍ଗରେ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବେ ପୁଣି ଚର୍ଚ୍ଚାରେ। ଏଥର ସତ୍ୟପାଲଙ୍କୁ ସିବିଆଇ ସମନକୁ ନେଇ ଦେଶବ୍ୟାପୀ ଆଲୋଚନା ହେଉଛି।
ବିହାର, ଜାମ୍ମୁ କାଶ୍ମୀର, ଗୋଆ ଓ କିଛି ଦିନ ପାଇଁ ଓଡିଶାର ରାଜ୍ୟପାଳ ଦାୟିତ୍ୱ ତୁଲାଇଥିବା ସତ୍ୟପାଲ ନିଜର ଅଲଗା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ସାମ୍ବିଧାନିକ ପଦରେ ଥାଇ ମଧ୍ୟ କେନ୍ଦ୍ରର ବିଜେପି ସରକାରକୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିବା, ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରିବା ଆଦିକୁ ନେଇ ସତ୍ୟପାଲଙ୍କୁ ସମସ୍ତେ ଜାଣନ୍ତି।
କିନ୍ତୁ କିଛି ଦିନ ତଳେ ବିଭିନ୍ନ ଇଣ୍ଟରଭ୍ୟୁରେ ସତ୍ୟପାଲ ମଲିକ ପୁଲୱାମା ଆକ୍ରମଣ ସୁରକ୍ଷାରେ ତ୍ରୁଟିକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ପ୍ରମୁଖ ଚେହେରାଙ୍କୁ ପ୍ରଶ୍ନଘେରକୁ ନେଇ ଆସିଥିଲେ। ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାରେ ସତ୍ୟପାଲଙ୍କ ଏହି ମନ୍ତବ୍ୟ ବିଜେପିକୁ ଅଡୁଆରେ ପକାଇଥିବା କୁହାଯାଉଛି।
ଏଭଳି ସ୍ଥିତିରେ ତାଙ୍କୁ ସିବିଆଇ ସମନକୁ ନେଇ ଜୋରଦାର ଚର୍ଚ୍ଚା। ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ସିବିଆଇ ଖୋଳତାଡ଼ କରୁଛି। ଏହି ମାମଲାର ଜଣେ ସାକ୍ଷୀ ଭାବେ ସତ୍ୟପାଲ ମଲିକଙ୍କ ଠାରୁ ସିବିଆଇ ତଥ୍ୟ ହାସଲ କରିବାକୁ ଚାହୁଁଥିବାରୁ ତାଙ୍କୁ ସମନ କରିଥିବା କୁହାଯାଇଛି।
କାଶ୍ମୀରର ରାଜ୍ୟପାଳ ଥିବା ବେଳେ ସତ୍ୟପାଲ ମଲିକ ରିଲାଏନ୍ସ କମ୍ପାନୀର ଗୋଟିଏ ବୀମା ଡିଲ୍କୁ ବାତିଲ କରି ଦେଇଥିଲେ। ଯେଉଁ ପ୍ରସଙ୍ଗକୁ ନେଇ ସତ୍ୟପାଲଙ୍କୁ ସିବିଆଇ ସମନ କରିଛି।
କିନ୍ତୁ ଦେଶର ଏକ ବଡ଼ ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ମୋଦି ଓ ବିଜେପିକୁ କାଠଗଡାକୁ ଟାଣିଥିବା ସତ୍ୟପାଲଙ୍କୁ ଏଭଳି ସମୟରେ ସିବିଆଇ ସମନ କରିବା ରାଜନୈତିକ ଚର୍ଚ୍ଚାକୁ ବଢାଇ ଦେଇଛି। ଏପରିକି ପୂର୍ବରୁ ବିଜେପିରେ ଥିଲେ ମଧ୍ୟ ଏବେ ବିଜେପି ବିରୋଧରେ ଜୋରଦାର ପ୍ରଚାର କରୁଛନ୍ତି ସତ୍ୟପାଲ।
ସେପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉଠାଇଲେ ସିବିଆଇ, ଇଡି, ଆଇଟିକୁ ବିରୋଧରେ ଲଗାଯାଉଛି ବୋଲି ବିରୋଧୀ ଲଗାତର ଅଭିଯୋଗ କରି ଆସୁଛନ୍ତି।
ଏପରିକି କିଛି ଦିନ ତଳେ ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ମଧ୍ୟ ତୃଣମୂଳ କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ସମନ କରିବାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଛି। ଯାହାକୁ ନେଇ ଅଭିଷେକ ସିବିଆଇ ଉପରେ ବର୍ଷୁଛନ୍ତି।
ଆଗକୁ ନିର୍ବାଚନ ମଧ୍ୟ ଅଛି। ତେଣୁ ଏଭଳି ସ୍ଥିତିରେ ସତ୍ୟପାଲଙ୍କୁ ସିବିଆଇ ସମନ ଏବେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି।
Comments are closed.