Latest Odisha News

ମହାଶିବରାତ୍ରୀରେ ଭକ୍ତଙ୍କ ପାଇଁ ଖୁସି ଖବର, ଏହି ତାରିଖରେ ଖୋଲିବ ବାବା କେଦାରନାଥଙ୍କ ଦ୍ଵାର

ଡେରାଡୁନ: ମହାଶିବରାତ୍ରୀରେ ଭକ୍ତଙ୍କ ପାଇଁ ଆସିଲା ଖୁସି ଖବର । ମେ ୧୦ରୁ ଖୋଲିବ କେଦାରନାଥ ଧାମ । ମହାଶିବରାତ୍ରି ଅବସରରେ ଉଖୀମଠରେ ପରମ୍ପରାଗତ ପୂଜାର୍ଚ୍ଚନା ହେବା ପରେ ପଞ୍ଚାଙ୍ଗ ଗଣନା ହେବା ସହିତ ଓଁକାରେଶ୍ଵର ମନ୍ଦିରର ଆଚାର୍ଯ୍ୟଗଣଙ୍କ ସମ୍ମୁଖରେ କେଦାରନାଥ ମନ୍ଦିରର ଦ୍ୱାର କେବେ ଖୋଲାଯିବ ସେନେଇ ମୁହୂର୍ତ୍ତ ନିର୍ଘଣ୍ଟ ହୋଇଛି । ସେହିପରି ମେ ୧୨ରେ ବଦ୍ରିନାଥ ଦ୍ଵାର ଖୋଲିବା ସହ ମେ ୧୦ରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଦ୍ଵାର ଖୋଲିବ ବୋଲି ସୂଚନା ମିଳିଛି । ଗତବର୍ଷ ନଭେମ୍ବର ୧୫ତାରିଖରେ କେଦାରନାଥ ଧାମ ବନ୍ଦ ରଖାଯାଇଥିଲା ।

ମହାଶିବରାତ୍ରୀ ଅବସରରେ ଓଁକାରେଶ୍ଵର ମନ୍ଦିରରେ ସକାଳେ ପୂଜାର୍ଚ୍ଚନା କରିବା ପରେ ତାରିଖ ଘୋଷଣା କରାଯାଇଥିଲା । ବଦ୍ରି-କେଦାର ମନ୍ଦିର ସମିତିର ବେଦପୀଠ, ଆଚାର୍ଯ୍ୟ ଏବଂ ଅନ୍ୟ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିରର ପୂଜାର୍ଚ୍ଚନା କରିବା ପରେ ସୂଚନା ଦିଆଯାଇଥିଲା । ପଞ୍ଚାଙ୍ଗ ଅନୁସାରେ, ମେ ୧୦ ସକାଳ ୭ଟାରେ ଭକ୍ତଙ୍କ ପାଇଁ ମନ୍ଦିର କବାଟ ଖୋଲାଯିବ । ସେହିପରି ବଦ୍ରିନାଥ ଧାମ ମେ ୧୨ରେ ଖୋଲିବ । ମେ ୧୨ ସକାଳ ୬ଟାରେ ଖୋଲିବ ବାବା ବଦ୍ରିନାଥ ଧାମ । ବଦ୍ରିନାଥ ଧାମ ଖୋଲିବା ସମୟ ଧାର୍ଯ୍ୟ ବସନ୍ତ ପଞ୍ଚମୀରେ କରାଯାଇଥିଲା ।

ହିନ୍ଦୁମାନଙ୍କର ପ୍ରମୁଖ ତୀର୍ଥ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି କେଦାରନାଥ ଧାମ । ଉତ୍ତରାଖଣ୍ଡରେ ଏହାର ଅବସ୍ଥିତି ହୋଇଥିବା ବେଳେ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଭାରତର ବିଭିନ୍ନ ରାଜ୍ୟରୁ ମହାଦେବଙ୍କ ଦର୍ଶନ ପାଇଁ ଏଠାକୁ ଆସନ୍ତି । ଭୂପୃଷ୍ଟରୁ ଅତି ଉଚ୍ଚରେ ଏହାର ଅବସ୍ଥିତି ହୋଇଥିବାରୁ ବଦଳୁଥିବା ପାଣିପାଗକୁ ଧ୍ୟାନରେ ରଖି ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ବର୍ଷରେ ମାତ୍ର ୬ମାସ ପାଇଁ ମନ୍ଦିର ଖୋଲାଯାଏ । ଏପ୍ରିଲ ଶେଷ ତଥା ମେ ଆରମ୍ଭରୁ ମନ୍ଦିର ଖୋଲାଯାଇଥାଏ ଭକ୍ତ ମାନଙ୍କ ପାଇଁ । ଏହାବ୍ୟତୀତ ଅନ୍ୟାନ୍ୟ ସମୟରେ ଅତ୍ୟଧିକ ବରଫାବୃଷ୍ଟି କାରଣରୁ ସାଧାରଣ ଦର୍ଶନ ପାଇଁ ଦ୍ଵାର ବନ୍ଦ ରଖାଯାଏ ।

Comments are closed.