Latest Odisha News

BREAKING NEWS

ନୋଏଡା ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଫେବୃଆରୀ ୨ ତାରିଖ ୨୦୨୫ରେ ନୋଏଡ଼ା ସ୍ଥିତ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ନୋଏଡାର ସେକ୍ଟର ୧୨୧ ସ୍ଥିତ ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହା ସମାରୋହରେ ରାଷ୍ଟ୍ରପତି ସାମିଲ ହେବାକୁ ମୌଖିକ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

ମନ୍ଦିର ପରିଚାଳନା କରୁଥିବା ଶ୍ରୀ ଜଗନ୍ନାଥ ସମିତି ତରଫରୁ ସାଧାରଣ ସମ୍ପାଦକ ବିଶିଷ୍ଟ ଚାଟାର୍ଡ ଏକାଉଣ୍ଟାଣ୍ଟ ଡ. ମନୋରଞ୍ଜନ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନିକଟରେ ରାଷ୍ଟ୍ରପତି ଭବନଠାରେ ମୁର୍ମୁଙ୍କୁ ସାକ୍ଷାତ କରି ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।

ଏହି ପବିତ୍ର ଉତ୍ସବ ଉପଲକ୍ଷେ ସେଦିନ ବଢ଼ି ଭୋରରୁ ମନ୍ଦିରରେ ବିଭିନ୍ନ ପ୍ରକାରର ପୂଜା, ରୀତିନୀତି ଓ ଉପଚାର ବୈଦିକ ପରମ୍ପରା ମୁତାବକ ସମ୍ପନ୍ନ କରାଯିବ । ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଗୋଷ୍ଠୀଗତ ବନ୍ଧୁ ମିଳନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ସବାଶେଷରେ ଚତୁର୍ଦ୍ଧା ବିଗ୍ରହମାନଙ୍କର ପ୍ରାଣ ପ୍ରତିଷ୍ଠା ଅଧିବେଶନ ସମାପନ କରାଯିବା ପାଇଁ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି ।

୨୦୨୫ ମସିହା ଜାନୁୟାରୀ ୨୯ ତାରିଖ ଠାରୁ ଆରମ୍ଭ ହୋଇ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପାଞ୍ଚ ଦିନିଆ ଧାର୍ମିକ ମହୋତ୍ସବରେ ଭାରତ ବର୍ଷର ବିଭିନ୍ନ ଦେବସ୍ଥାନ ଯଥା; ଅଯୋଧ୍ୟା, ହରିଦ୍ଵାର, ଋଷିକେଶ, ପୁରୀ ଏବଂ ବାରଣାସୀ ଆଦି କ୍ଷେତ୍ରରୁ ସାଧୁ, ସନ୍ଥ ଓ ମହାତ୍ମାଙ୍କ ଭଳି ହିନ୍ଦୁ ଧର୍ମର ମହାପୁରୁଷମାନେ ଯୋଗ ଦେବାକୁ ଯାଉଥିବା ମନ୍ଦିର ସୂତ୍ରରୁ ପ୍ରକାଶ ।

ପୁରୀର ପୁରାତନ ମନ୍ଦିର ତୁଳନାରେ ନୋଏଡାର ସେକ୍ଟର-୧୨୧ ସ୍ଥିତ ଏ-୧ ର ବିସ୍ତୀର୍ଣ୍ଣ, ସୁନ୍ଦର, ସୁରମ୍ୟ ଏବଂ ସବୁଜିମା ଭରା ଜମି ଉପରେ ଦଣ୍ଡାୟମାନ ଏହି ବୃହତ ଏବଂ ବିଭୂଷିତ ମନ୍ଦିରଟି ଆଧୁନିକ ଢାଞ୍ଚାରେ ନିର୍ମାଣ କରାଯାଇଛି । ଏହାର ଭିତର ମହଲକୁ ପାରମ୍ପରିକ ଭାରତୀୟ ମନ୍ଦିରର ଆକୃତିକୁ ଆଧାର କରି ଖୁବ ନିଖୁଣ ଓ ପ୍ରାଞ୍ଜଳ ଭାବେ ପଥରଗୁଡ଼ିକୁ କଟାଯାଇ ବନାଯାଇଛି । ମନ୍ଦିରର ଗର୍ଭଗୃହରେ ଠାକୁର ମାନଙ୍କର ଆସ୍ଥାନ ପାଇଁ ରତ୍ନ ସିଂହାସନ ଉପଲବ୍ଧ କରାଯାଇଥିବାର ସୂଚନା ମିଳିଛି।

୨୦୧୩ ମସିହାରେ ଏହି ମନ୍ଦିର ନିର୍ମାଣ ପାଇଁ ଶୁଭ ଶିଳାନ୍ୟାସ କରାଯାଇଥିଲା । ନୋଏଡାଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣର ମୂଖ୍ୟ ଉଦ୍ଦେଶ୍ୟ ହେଲା ଜାତୀୟ ରାଜଧାନୀ କ୍ଷେତ୍ରରେ ଦ୍ରୁତ ବର୍ଦ୍ଧିଷ୍ଣୁ ଭକ୍ତମାନଙ୍କର ଆଧ୍ୟାତ୍ମିକ ସେବା ଓ ଧାର୍ମିକ କର୍ତ୍ତବ୍ୟର ଆବଶ୍ୟକତାକୁ ପୂରଣ କରିବା ବୋଲି ସାଧାରଣ ସମ୍ପାଦକ ଡ. ମନୋରଞ୍ଜନ ମହାନ୍ତି ଗଣମାଧ୍ୟମକୁ ସୂଚାଇଛନ୍ତି । ବର୍ଷକର ବାରମାସ ସାରା ନିୟମିତ ଭାବରେ ବିଭିନ୍ନ ପର୍ବପର୍ବାଣୀ, ସାଂସ୍କୃତିକ ମହୋତ୍ସବ ଏବଂ ଗୋଷ୍ଠୀଗତ ବନ୍ଧୁ ମିଳନ ଆୟୋଜନ କରାଯିବାରେ, ଏହି ମନ୍ଦିର ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ସେ ଜଣାଇଛନ୍ତି । ମନ୍ଦିରର ବାର୍ଷିକ କାର୍ଯ୍ୟକ୍ରମ ସୂଚୀ ମଧ୍ୟରେ ସବୁଠୁ ବଡ଼ ଆକର୍ଷଣ ଭାବରେ ୨୦୧୩ ମସିହାଠାରୁ ଏଠାରେ ପୁରୀ ମନ୍ଦିର ଶୈଳୀରେ ରଥଯାତ୍ରା ଆୟୋଜନ କରାଯାଇ ଆସୁଥିବା ଡ. ମହାନ୍ତି ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.