Latest Odisha News

ବିକାଶର ଅସଲ ସ୍ୱରୁପ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… 

ସାରା ଦେଶରେ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ବିକାଶର ଶିଡ଼ିରେ ଆମ ରାଜ୍ୟ ଓଡ଼ିଶା ଆଗକୁ ଆଗକୁ ଯାଉଛି ବୋଲି ବାରମ୍ବାର ଦାବୀ କରାଯାଉଛି ଓ ଭିନ୍ନ ଭିନ୍ନ ରିପୋର୍ଟରେ ମଧ୍ୟ ତାହା ପ୍ରତିଫଳିତ ହେଉଛି । ବିକାଶର ସୁବର୍ଣ୍ଣ ଯୁଗରେ ପାଦ ଥାପିଛି ଓଡ଼ିଶା ବୋଲି କ୍ଷମତାସୀନ ବିଜେଡ଼ି ଦଳ ମଧ୍ୟ ଦାବୀ କରୁଛି । କିନ୍ତୁ ଏସବୁ ସତ୍ତ୍ୱେ ବି କାଶିପୁରର ହଇଜା ମୃତ୍ୟୁ, ମୟୁରଭଞ୍ଜର ଅପପୁଷ୍ଟି, ମାଲକାନଗିରିର ଡାକ୍ତରଖାନାରେ ରୋଗୀଙ୍କ ଦୁରାବସ୍ଥା, ଏକାଧିକ ଜିଲ୍ଲାରେ ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ଆଦି ଘଟଣାମାନ ଦେଖିବାକୁ ମିଳୁଛି । ଏସବୁ ତ ରାଜଧାନୀଠାରୁ ଦୂରରେ ଥିବା ଉପାନ୍ତ ଅଞ୍ଚଳର କଥା । ଆଜି ଆମେ ଯେଉଁ ଗାଁ’ ବିଷୟରେ ଆଲୋଚନା କରିବାକୁ ଯାଉଛେ, ତାହା ହେଉଛି ରାଜଧାନୀର ନାକ ତଳେ ଥିବା ଖୋର୍ଦ୍ଧା ଜିଲ୍ଲାର ଏକ ଗାଁ । ଆମ ରାଜଧାନୀ ଭୁବନେଶ୍ୱର ଏବେ ସ୍ମାର୍ଟ ସିଟି ହେବାକୁ ଅଣ୍ଟା ଭିଡ଼ିଛି । ଏହି ସ୍ମାର୍ଟ ସିଟି ଠାରୁ ମାତ୍ର ୧୯ କିଲୋମିଟର ଦୂରରେ ଥିବା ଏକ ଗାଁ’ର ଅବସ୍ଥା ସ୍ମାର୍ଟ ହେବା ତ ଛାଡ଼, ସାଧାରଣ ମୌଳିକ ସୁବିଧା ସୁଯୋଗ ଠାରୁ ବି ବହୁତ ପଛରେ ।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍‌ର ଛତାବର ପଞ୍ଚାୟତର ଏକ ଗାଁ’ ବିନ୍ଧ୍ୟଗିରି । ଭୁବନେଶ୍ୱରଠାରୁ ଗାଡ଼ିରେ ଗଲେ ମାତ୍ର ତିରିଶ ମିନିଟ୍‌ରେ ପହଞ୍ଚି ହେବ ଏହି ଗାଁ’ର ଆଦିବାସୀ ସାହିରେ । ଏହି ଗାଁ’ର ଦୁଇଟି ସାହି ଥିବା ବେଳେ ଆଦିବାସୀ ସାହିରେ ୫୫ଟି ପରିବାର ବସବାସ କରନ୍ତି । ଯେଉଁମାନଙ୍କ ମଧ୍ୟରୁ ୫୩  ପରିବାର ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ୨ଟି ଦଳିତ ପରିବାର ବାସ କରୁଛନ୍ତି । ଗାଁ ଭିତରକୁ ପ୍ରବେଶ କରିବା ମାତ୍ରେ ପ୍ରଥମେ ଆଖିରେ ପଡ଼ିବ ଗାଁ’ର ସରକାରୀ ପ୍ରାଥମିକ ବିଦ୍ୟାଳୟ ।

ଯେକୌଣସି ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟଠାରୁ ରାଜଧାନୀର ଏତେ ପାଖରେ ଥିବା ଏହି ବିଦ୍ୟାଳୟର ଅବସ୍ଥା ଏତେ ଅଧିକ ଭିନ୍ନ ନୁହେଁ । ୪୪ ଜଣ ଛାତ୍ର ଛାତ୍ରୀ ଥିବା ଏହି ସ୍କୁଲ୍‌ରେ ପାଞ୍ଚୋଟି ଶ୍ରେଣୀ ପାଇଁ ମାତ୍ର ଦୁଇ ବଖରା ଶ୍ରେୀଣୀଗୃହ ଅଛି ଓ ଦୁଇ ଜଣ ଶିକ୍ଷକ ଅଛନ୍ତି । ବିଦ୍ୟାଳୟରେ ଶୌଚାଳୟର ସୁବିଧା ଅଛି, କିନ୍ତୁ ସେଥିରେ ପାଣିର ସୁବିଧା ନାହିଁ, ଯଦିଓ ସେହି ବିଦ୍ୟାଳୟ ସ୍ୱଚ୍ଛତା ପାଇଁ ଦୁଇ ଥର ‘ଗାରିମା’ ପୁରସ୍କାର ପାଇଛି । କିପରି ଏହି ପୁରସ୍କାର ମିଳିଲା, ତାହା ପଚାରିବା ଯୋଗ୍ୟ ପ୍ରଶ୍ନ ନୁହେଁ । ନିକଟତମ ଉଚ୍ଚ ବିଦ୍ୟାଳୟର ଦୂରତା ଗାଁ’ଠାରୁ ପାଞ୍ଚ କିଲୋମିଟର । ଯେଉଁଠାକୁ ଯିବା ପିଲାମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ କଷ୍ଟକର ବିଷୟ । ଆଜି ଯେତେବେଳେ ସରକାର ସ୍ମାର୍ଟ ସ୍କୁଲ୍ କରି ଗୋଟିଏ ଗୋଟିଏ ବିଦ୍ୟାଳୟକୁ ଦେଖେଇବା ଯୋଗ୍ୟ କରୁଛନ୍ତି, ସେତେବେଳେ ପ୍ରଶ୍ନ ଉଠୁଛି, ଯେଉଁ ବିଦ୍ୟାଳୟଗୁଡ଼ିକ ସ୍ମାର୍ଟ ସ୍ତରକୁ ଉନ୍ନୀତ ହେଉନାହାନ୍ତି, ସେଗୁଡ଼ିକରେ କ’ଣ ପିଲାମାନେ ପଢ଼ୁନାହାନ୍ତି! ଭୁବନେଶ୍ୱର ପାଖରେ ଥିବା ଗୋଟିଏ ସ୍ମୁଲ୍‌ର ଅବସ୍ଥା ଯଦି ଏପରି ହୁଏ, ଯେଉଁଠାକୁ ବଡ଼ ଅଫିସରମାନେ ନିରୀକ୍ଷଣ ପାଇଁ ଅନାୟାସରେ ଯାଇ ଆସିପାରିବେ ତେବେ ପାଞ୍ଚଶହ କିଲୋମିଟର ଦୂରରେ ଥିବା ବିଦ୍ୟାଳୟଗୁଡ଼ିକ ଯେଉଁଠାକୁ ବଡ଼ ଅଫିସରମାନେ ପାଞ୍ଚ ବର୍ଷରେ ବି ଥରେ ଯାଇପାରିବେ ନାହିଁ, ତାର ଅବସ୍ଥା କ’ଣ ହୋଇଥିବ ବେଶ୍‌
ଅନୁମେୟ । ତାହେଲେ ଆମ ବିକାଶର ଧାରା କୁଆଡ଼େ ଯାଉଛି? କୁହାଯାଏ ଶିଶୁର ପ୍ରଥମ ଆନୁଷ୍ଠାନିକ ଶିକ୍ଷା ଓ ବିକାଶର ମୂଳୁଦୁଆ ଅଙ୍ଗନବାଡ଼ୀ କେନ୍ଦ୍ରରୁ ହିଁ ପଡ଼ିଥାଏ । ବିନ୍ଧ୍ୟଗିରି ଗ୍ରାମରେ ଦୁଇଟି ଅଙ୍ଗନବାଡ଼ୀ ଥିଲେ ମଧ୍ୟ ଦୁଇଟିଯାକ ଅଙ୍ଗନବାଡ଼ୀ ଏବେ ଗୋଟିଏ କେନ୍ଦ୍ରରୁ ଚାଲୁଛି । ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡ଼ୀ କୋଠାଘରଟି କେବେ ଠାରୁ ଭାଙ୍ଗିଥିଲେ ମଧ୍ୟ ତାର ମରାମତି କରାଯାଇନାହିଁ । କେବଳ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ନୁହେଁ,
ଅଙ୍ଗନବାଡ଼ୀର ଶିଶୁମାନଙ୍କୁ ମଧ୍ୟ ଏ ବ୍ୟବସ୍ଥା ଟିକେ ସୁବିଧା ଯୋଗାଇବାକୁ ସକ୍ଷମ ହୋଇପାରୁନାହିଁ । ଅଥଚ ସେଇ ପିଲାମାନଙ୍କ ମୁହଁରେ ଆମ ବ୍ୟବସ୍ଥା ଅତି ନିର୍ଲ୍ଲଜ ଭାବେ ସ୍ୱଧୀନତାର ଅମୃତ ମହୋତ୍ସବ ନାରା ଲଗେଇବାକୁ କହୁଛି । ନୁହେଁ କି ଏହା ପ୍ରହସନ!

ସ୍ୱଚ୍ଛ ପାନୀୟ ଜଳ ସ୍ୱାଧୀନ ଦେଶର ଗାଁ ଲୋକମାନଙ୍କର ଅଧିକାର ନୁହେଁ । ଏହା ପ୍ରମାଣ କରୁଛି ବିନ୍ଧ୍ୟଗିରି । ଗାଁ’ର ଦୁଇ ମୁଣ୍ଡରେ ଦୁଇଟି ନଳକୂପ ଅଛି ଓ ମଝିରେ ଏକ ଖୋଲା କୂଅ ଅଛି । ନଳକୂପର ଦୂରତା ଅଧିକ ହେଉଥିବାରୁ ଅଧିକାଂଶ ଲୋକ ଖୋଲା କୂଅରୁ ପାଣି ପିଉଛନ୍ତି । ଗୋଟେ ଘରୋଇ ସଂସ୍ଥା ଦ୍ୱାରା ଏକ ସୌର ଚାଳିତ ନଳକୂପ ସ୍ଥାପନା କରାଯାଇଥିଲା, ଯାହା ଏବେ ଅଚଳ ଅବସ୍ଥାରେ ଅଛି । ସାନ୍ତ୍ୱନାର ବିଷୟ ଯେ ନିକଟତମ ସ୍ୱାସ୍ଥ୍ୟ କେନ୍ଦ୍ର ୫ କିଲୋମିଟର ଦୂର ମେଣ୍ଢାଶାଳରେ ଅବସ୍ଥିତ ଓ ସେଠାରେ ଲୋକମାନେ ଆଶାନୁଯାୟୀ ଚିକିତ୍ସା ପାଉଛନ୍ତି ବୋଲି ସ୍ୱୀକାର କରିଛନ୍ତି । ଅଧିକ ଦେହ ଖରାପ ହେଲେ ଲୋକମାନେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ମଧ୍ୟ ଯାଆନ୍ତି ବୋଲି କହନ୍ତି ଗାଁ’ର ଭଗବାନ ଭୋଇ । ତେଣୁ ଏବେ ସରକାର ବିଚାର କରିବା ଉଚିତ୍‌, ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ବିକାଶ ଅର୍ଥ କେବଳ ଘରୋଇ ଡାକ୍ତରଖାନା କିମ୍ବା ସ୍ୱାସ୍ଥ୍ୟ ବୀମା କରେଇବା ନୁହେଁ । ଅସଲ ସ୍ୱାସ୍ଥ୍ୟ ସେବା ହେଉଛି ଉନ୍ନତମାନର ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା, ଯେଉଁଠି ଡାକ୍ତର ସହିତ ଆବଶ୍ୟକୀୟ ଔଷଧ ବି ଉପଲବ୍‌ଧ ହେବ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସଂପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବଜେଟ୍‌ର ସିଂହ ଭାଗ କେବଳ ସ୍ୱାସ୍ଥ୍ୟ ବୀମା କରି କଂପାନୀମାନଙ୍କୁ ପୋଷିବାରେ ହିଁ ଯାଉଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କର ସ୍ଥିତି ସାରା ରାଜ୍ୟରେ ଅତ୍ୟନ୍ତ ସଂକଟଜନକ । ଗାଁ’କୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଏଯାଏ ବି ପକା କିମ୍ବା କଂକ୍ରିଟ୍ ହୋଇନାହିଁ । ସାଧାରଣ ଯାତାୟତ ବ୍ୟବସ୍ଥା କହିଲେ ମାତ୍ର ଗୋଟିଏ ବସ୍ ଦିନକୁ ଥରେ ଗାଁ’ ଦେଇ ଯିବା ଆସିବା କରେ । ସଂପ୍ରତି ବିଜୁଳି ବି ଏକ ମୌଳିକ ଆବଶ୍ୟକତାରେ ପରିଣତ ହୋଇଗଲାଣି । ଯଦିଓ ଗାଁ’ର ସମସ୍ତ ଘରକୁ ବିଜୁଳି ସଂଯୋଗ ହୋଇଛି, କିନ୍ତୁ ଅଧିକାଂଶ ସମୟ ପାୱାର କଟ୍ ହେଉଛି ବୋଲି କ୍ଷୋଭର ସହ ପ୍ରକାଶ କରନ୍ତି ଗାଁ’ର ଯୁବକ ବାବୁଲି ଭୋଇ ।

ସରକାରଙ୍କ ଦ୍ୱାରା ଯୋଗେଇ ଦିଆଯାଉଥିବା ପି.ଡି.ଏସ. ଚାଉଳ ହିଁ ଲୋକମାନଙ୍କର ଖାଦ୍ୟ ସୁରକ୍ଷାର ପ୍ରମୂଖ ଉତ୍ସ । କାରଣ ଗ୍ରାମର ପ୍ରାୟ ସମସ୍ତ ପରିବାର ଭୂମିହୀନ । ଚାଷ କହିଲେ, ସେମାନେ ପାଖ ସାହିର ଲୋକମାନଙ୍କର ଜମି ଭାଗରେ କରନ୍ତି । ପ୍ରାକୃତିକ, ବିପର୍ଯ୍ୟୟ, ରୋଗ ପୋକ ଆଦି ପରେ ଯାହା ଅମଳ ମିଳେ ତାର ଅଧା ଭାଗ ଜମି ମାଲିକ ନେବା ପରେ ଯାହା ବଳେ ନିଜ ଘରକୁ ଆଣନ୍ତି । ସେଥିରେ ପୁରା ପରିବାର ବର୍ଷ ସାରା ଖାଇବା ଅସମ୍ଭବ । ତେଣୁ ଲୋକଙ୍କ ଜୀବନ ଟଙ୍କିକିଆ ଚାଉଳ ଦୟାରୁ ହିଁ ଚାଲିଛି । ଆଜି ଯେତେବେଳେ ଟଙ୍କିକିଆ ଚାଉଳ ପ୍ରଦାନକୁ ଟାର୍ଗେଟ୍ କରାଯାଉଛି ଓ କୁହାଯାଉଛି ସେଥିପାଇଁ ଲୋକମାନେ ଅଳସୁଆ ହୋଇଗଲେ, କିନ୍ତୁ ତାହାର ବାସ୍ତବତା ଭିନ୍ନ । କେବଳ କୋରାପୁଟ, କଳାହାଣ୍ଡି ପାଇଁ ନୁହେଁ, ଖୋର୍ଦ୍ଧା ପରି ସମୃଦ୍ଧ ଓ ଶିକ୍ଷୀତ ଜିଲ୍ଲା ପାଇଁ ବି । ଯଦିଓ ଜଙ୍ଗଲ ଅଧିକାର  ଆଇନ୍ ଅନ୍ତର୍ଗତ ୨୫ ପରିବାରକୁ ପଟା ଯୋଗେଇ ଦିଆଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ଜମିର ଚିହ୍ନଟ ହୋଇନାହିଁ । ଗାଁ’ର ମୋଟ ୨୮ ପରିବାର ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ରନ୍ଧନ ଗ୍ୟାସ ସଂଯୋଗ ପାଇଥିଲେ । କିନ୍ତୁ ସେଥିମଧ୍ୟରୁ ଅନେକ ପରିବାର ପ୍ରଥମ ଥର ଗ୍ୟାସ୍ ସରିଯିବା ପରେ ଆଉ ଥରେ ଗ୍ୟାସ୍ ଭରିବାକୁ ସକ୍ଷମ ହୋଇପାରିନାହାନ୍ତି । କାରଣ ଗ୍ୟାସ୍‌ର ଦାମ୍ ଆକାଶ ଛୁଇଁଥିବାରୁ ଲୋକମାନେ କିଣିବାକୁ ସକ୍ଷମ ହେଇପାରୁନାହାନ୍ତି ବୋଲି ପ୍ରକାଶ କରନ୍ତି ୩୧ ବର୍ଷୀୟ ଦିଲିପ୍ ଭୋଇ । ଲୋକମାନେ ରୋଷେଇ କରିବା ପାଇଁ ଜାଳେଣୀ କାଠ ବ୍ୟବହାର କରୁଛନ୍ତି । ରନ୍ଧନ ଗ୍ୟାସ୍‌ର ଆଶାତୀତ ଦାମ୍ ବୃଦ୍ଧି କେବଳ ବିନ୍ଧ୍ୟଗିରି ଗାଁ’ ନୁହେଁ ଅନେକ ଗାଁ’ର ଲୋକମାନଙ୍କୁ ପୁନଶ୍ଚ ଜାଳେଣୀ କାଠ ଆଡ଼କୁ ଠେଲି ଦେଇଛି । ଉଜ୍ଜ୍ୱଳା ଯୋଜନା ଲୋକମାନଙ୍କୁ ଆଉ ଆଲୋକିତ କରିପାରୁନାହିଁ । ଗାଁ’ର ଅଳ୍ପ କିଛି ଲୋକ ଯଦିଓ ଶୌଚାଳୟ ନିର୍ମାଣ କରିଛନ୍ତି, କିନ୍ତୁ ସେମାନେ ବ୍ୟବହାର କରୁନାହାନ୍ତି । କାରଣ ସ୍ୱରୁପ ଲୋକମାନେ କୁହନ୍ତି ଯେ, ଶୌଚାଳୟକୁ ପାଣିର ସୁବିଧା ନଥିବାରୁ ତାହା ବ୍ୟବହାର ଯୋଗ୍ୟ ହେଉନାହିଁ । ପ୍ରାୟତଃ ଗାଁ’ର ସମସ୍ତ ଲୋକ ବାହାରକୁ ମଳତ୍ୟାଗ କରିବାକୁ ଯାଆନ୍ତି । ପାଠ ପଢ଼ା ଅଧା ରହିବା ପରେ ବା ସରିବା ପରେ ଗାଁ’ର ଯୁବକମାନେ ଭୁବନେଶ୍ୱରର ଭିନ୍ନ ଭିନ୍ନ କଂପାନୀକୁ ଯାଇ କାମ କରନ୍ତି ଓ ଯାହା କିଛି ମଜୁରୀ ପାଆନ୍ତି ସେଥିରେ ପରିବାର ଚଳେ । ନରେଗା ଯୋଜନାରେ ଅତି କଷ୍ଟରେ ଲୋକମାନଙ୍କୁ ବର୍ଷରେ ୩୦ରୁ ୪୦ ଦିନ ହିଁ କାମ ମିଳୁଛି ।

ଗୋଟିଏ ପଟେ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ରାଜଧାନୀ ଉପକଣ୍ଠରେ ଥିବା ଗାଁ’ର ଅବସ୍ଥା ଯଦି ଏପରି ତେବେ ଅନ୍ୟ ଦୂର ଦୂରାନ୍ତ ଗାଁ’ଗୁଡ଼ିକର ଅବସ୍ଥା ବେଶ୍ ଅନୁମେୟ । ଭାତ ହାଣ୍ଡିର ଗୋଟିଏ ଚାଉଳ ପରି ବିନ୍ଧ୍ୟଗିରି ଗାଁ ପ୍ରମାଣ କରୁଛି ବିକାଶର ଅସଲ ସ୍ୱରୁପ କ’ଣ !

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-
୭୫୪୧୩୮
ମୋ- ୯୪୩୮୪୬୮୪୭୪

Comments are closed.