Latest Odisha News

ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲା: ସିସିଟିଭି ଯାଂଚରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: କେମିତି ହେଲା ରାଜଧାନୀ ରାଜଭବନ ନିକଟରେ ପେଟ୍ରୋଲ ପମ୍ପ ବିସ୍ଫୋରଣ । ବିସ୍ଫୋରଣ ସମୟରେ ଟାଙ୍କି ପାଖରେ କେତେ ଜଣ ଥିଲେ । ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀ କ୍ୟାପିଟାଲ ଥାନାରେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପରୁ ଉଦ୍ଧାର ହୋଇଥିବା ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରିଛନ୍ତି। ଏହି ଫୁଟେଜ୍‌ରୁ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି।

ଭାଲ୍‌ଭ ଖୋଲାଯିବା ସମୟରେ ହିଁ ଅଗ୍ନିସଂଯୋଗ ହୋଇଥିବା ସ୍ପଷ୍ଟ ହୋଇଛି।  ବିସ୍ଫୋରଣ ପୂର୍ବରୁ ପେଟ୍ରୋଲ ପମ୍ପର ଏଲ୍‌ପିଜି ଟ୍ୟାଙ୍କ ପାଖରେ ୩ଜଣ ଓ ଟିକିଏ ଦୂରରେ ଆଉ ଜଣେ ଥିଲେ । ଟ୍ୟାଙ୍କ ପାଖରେ ଥିବା ୩ଜଣଙ୍କ ମଧ୍ୟରୁ ଜଣେ ମୋବାଇଲ୍‌ ଫୋନରେ ଗପୁଥିଲେ। ଏହି ସମୟରେ ହିଁ ଅଚାନକ ନିଆଁ ଲାଗିଲା ।ଏହି ନିଆଁ କେମିତି ଓ କେଉଁଠି ଉତ୍ପନ୍ନ ହେଲା, ଅଧିକ ଜାଣିବା ଲାଗି ପୁଲିସ ପେଟ୍ରୋଲିୟମ୍ ବିଶେଷଜ୍ଞ ଟିମ୍ ଓ ଆଇଟି ଏକ୍ସପର୍ଟଙ୍କ ସହାୟତା ନେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଇତିମଧ୍ୟରେ ଆଇଓସିଏଲ୍ ମୁଖ୍ୟାଳୟରୁ ଆସିଥିବା ଏକ ବିଶେଷଜ୍ଞ ଟିମ୍ ମଧ୍ୟ ଯାଞ୍ଚ କରିଥିବା ଜଣାପଡ଼ିଛି।

ସେହିପରି ରାଜ୍ୟ ଫରେନସିକ୍ ଟିମ୍ ଘଟଣାସ୍ଥଳରୁ ସଂଗ୍ରହ କରିଥିବା ନମୁନାକୁ ଆଧାର କରି ତଦନ୍ତ ଜାରି ରଖିଛନ୍ତି। ଫରେନସିକ୍ ରିପୋର୍ଟ ମଧ୍ୟ ପୁଲିସ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଜଣେ ଅଧିକାରୀ କହିଛନ୍ତି। ଦିନେ କିମ୍ବା ଦୁଇ ଦିନ ଭିତରେ ପୂରା ରହସ୍ୟ ଉପରୁ ପରଦା ଉଠିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ପେଟ୍ରୋଲିୟମ୍ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍ ସେହି ଫୁଟେଜ୍‌କୁ ଆଉ ଥରେ ଯାଞ୍ଚ କରିବ। କାହାର ଅବହେଳାରୁ ଏତେ ବଡ଼ ବିସ୍ଫୋରଣ ଘଟିଲା ତାହା ମଧ୍ୟ ସ୍ପଷ୍ଟ ହେବ।

Leave A Reply

Your email address will not be published.