Latest Odisha News

ଆଜି ଶପଥ ନେବେ ଅବଶିଷ୍ଟ ୪୫ ବିଧାୟକ

ଭୁବନେଶ୍ୱର: ଦୁଇଦିନ ଧରି ସପ୍ତଦଶ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶପଥ ପାଠ କରାଉଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବିଧାନସଭା ନିର୍ବାଚନ ଜିତିଥିବା ବିଧାୟକଙ୍କ ଭିତରୁ ୧୦୧ଜଣ ମଙ୍ଗଳବାର ବିଧାୟକ ଭାବେ ଶପଥ ନେଇଛନ୍ତି। ଆଜି (ବୁଧବାର) ଶପଥ ନେବେ ଅବଶିଷ୍ଟ ୪୫ ବିଧାୟକ। ଏହି ଶପଥ ଗ୍ରହଣ ଉତ୍ସବରେ ମୋଟ୍ ସାମିଲ ଅଛନ୍ତି ୧୪୬ଜଣ ବିଧାୟକ।

ପ୍ରଥମେ ‌ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେଇଥିବାବେଳେ ଶେଷରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଶପଥ ଗ୍ରହଣ କରିଥିଲେ। ବିଧାନସଭାରେ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ସ୍ବାଇଁଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ମନ୍ତ୍ରୀଗଣ ଗତକାଲି ବାଚସ୍ପତିଙ୍କୁ ବିଧାନସଭାକୁ ସ୍ବାଗତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କେତେକ ମନ୍ତ୍ରୀ ଓ ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଶପଥ ଗ୍ରହଣ କରିବାକୁ ବିଧାନସଭା ଗୃହକୁ ଯାଇଥିଲେ।

ଶପଥ ନେଇଥିବା ବିଧାୟକମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରୁ ପାଇଥିବା ସାର୍ଟିଫିକେଟ୍‌ର ନକଲ ଦେବା ପରେ ଶପଥ ଗ୍ରହଣ କରିଥିଲେ। ସମସ୍ତେ ଶପଥ ନେବା ପରେ ବିଧାନସଭା ରେଜିଷ୍ଟରରେ ଦସ୍ତଖତ କରିଥିଲେ। ଏହାପରେ ବିଧାନସଭା ପକ୍ଷରୁ ଏକ କିଟ୍ ବ୍ୟାଗ୍ ଦିଆଯାଇଥିଲା। ଆସନ୍ତା ୨୦ତାରିଖରେ ବାଚସ୍ପତି ନିର୍ବାଚନ ଥିବାରୁ ସମସ୍ତ ବିଧାୟକଙ୍କୁ ବିଧାନସଭାକୁ ଆସିବାକୁ କୁହାଯାଇଛି। ଅନ୍ୟପଟେ ବିଧାନସଭା ୩ ଦିନିଆ ଅଧିବେଶନ ପାଇଁ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି। ବିଧାନସଭା ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ। ଡିଜିପିଙ୍କ କହିବା ଅନୁଯାୟୀ ୩ ଦିନିଆ ଅଧିବେଶନ ପାଇଁ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ୍‌ ମୁତୟନ ରହିବେ।

Leave A Reply

Your email address will not be published.