ମୁମ୍ବାଇ: ହ୍ରିତିକ ରୋଶନଙ୍କ ସମେତ ପୂରା ରୋଶନ ପରିବାରର କାହାଣୀକୁ ବର୍ତ୍ତମାନ ଫ୍ୟାନ୍ସ ମାନେ ଓଟିଟି ପ୍ଲାଟଫର୍ମରେ ଦେଖିପାରିବେ। ରୋଶନ ପରିବାର ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ସିରିଜ୍ ଡିସେମ୍ବର ୪ରୁ ନେଟଫ୍ଲିକ୍ସରେ ଦେଖିପାରିବେ।
ରୋଶନ ପରିବାର ହେଉଛି ଏଭଳି ଏକ ଚଳଚ୍ଚିତ୍ର ପରିବାର, ଯାହାର ତୃତୀୟ ପିଢି ମଧ୍ୟ ବଲିଉଡରେ ନାମ ସହ ଖ୍ୟାତି ଅର୍ଜନ କରିଛନ୍ତି। ଏହି ସ୍ୱତନ୍ତ୍ର ଡକ୍ୟୁମେଣ୍ଟାରୀ ସିରିଜରେ ପ୍ରଶଂସକମାନେ ରୋଶନ ପରିବାରର ବିଳାସପୂର୍ଣ୍ଣ ଜୀବନ ଏବଂ ଚଳଚ୍ଚିତ୍ର ଜଗତକୁ ଅବଦାନ ବିଷୟରେ ଅତି ନିକଟରୁ ଜାଣିପାରିବେ। ଏହି ଡକ୍ୟୁମେଣ୍ଟ ସିରିଜ ମାଧ୍ୟମରେ ପ୍ରଥମ ଥର ପାଇଁ ରୋଶନ ପରିବାର ଜୀବନଶୈଳୀ ଦର୍ଶକଙ୍କ ସମ୍ମୁଖରେ ଓପନଅପ୍ ହେବ।
ଏହି ଡକ୍ୟୁମେଣ୍ଟାରୀ ସିରିଜରେ ରୋଶନ ସାହାବଙ୍କ ସ୍ମରଣୀୟ ତଥା ସଂଗୀତରୁ ଆରମ୍ଭ ହେବ। ରୋଶଲ ଲାଲ ନାଗରଥ ଦୀର୍ଘ ଦିନ ଧରି ତାଙ୍କ ସଙ୍ଗୀତରେ ବଲିଉଡ ଜଗତକୁ ଏକ ବଡ଼ ଅବଦାନ ଦେଇଛନ୍ତି। ତାଙ୍କ ପରେ ତାଙ୍କ ପୁଅ ରାକେଶ ରୋଶନ ଏବଂ ରାଜେଶ ରୋଶନ ଏହି ଉତ୍ତରଦାୟିତ୍ଵକୁ ଆଗେଇ ନେଇଥିଲେ। ରାକେଶ ରୋଶନ ଜଣେ ଭଲ ଅଭିନେତା, ନିର୍ଦ୍ଦେଶକ ଏବଂ ନିର୍ମାତା ହୋଇଥିବା ବେଳେ ରାଜେଶ ରୋଶନ ସଙ୍ଗୀତ ଜଗତରେ ମଧ୍ଯ ବହୁ ନାମ ଅର୍ଜନ କରିଛନ୍ତି।
ସେହିପରି ରାକେଶ ରୋଶନଙ୍କ ପୁଅ ହ୍ରିତିକ ରୋଶନ ମଧ୍ଯ ବଲିଉଡରେ ରାଜ କରୁଛନ୍ତି। ଏହି ଡକ୍ୟୁମେଣ୍ଟ ସିରିଜରେ ରୋଶନ ପରିବାରର ଘନିଷ୍ଠ ବନ୍ଧୁ ଏବଂ ସହକର୍ମୀମାନଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର ମଧ୍ୟ କରାଯାଇଛି।
ତେବେ ଶଶି ରଂଜନ ଏହି ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବା ସହ ରାକେଶ ରୋଶନଙ୍କ ସହ ଏହାର ସହ-ପ୍ରଯୋଜକ ମଧ୍ୟ ରହିଛନ୍ତି।