Latest Odisha News

BREAKING NEWS

Sun Temple: ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା ଆରମ୍ଭ

କୋଣାର୍କ: ବିଶ୍ବପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କାଢ଼ିବା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସ‌୍ଆଇର ପୂର୍ବତନ ଡିଜି ଏକେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍‌ କମିଟି କୋଣାର୍କ ଗସ୍ତରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଟ୍ରେସ୍‌ ମ୍ୟାପ୍‌ କୁ ତଦାରଖ କରିବା ପରେ ସମସ୍ତ ଅଧିକାରୀ ସୂର୍ଯ୍ୟମନ୍ଦିର ଉପରକୁ ଚଢ଼ି ମନ୍ଦିର ଶୀର୍ଷରେ ଥିବା ଗର୍ଭଗୃହର ସ୍ଥିତି ନିରୀକ୍ଷଣ କରିଥିଲେ । ପ୍ରକୃତ ସ୍ଥିତି ଅନୁଧ୍ୟାନ ପାଇଁ ମନ୍ଦିର ପଶ୍ଚିମ ପାର୍ଶ୍ବରେ ୮୦ ଫୁଟ ଉଚ୍ଚତାରେ ୧୬ ସେଣ୍ଟିମିଟରର ଏକ କ୍ଷୁଦ୍ର ଟନେଲ୍‌ ନିର୍ମାଣ ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବୋଟିକ୍‌ କ୍ୟାମେରା ମାଧ୍ୟମରେ ବାଲିର ସ୍ଥିତି ଓ ପରିମାଣ ଆକଳନ କରାଯାଇଥିଲା ।

ଏବେ ଡ୍ରିଲିଂ ମେସିନ୍‌ରେ ମନ୍ଦିର କାନ୍ଥରେ ଟନେଲ୍‌ ଖୋଳା ଆରମ୍ଭ ହୋଇଛି । ଦୁଇଦିନ ମଧ୍ୟରେ ଟନେଲ୍‌ ଖୋଳା କାର୍ଯ୍ୟ ସରିବା ପରେ ଗର୍ଭଗୃହ ମଧ୍ୟରେ ଥିବା ବାଲିର ସ୍ଥିତି, ଭିତର ପଥରର ଅବସ୍ଥା ଓ ଏହାର ଓସାରକୁ ନଜରରେ ରଖି ପର୍ଯ୍ୟାୟ କ୍ରମେ ବାଲି କଢ଼ାଯିବ ବୋଲି କହିଛନ୍ତି ଏଏସ୍‌ଆଇ ପୁରୀ ସର୍କଲ ଅଧୀକ୍ଷକ ଡିବି ଗଡ଼ନାୟକ ।

ସୂଚନାଯୋଗ୍ୟ, ଇଂରେଜମାନଙ୍କ ରାଜୁତି ସମୟରେ ସୂର୍ଯ୍ୟମନ୍ଦିରରୁ ଗୋଟିଏ ପରେ ଗୋଟିଏ ପଥର ଖସୁଥିଲା । ବିଶ୍ବପ୍ରସିଦ୍ଧ ଏହି କୀର୍ତ୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ସେମାନେ ୧୯୦୩ରୁ ୧୯୦୯ ମଧ୍ୟରେ ଜଗମୋହନ ଗର୍ଭଗୃହରେ ବାଲି ଭର୍ତ୍ତି କରି ଏହାର ସମସ୍ତ ପ୍ରବେଶପଥଗୁଡ଼ିକୁ ବନ୍ଦ କରିଦେଇଥିଲେ । ୨୦୦୩ ମସିହାରେ ଓଡ଼ିଶା ହାଇକୋର୍ଟରେ ସୂର୍ଯ୍ୟମନ୍ଦିର ପ୍ରବେଶ ପଥ ଖୋଲିବାକୁ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ ଏଏସଆଇର କେନ୍ଦ୍ରୀୟ ପ୍ରତିନିଧି ଦଳ କୋଣାର୍କରେ ପହଞ୍ଚି ମନ୍ଦିର ସ୍ଥିତି ଅନୁଧ୍ୟାନ କରିଥିଲେ ।

ଗର୍ଭଗୃହରେ ଭର୍ତ୍ତି ହୋଇଥିବା ବାଲି ଉତ୍ତର ଓ ପଶ୍ଚିମ ପାର୍ଶ୍ୱ ପଟକୁ ଦବି ରହିଥିବାରୁ ମନ୍ଦିର ପ୍ରତି ବିପଦ ଅଛି ବୋଲି ରିପୋର୍ଟ ଦେଇଥିଲେ । ଏହା ପରେ ୨୦୦୯, ୨୦୧୧ ଓ ୨୦୧୩ ମସିହାରେ ଗର୍ଭଗୃହରୁ ବାଲି କାଢ଼ିବା ନେଇ ତନାଘନା ହେବା ସହିତ ମନ୍ଦିରର ଲେଜର୍‌ ସ୍କାନିଂ କରାଯାଇଥିଲା ।

ଏହାପରେ ଏଏସ୍‌ଆଇର ଏଡିଜିଙ୍କ ସମେତ କୋର୍‌ କମିଟିର ୧୫ ଜଣିଆ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଟିକିନିଖି ତର୍ଜମା କରିଥିଲେ । ଦୀର୍ଘ ୧୨୦ ବର୍ଷ ପରେ ସୂର୍ଯ୍ୟମନ୍ଦିର ଗର୍ଭଗୃହ ପୁଣି ଖୋଲିବା ଲାଗି ଏଏସ୍‌ଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ୨୦୨୨ ସେପ୍ଟେମ୍ବରରେ ସୂର୍ଯ୍ୟମନ୍ଦିର ଉତ୍ତର ଦିଗ ପଟ ଗର୍ଭଗୃହ ଦ୍ୱାର ନିକଟରେ ବାସ୍ତୁ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି କାର୍ଯ୍ୟ ଅନୁକୂଳ କରାଯାଇଥିଲା। ୨୦୨୩ ଜାନୁଆରି ୩ରୁ ବାଲିକଢ଼ା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ହେଲେ କୌଣସି କାରଣକୁ ନେଇ ଏହା ବନ୍ଦ ହୋଇଯାଇଥିଲା ।

Leave A Reply

Your email address will not be published.