Latest Odisha News

BREAKING NEWS

କେରାଣ୍ଡି ଖାଇବାକୁ ଯାଇ ବନିଶୀ କଣ୍ଟା ରେ ଫସିଲା ପାଣିକୁଆ

ପୁରୀ: କେରାଣ୍ଡି ମାଛ ଖାଇବାକୁ ଯାଇ ବନିଶୀ କଣ୍ଟାରେ ଫସିଲା ପାଣିକୁଆ । କେହି ଜଣେ ବ୍ୟକ୍ତି ମାଛ ଧରିବା ଆଶାରେ ପାଣି ଭିତରେ ପକାଇଥିବା ବନିଶୀରେ ପାଣିକୁଆର ଥଣ୍ଟ ଲାଗିଯିବାରୁ ଦୀର୍ଘ ସମୟ ଧରି ଛଟପଟ ହେଉଥିଲା ପାଣିକୁଆ । ଖବର ପାଇ ସ୍ନେକ ହେଲ୍ପ ଲାଇନର କର୍ମଚାରୀ ସେଠାରେ ପହଞ୍ଚି ସୁରକ୍ଷୀତ ଭାବରେ ପାଣିକୁଆକୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ତେଇଶିପୁର ଗ୍ରାମରେ ।

ସୂଚନା ଅନୁସାରେ, ତେଇଶିପୁର ଗ୍ରାମର ନିରଞ୍ଜନ ସେଠୀ ନାମକ ଜଣେ ଯୁବକ ଯାଉଥିବା ସମୟରେ ନିକଟରେ ଥିବା ଏକ ଜୋର ଭିତରେ ଏକ ପାଣିକୁଆ ଛଟପଟ ହେଉଥିବା ଦେଖିଥିଲେ । ନିରେଖି ଦେଖିବାରୁ ପକ୍ଷୀ ଟିର ଥଣ୍ଟ ଏକ ବନିଶୀ କଣ୍ଟା ରେ ଲାଖିଥିବା ଜାଣି ପାରିଲେ ନିରଞ୍ଜନ । ଏନେଇ ସଙ୍ଗେ ସଙ୍ଗେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରାଙ୍କୁ ଖବର ଦେଇଥିଲେ ନିରଞ୍ଜନ । ଘଟଣା ସ୍ଥଳରେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ପହଞ୍ଚି ପାଣି ଭିତରୁ ପାଣିକୁଆକୁ ପ୍ରଥମେ ଉପରକୁ ଆଣିଥିଲେ । ନିରଞ୍ଜନ ଙ୍କ ସହାୟତାରେ ସୁଶାନ୍ତ ବନଶିକଣ୍ଟାରେ ଲାଗିଥିବା ପ୍ଲାଷ୍ଟିକ ଡୋରକୁ କାଟିବା ପରେ ଓଲଟା ପଟେ ଧୀରେ ଧୀରେ କଣ୍ଟାଟିକୁ ପାଣିକୁଆଟିର ଥଣ୍ଟରୁ ବାହାର କରିଦେଇଥିଲେ ।

ବାହାର କରିବା ପରେ କେଇ ସେକେଣ୍ଡ ହାତ ଉପରେ ସ୍ଥିର ହୋଇ ବସି ଶେଷରେ ଡେଣା ମେଲାଇ ଉଡ଼ିଯାଇଥିଲା ପାଣିକୁଆଟି । ଏନେଇ ସୁଶାନ୍ତ କହିଛନ୍ତି “ସ୍ଥାନୀୟ କେହି ବ୍ୟକ୍ତି ଶେଉଳ ମାଛ ଧରିବା ପାଇଁ ବନଶି କଣ୍ଟା ରେ କେରାଣ୍ଡି ମାଛ ଗୁନ୍ଥି ସେଇ ଜୋର ରେ ପକେଇ ଥିଲା । ସେଇ କେରାଣ୍ଡି ମାଛ ଟିକୁ ଖାଇବାକୁ ଯାଇ ପାଣି କୁଆ ଟିର ତଳପଟ ଥଣ୍ଟରେ କଣ୍ଟା ଟି ଗଳି ଯାଇଥିଲା” । ସ୍ନେକ୍ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ” ପାଣିକୁଆ ଟି ମୋଟା ପ୍ଲାଷ୍ଟିକ ଡୋର ଟିକୁ ଛିଣ୍ଡେଇ ନିଜେ ନିଜେ ମୁକ୍ତ ହେବା ଅସମ୍ଭବ ଥିଲା । ଏଣୁ, କମ୍ ଦିନରେ ଖାଦ୍ୟ ଗ୍ରହଣ କରି ନପାରି ତାର ମୃତ୍ୟୁ ହୋଇଥାଆନ୍ତା । ଅନ୍ୟ ଶିକାରୀ ପକ୍ଷୀ ବା ସ୍ତନ୍ୟପାୟୀ ମାନେ ମଧ୍ୟ ପାଣିକୁଆଟିକୁ  ଆକ୍ରମଣ କରିବା ପାଇଁ ସୁଯୋଗ ପାଇଥାନ୍ତେ । ତେବେ ଯିଏ ବି ପାଣି କୁଆକୁ ଗିଳିବା ପାଇଁ ଚେଷ୍ଟା କରିଥାନ୍ତା, ବନଶି କଣ୍ଟା ଟି ତା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରି ଥାନ୍ତା” ।

Leave A Reply

Your email address will not be published.