ଭୁବନେଶ୍ୱର: ଆଜି ଆସିବ ମୋହନ ସରକାରଙ୍କ ଦ୍ବିତୀୟ ବଜେଟ୍। ସଂଧ୍ୟାରେ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଣ ଆସିବ ନୂଆ ଯୋଜନା। ପୂର୍ବ ଫ୍ଲାଗସିପ୍ ଯୋଜନାକୁ କେତେ ଅର୍ଥ ମିଳିବ। ଏ ଆକଳନ ଆରମ୍ଭ ହୋଇଛି। ସେପଟେ ଅର୍ଥନୀତି ସର୍ଭେ ରିପୋର୍ଟରେ, ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ କମିଛି ରାଜ୍ୟର ଜିଡିପି ଓ ଶିଳ୍ପ ଅଭିବୃଦ୍ଧି।
ଏଭଳି ସ୍ଥିତିରେ କେଉଁ ଦିଗକୁ ଗୁରୁତ୍ବ ଦେବେ ମୋହନ ସରକାର। ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ସାମଜିକ ସୁରକ୍ଷା ସହ ଭିତ୍ତିଭୂମିକୁ ନେଇ ବଜେଟରେ କଣ ବ୍ୟବସ୍ଥା ରହିବ । ତା ଉପରେ ସମସ୍ତଙ୍କ ନଜର। ଏଥର ପରିମାଣ ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା ରହିଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦୃତ ଅଭିବୃଦ୍ଧି ନେଇ ଆକଳନ ପରେ, ଏଥର ରାଜ୍ୟ ବଜେଟର ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ଏମିତି କି ମୋହନ ସରକାର ଅନେକ ନୂଆ ଯୋଜନା ଆଣିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦେଇପାରନ୍ତି ସରକାର।
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍ବତନ୍ତ୍ର ଅନୁଦାନ ସହ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ସ୍ବତନ୍ତ୍ର ବ୍ୟୟବରାଦ ହୋଇପାରେ। ସେହିପରି ସୁଭଦ୍ରା ଯୋଜନାରେ ୧ କୋଟି ମହିଳାଙ୍କ ପାଇଁ ଅଧିକ ଅନୁଦାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁଦାନ ବୃଦ୍ଧି ହୋଇପାରେ।
ଗତ ବଜେଟରେ ସୁଭଦ୍ରା, ସମୃଦ୍ଧ କୃଷି ଯୋଜନା, ମାଧୋ ସିଂ ହାତ ଖର୍ଚ୍ଚ ଭଳି ନୂଆ ଯୋଜନା ହୋଇଥିଲେ। ସୁଭଦ୍ରା ଯୋଜନ ପାଇଁ ୧୦ ହଜାର କୋଟି ଟଙ୍କା , ସମୃଦ୍ଧ କୃଷି ଯୋଜନ ପାଇଁ ୫ ହଜାର କୋଟି ଟଙ୍କା ଓ ମାଧୋ ସିଂ ହାତ ଖର୍ଚ୍ଚ ପାଇଁ ୧୫୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଆବଣ୍ଟିତ ହୋଇଥିଲା ୫ ହଜାର ୪୫୦ କୋଟି ଟଙ୍କା। ଏଥର ଏହି ଯୋଜନା ପାଇଁ ବଜେଟରେ କଣ ବ୍ୟବସ୍ଥା ରହିବ, ତା ଉପରେ ସମସ୍ତଙ୍କର ନଜର।
Comments are closed.