ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଜୀବନଧାରଣର ମାନ ବୃଦ୍ଧି ଏବଂ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର । କେବଳ ଭୁବନେଶ୍ୱର କିମ୍ବା କଟକ ନୁହେଁ, ବରଂ ଓଡ଼ିଶାର ସମସ୍ତ ପୌରାଞ୍ଚଳରେ (ULBs) ଥିବା ପାର୍କଗୁଡ଼ିକର ସୌନ୍ଦର୍ଯ୍ୟକରଣ ଏବଂ ସାମଗ୍ରିକ ଉନ୍ନତି ପାଇଁ ଏକ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି, ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ତାଙ୍କର ନିକଟ ଅତୀତର ଇନ୍ଦିରା ଗାନ୍ଧୀ (ଆଇ.ଜି) ପାର୍କ ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ । ପାର୍କର ଦୁରାବସ୍ଥା ଦେଖି ସେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ଅନେକ ସହରାଞ୍ଚଳରେ ପାର୍କଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳା ଓ ଭିତ୍ତିଭୂମିର ଅବକ୍ଷୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।
ସାମାଜିକ ଓ ସାଂସ୍କୃତିକ ସମ୍ପତ୍ତି: ମନ୍ତ୍ରୀ କହିଛନ୍ତି ଯେ, ପାର୍କଗୁଡ଼ିକ କେବଳ ମନୋରଞ୍ଜନର ସ୍ଥାନ ନୁହେଁ, ଏହା ସହରର ସାମାଜିକ, ପରିବେଶ ଏବଂ ସାଂସ୍କୃତିକ ପରିଚୟ । ଏହା ନାଗରିକଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ସହ ସିଧାସଳଖ ଜଡ଼ିତ । ପ୍ରତିମୂର୍ତ୍ତିର ସମ୍ମାନ ପାର୍କରେ ସ୍ଥାପିତ ବିଶିଷ୍ଟ ବ୍ୟକ୍ତି ଓ ଐତିହାସିକ ଜନନାୟକଙ୍କ ପ୍ରତିମୂର୍ତ୍ତିଗୁଡ଼ିକର ଯତ୍ନ ନେବାକୁ ସେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଏଥିରେ ଅବହେଳା ଜନସାଧାରଣଙ୍କ ଭାବନା ଏବଂ ସାଂସ୍କୃତିକ ଐତିହ୍ୟ ପ୍ରତି ଅସମ୍ମାନ ବୋଲି ସେ କହିଛନ୍ତି ।
କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀ ଏବଂ ସଂସ୍ଥା ବିରୋଧରେ କଠୋର ଶୃଙ୍ଖଳାଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁଠି ତ୍ରୁଟି ପରିଲକ୍ଷିତ ହେବ, ସେଠାରେ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇ ଦଣ୍ଡବିଧାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ପାର୍କଗୁଡ଼ିକର ପୁନରୁଦ୍ଧାର ପାଇଁ ସ୍ପଷ୍ଟ ସମୟସୀମା ଓ ଗୁଣବତ୍ତା ବଜାୟ ରଖିବାକୁ ସମସ୍ତ ପୌରାଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଉପରଠାଉରିଆ ସଜବାଜ ନୁହେଁ, ବରଂ ସ୍ଥାୟୀ ଉନ୍ନତି ପାଇଁ ନିୟମିତ ଯାଞ୍ଚ ଓ ବଜେଟ୍ ବ୍ୟବସ୍ଥା କରିବାକୁ ସେ କହିଛନ୍ତି ।
ଓଡ଼ିଶାର ସହରଗୁଡ଼ିକୁ ସ୍ୱଚ୍ଛ, ସବୁଜ ଏବଂ ନାଗରିକ-ଅନୁକୂଳ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଏହି ପରିପ୍ରେକ୍ଷୀରେ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ତୁରନ୍ତ ଏହି ନିର୍ଦ୍ଦେଶାବଳୀକୁ ମିଶନ-ମୋଡ୍ରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।