Latest Odisha News

BREAKING NEWS

ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍କରା’ର ଟ୍ରେଲର

ଭୁବନେଶ୍ଵର: ରିଲିଜ ହେଲା ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍କରା’ର ଟ୍ରେଲର । ଦୀର୍ଘ ୨ ବର୍ଷ ପରେ ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ ‘ପୁଷ୍କରା’ ସହ ବଡ଼ ପରଦାରେ ନଜର ଆସିବେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଗଣେଶ ପୂଜାରେ ରିଲିଜ ହେବ ଏହି ଫିଲ୍ମ । ପ୍ରଥମେ ଏହି ଫିଲ୍ମର ସମସ୍ତ ପ୍ରଥମ ଲୁକ୍, ମୋସନ ପୋଷ୍ଟର ରିଲିଜ ହୋଇସାରିଥିବା ବେଳେ ବର୍ତ୍ତମାନ ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସୋସିଆଲ ମିଡିଆରେ ସବ୍ୟସାଚୀ ମିଶ୍ର ଫିଲ୍ମର ଟ୍ରେଲରକୁ ରିଲିଜ କରିଛନ୍ତି ।

ସବ୍ୟସାଚୀ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, “ଓଡ଼ିଆ ଉପନ୍ୟାସରୁ ଓଡ଼ିଆ ସିନେମା । କେମିତି ଲାଗିଲା ଜଣାନ୍ତୁ, ଏବଂ ଭଲ ଲାଗିଲେ ସେୟାର କରିବେ। ଆପଣଙ୍କ ପୁଷ୍କରା ।” ଫିଲ୍ମର ଟ୍ରେଲରରେ ସବ୍ୟସାଚୀଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଥିବା ବେଳେ ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ ଏବଂ ଅଭିନେତା ଅଶ୍ରୁମୋଚନ, ଅଭିନେତ୍ରୀ ସୁପ୍ରିୟା ନାୟକଙ୍କ ଝଲକ ଦେଖିବାକୁ ମିଳିଛି । ତେବେ ଟ୍ରେଲର ସେୟାର ହେବାର ମାତ୍ର ୨୦ ମିନିଟ ଭିତରେ ୨୦୦୦ରୁ ଅଧିକ ଲାଇକ୍‌ ମିଳି ସାରିଲାଣି ।

ତରଙ୍ଗ ସିନେ ପ୍ରଡକ୍ସନ୍ସ ଓ ଆର୍.ଆର୍. ଇଭେଣ୍ଟ୍ସ ଆଣ୍ଡ ପ୍ରମୋସନସର ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଶୁଭ୍ରାଂଶୁ ଦାସ ଦେଇଥିବା ବେଳେ କାହାଣୀ ଓ ସଂଳାପ ଲେଖିଛନ୍ତି ଶଙ୍କର ତ୍ରିପାଠୀ । ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପାଗଳ ପ୍ରେମୀ ଫେମ୍ ସବ୍ୟସାଚୀ ମିଶ୍ର। ସାହିତ୍ୟରୁ ସିନେମା ହୋଇଥିବା ‘ପୁଷ୍କରା’ ଔପନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ରଚିତ ଏକ ଉପନ୍ୟାସ । ୨୦୦୦ ମସିହାରେ ଏହି ଉପନ୍ୟାସ ପ୍ରକାଶ ପାଇବା ପରେ ଅନେକ ପାଠକୀୟ ଆଦୃତି ସାଉଁଟିଥିଲା। ଏହାପରେ ଔପନ୍ୟାସିକ ଶଙ୍କର ତ୍ରିପାଠୀ ଏହାକୁ ଫିଲ୍ମର ରୂପ ଦେବାକୁ ଚେଷ୍ଟା କରିଥିଲେ । ପୁରୀର ହଜିଯାଉଥିବା ଏକ କୌଳିକ ବୃତ୍ତିକୁ ନେଇ ଫିଲ୍ମଟି ଆଧାରିତ ।

Leave A Reply

Your email address will not be published.