Latest Odisha News

BREAKING NEWS

ଅରିନ୍ଦମଙ୍କ ଅଭିନୀତ ସିନେମା “ରାମ୍”ରେ ନଜର ଆସିବେ ବଲିଉଡର ରାହୁଲ୍ ଦେବ୍

ଭୁବନେଶ୍ୱର: ଅନେକ ଦିନର ବ୍ୟବଧାନ ପରେ ଓଡ଼ିଆ ସିନେମା ଜଗତକୁ କମ୍‌ବ୍ୟାକ୍ କରୁଛନ୍ତି ଓଲିଉଡ୍ ସୁପରଷ୍ଟାର ଅରିନ୍ଦମ୍ । ଆଗାମୀ ଦଶହରାରେ ତାଙ୍କୁ ଏକ ଭିନ୍ନ ଚରିତ୍ର ‘ରାମ୍‌’ ଅବତାରରେ ଦେଖିବାକୁ ମିଳିବ । ଶେଷଥର ପାଇଁ ୨୦୨୦ ମସିହା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିଥିବା ତାପସ୍ ସରଘରିଆ ନିର୍ଦ୍ଦେଶିତ ସିନେମା ‘ବାବୁ ଭାଇଜାନ୍’ରେ ତାଙ୍କୁ ଦେଖିବାକୁ ମିଳିଥିଲା । ସେବେଠାରୁ ପ୍ରଶଂସକମାନେ ତାଙ୍କ ସିନେମାକୁ ଚାତକ ପରି ଚାହିଁ ରହିଥିବା ବେଳେ, ଆଗାମୀ ଦଶହରାରେ ଓଲିଉଡ଼ ଦର୍ଶକଙ୍କୁ ସେ ଏକ ନୂଆ ସିନେମା ଭେଟି ଦେବାକୁ ଯାଉଛନ୍ତି । ଏହି ସିନେମାରେ ତାଙ୍କର ନୂଆଲୁକ୍ ସାଙ୍ଗକୁ ନୂଆ କାହାଣୀ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିବ ବୋଲି ଆଶା କରାଯାଉଛି ।

ରତ୍ନା ଫିଲ୍ମସ୍ ବ୍ୟାନରର ଚତୁର୍ଥ ଅବଦାନ ତଥା ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ଚଳଚ୍ଚିତ୍ର ସୁଟିଂ ସମୟରୁ ହିଁ ଇତିହାସ ସୃଷ୍ଟି କରିଛି । ଏକା ସାଙ୍ଗରେ ଦୁଇଟି ୟୁନିଟରେ ସୁଟିଂ ଚାଲିଥିବା ବେଳେ ୬ଟି କ୍ୟାମେରାରେ ସୁଟିଂ ହେଉଛି, ଯାହା ଓଲିଉଡ୍ ପାଇଁ ନିଶ୍ଚିତ ଭାବେ ନୂଆ କଥା । ଗୋଟିଏ ୟୁନିଟରେ ଫାଇଟ୍ ସିନ୍ ଏବଂ ଦ୍ଵିତୀୟ ୟୁନିଟରେ ବଲିଉଡ୍ ଅଭିନେତା ରାହୁଲ ଦେବଙ୍କ ସିନ୍ ସୁଟିଂ ହେଉଛି । କିଛିଦିନ ତଳେ ଚଳଚ୍ଚିତ୍ରର ନାଁ ‘R. A. M’ (ରାମ) ରଖାଯାଇଥିବା ଖବର ସୋସିଆଲ ମିଡ଼ିଆରେ ବେଷ୍ ଚର୍ଚ୍ଚାର ବିଷୟ ଥିଲା । ଏହି ସିନେମାରେ ବଲିଉଡ୍ ଅଭିନେତା ରାହୁଲ୍ ଦେବଙ୍କ ଧମାକାଦାର ଏଣ୍ଟ୍ରି ଓଡିଆ ଚଳଚ୍ଚିତ୍ରପ୍ରେମୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କୁହାଯାଉଛି ।

ଅଶୋକ ପତି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ରହିଥିବା ବେଳେ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱ ବହନ କରିଛନ୍ତି ଭାରଦ୍ୱାଜ ପଣ୍ଡା । ସିନେମାଟି ଦଶହରାରେ ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ବେଳେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହାର ସୁଟିଂ ଚାଲିଛି । ଗୀତ ଗୁଡିକର ରେକର୍ଡିଂ ଶେଷ ହୋଇଯାଇଥିବା ବେଳେ ଅସାଦ୍ ନିଜାମ୍ ଓ ଲିଙ୍କନଙ୍କ ଦମଦାର ମ୍ୟୁଜିକ୍ ଦଶହରା ମାହୋଲକୁ ସରଗରମ କରିବ ବୋଲି ଆଶା କରାଯାଉଛି । ଅରିନ୍ଦମଙ୍କ କମବ୍ୟାକକୁ ନେଇ ଓଲିଉଡ୍ ପ୍ରେମିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ‘ରାମ୍’ ଚଳଚ୍ଚିତ୍ରଟି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଥିବାରୁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.