ନୂଆଦିଲ୍ଲୀ: ଦୈନନ୍ଦିନ କାର୍ଯ୍ୟଗୁଡିକ ସଠିକ୍ ଭାବରେ କରିବା ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ ଏବଂ ମିନେରାଲ୍ସ ନିହାତି ଆବଶ୍ୟକ । ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କାର୍ବସ୍ ଏବଂ ଭଲ ଫ୍ୟାଟ୍ ଆବଶ୍ୟକ ହୋଇଥାଏ । ଏଗୁଡିକ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଯାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ଆମ ଶରୀରରେ ଇନ୍ଧନ ପରି କାମ କରେ । ଯଦି କୈଣସି ପୋଷକ ତତ୍ତ୍ୱର ଅଭାବ ଥାଏ, ତେବେ ଶରୀରରେ ଅନେକ ପ୍ରକାରର ସମସ୍ୟା ଉପୁଜିପାରେ ।
ଆମ ଶରୀର ପାଇଁ ଭିଟାମିନ୍ ‘ବି-କମ୍ପ୍ଲେକ୍ସ’ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିରେ କେବଳ ଭିଟାମିନ୍ B12 ନୁହେଁ ମୋଟ ୮ ପ୍ରକାରର ଭିଟାମିନ୍ ଥାଏ । ଯେଉଁଥିରେ ଭିଟାମିନ୍ B1, ଭିଟାମିନ୍ B2, ଭିଟାମିନ୍ B3, ଭିଟାମିନ୍ B5, ଭିଟାମିନ୍ B6, ଭିଟାମିନ୍ B7, ଭିଟାମିନ୍ B9 ଏବଂ ଭିଟାମିନ୍ B12 ଅନ୍ତର୍ଭୁକ୍ତ । ଏହି ସମସ୍ତ ଭିଟାମିନ୍ ଶରୀରର ବିଭିନ୍ନ ଅଙ୍ଗକୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ ।
ଭିଟାମିନ୍ B1 (ଥିଓମେନ୍)- ଭିଟାମିନ୍ B1 ଶରୀରରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିଥାଏ । ଫ୍ୟାଟି ଏସିଡ୍ ତିଆରି ପାଇଁ ମଧ୍ୟ ଏହା ଆବଶ୍ୟକ ହୋଇଥାଏ । ମସ୍ତିଷ୍କ କୁ ସୁସ୍ଥ ରଖିବାରେ ଏବଂ ନ୍ୟୁରୋଟ୍ରାନ୍ସମିଟର କୁ ଠିକ ରଖିବାରେ ମଧ୍ୟ ସାହାଯ୍ୟ କରେ । ଭିଟାମିନ୍ B1 ଡାଲି, ମକ୍କା, ସୋରିଷ, ଜଅ, ଗହମ, ବାଦାମ ଏବଂ ମଞ୍ଜିରେ ମିଳିଥାଏ ।
ଭିଟାମିନ୍ B2 (ରିବୋଫ୍ଲେବିନ)- ଶରୀରରେ ଶକ୍ତି ବୃଦ୍ଧି ଏବଂ ଆଖିକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ B2 ଅତ୍ୟନ୍ତ ଜରୁରୀ । ଏହା ଦ୍ୱାରା ସ୍ନାୟୁ ରୋଗ ଭଲ ହୋଇପାରେ । ଭିଟାମିନ୍ B2 ମଧ୍ୟ ହାର୍ଟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଦୁଗ୍ଧଜାତ ଦ୍ରବ୍ୟ ଯେପରି କ୍ଷୀର, ଦହି, ପନିର ଏବଂ ଅଣ୍ଡା ଓ ସବୁଜ ପନିପରିବା ଦ୍ୱାରା ଶରୀରରେ ଭିଟାମିନ୍ B2 ର ଅଭାବ କୁ ପୁରା କରିଥାଏ ।
ଭିଟାମିନ୍ B3 (ନାୟସିନ୍)- ଆଣ୍ଟି-ଏଜିଂ ଏଜେଣ୍ଟ ଭାବରେ କାମ କରିଥାଏ ଏହି ଭିଟାମିନ୍ । ଶରୀରରେ ପ୍ରୋଟିନ୍, ଫ୍ୟାଟ୍ ଏବଂ କାର୍ବସ୍ ର ସନ୍ତୁଳନ ବଜାୟ ରଖେ । ହଜମ ପ୍ରକ୍ରିୟା ଏବଂ ସ୍ନାୟୁ ପ୍ରଣାଳୀକୁ ମଧ୍ୟ ମଜବୁତ କରିଥାଏ । ଗହମ, ଛତୁ, ମଟର, ଅଣ୍ଡା, ମାଛ ଏବଂ ଏବୋକାଡୋରେ ଭିଟାମିନ୍ B3 ମିଳିଥାଏ ।
ଭିଟାମିନ୍ B5 (ପେଣ୍ଟୋଥେନିକ୍ ଏସିଡ୍)- ଭିଟାମିନ୍ B5 ଶରୀରରେ ପ୍ରୋଟିନ୍, କାର୍ବସ୍ ଏବଂ ଫ୍ୟାଟ୍ ମେଟାବୋଲାଇଜ୍ କରିବାରେ ସାହାଯ୍ୟ କରେ । ଭିଟାମିନ୍ B5 ଛତୁ, ଅଣ୍ଡା, ମିଠା ଆଳୁ, ଡାଲି, ବାଦାମ, କଦଳୀ, ଏବୋକାଡୋ ଏବଂ ମଟନ୍ ରେ ମିଳିଥାଏ ।
ଭିଟାମିନ୍ B6 (ପାଇରିଡାକ୍ସିନ୍) – ବ୍ଲଡ୍ ହେଲଥ୍ ରେ ଉନ୍ନତି ଆଣିବା ଏବଂ ଲାଲ ରକ୍ତ କଣିକା ଗଠନ, ହେମୋଗ୍ଲୋବିନ ବୃଦ୍ଧି ପାଇଁ ଭିଟାମିନ୍ B6 ଅତ୍ୟନ୍ତ ଜରୁରୀ । ଛେନା, ଆଳୁ, ମାଛ, ଶସ୍ୟ ଏବଂ ସୋୟାବିନରେ ଭିଟାମିନ୍ B6 ପ୍ରଚୁର ମାତ୍ରାରେ ଥାଏ ।
ଭିଟାମିନ୍ B7 (ବାୟୋଟିନ୍) – ଓଜନ ହ୍ରାସ ଏବଂ ଚର୍ବି ହ୍ରାସ କରିବା ପାଇଁ ଭିଟାମିନ୍ B7 ଅତ୍ୟନ୍ତ ଜରୁରୀ । ଏହା ମେଟାବୋଲିଜିମ୍ କୁ ଶକ୍ତିଶାଳୀ କରିଥାଏ । ଭିଟାମିନ୍ B7 ଛତୁ, ଅଣ୍ଡା କେଶର, ସ୍ଲୈମନ ମାଛ, ବାଦାମ, ପାଲଙ୍ଗ ଶାଗ, କଦଳୀ, ସେଓ ଓ ବିନ୍ସରେ ମିଳିଥାଏ ।
ଭିଟାମିନ୍ B9 (ଫୋଲେଟ୍) – ଏହାକୁ ଫୋଲିକ୍ ଏସିଡ୍ ମଧ୍ୟ କୁହାଯାଏ । ଗର୍ଭାବସ୍ଥାରେ ଶିଶୁର ବିକାଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେଶ ଝଡିବା ଏବଂ କର୍କଟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଶରୀରରେ ଫୋଲେଟ୍ ଅଭାବକୁ ଅଣ୍ଡା, ପାଳଙ୍ଗ ଶାଗ, ପତ୍ରଯୁକ୍ତ ଶାଗ, କଦଳୀ, ବିନ୍ସ, ଡାଲି ଜାତୀୟ ଖାଦ୍ୟ, ବ୍ରୋକୋଲି ଆଦି ଦ୍ୱାରା ଦୂର କରାଯାଇପାରେ ।
ଭିଟାମିନ୍ B12 (କୋବାଲାମିନ୍)- ସ୍ନାୟୁ ପ୍ରଣାଳୀ ଏବଂ ରକ୍ତ ସଞ୍ଚାଳନ ବ୍ୟବସ୍ଥାକୁ ଫିଟ୍ ରଖିବା ପାଇଁ ଭିଟାମିନ୍ B12 ଏକାନ୍ତ ଆବଶ୍ୟକ । କୋଷଗୁଡିକ ସକ୍ରିୟ କରିବାରେ ଭିଟାମିନ୍ B12 ସାହାଯ୍ୟ କରେ । ଶରୀରରେ ଏହି ଭିଟାମିନ୍ ଅଭାବକୁ ପନିର, କ୍ଷୀର, ମାଂସ, କଦଳୀ, କାଜୁ ବାଦାମ, ରାଶି ଏବଂ ବ୍ରୋକୋଲି ଦ୍ୱାରା ଦୂର କରାଯାଇପାରେ ।
Comments are closed.