Latest Odisha News

୪୫୬ଟି ଥାନାରେ ଅଚଳ, ୧୩ ଥାନାରେ ନାହିଁ ସିସିଟିଭି

ଭୁବନେଶ୍ବର: ଆଜି ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ହୋଇଛି । ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଛନ୍ତି ଏଡିଜି ଦୟାଲ ଗଙ୍ଗଓ୍ବାର୍ । ସେ କହିଛନ୍ତି ରାଜ୍ୟର ୪୫୬ଟି ଥାନାରେ ସଠିକ ଭାବେ କାମ କରୁନି ସିସିଟିଭି । ସେହିପରି ୧୩ଟି ଥାନାରେ ସିସିଟିଭି ଆଦୌ ନଥିବା ହାଇକୋର୍ଟଙ୍କୁ ଜଣାଇଛନ୍ତି ଏଡିଜି ଦୟାଲ ଗଙ୍ଗୱାର୍‌ ।

ତେବେ ୧୫ ଦିନ ଭିତରେ୧୩ଟି ଥାନାରେ ସିସିଟିଭି ଲଗାଯିବ ବୋଲି ଏଡିଜେ କୋର୍ଟଙ୍କୁ ଜଣାଇଛନ୍ତି । ୧୫ ଦିନରେ ସବୁ ଥାନାର ସିସିଟିଭି କନେକସନ୍ ଏସପି ଅଫିସ୍ ରେ ରହିବ । ଏହାଦ୍ବାରା ଏସପି ନିଜେ ସବୁ ଥାନାର ସ୍ଥିତି ବିଷୟରେ ଅବଗତ ହୋଇପାରିବେ ।

ଭରତପୁର ମାମଲା ପରେ ହାଇକୋର୍ଟ ରାଜ୍ୟର କେତୋଟି ଥାନାରେ ସିସିଟିଭି ଅଛି କି ନାହିଁ ସେନେଇ ସରକାରଙ୍କୁ ଜବାବ ତଲବ କରିଥିଲେ । ପରେ ଯେଉଁ ସବୁ ଥାନାରେ ସିସିଟଭି ନାହିଁ ସେହି ଥାନା ଗୁଡ଼ିକରେ ସିସିଟିଭି ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପଟେ, ସେନା ଅଧିକାରୀଙ୍କୁ ଥାନାରେ ପୋଲିସ ବ୍ୟବହାର ନେଇ ଏସଓପି ଜାରି ହେବ ବୋଲି ଏଡିଜେ ସୂଚନା ଦେଇଛନ୍ତି । ନଭେମ୍ବର ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଯୋଗ୍ୟ, ଭରତପୁର ଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯାଇଥିଲା । ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ସମୟରେ ଆଦର୍ଶ ଥାନା କୁହାଯାଉଥିବା ଭରତପୁର ଥାନାରେ ସିସିଟିଭି ନଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.