Latest Odisha News

BREAKING NEWS

ବିଜେପିର ଦରକାର ଆଦିବାସୀ ଭୋଟ !

ଭୁବନେଶ୍ୱର: ବିଜେପି ଫୋକସରେ ଆଦିବାସୀ ଓ ଆଦିବାସୀ ବହୁଳ ଅଞ୍ଚଳ। ସମୟ ଅନୁଯାୟୀ ଲୋକେ ଯେତେ ଅତ୍ୟାଧୁନିକ ହେଲେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବିଶେଷ ଆଗକୁ ଯାଇପାରିନାହାନ୍ତି। ଆଜି ବି ବହୁ ଆଦିବାସୀ ବହୁଳ ଅଞ୍ଚଳ ଅପହଞ୍ଚ।

କିନ୍ତୁ ସେମାନଙ୍କୁ ବିଭିନ୍ନ ରାଜନୈତିକ ଦଳ ଫୋକସ କରିଥାନ୍ତି। ପୂର୍ବରୁ ଆଦିବାସୀ ଲୋକେ କଂଗ୍ରେସ ବା ହାତ ଚିହ୍ନକୁ ବହୁଳ ଭାବେ ଭୋଟ ଦେଉଥିବା ବେଳେ ଏବେ ଟ୍ରେଣ୍ଡରେ ପରିବର୍ତ୍ତନ ହୋଇଛି। ଏହି କ୍ରମରେ ବିଜେପି ଦେଶର ଆଦିବାସୀ ଭୋଟ ଉପରେ ଅଧିକ ଗୁରୁତ୍ବ ଦେଉଥିବା ଦେଖାଯାଇଛି।

ବିଶେଷ କରି ଓଡିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ଉପରେ ବିଜେପିର ନଜର ଥିବା ଆଲୋଚନା ହେଉଛି। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଉପରେ ବିଜେପି ଶୀର୍ଷ ନେତୃତ୍ୱଙ୍କ ନଜର ଥିବା କୁହାଯାଉଛି। ସେଥିପାଇଁ ମୟୁରଭଞ୍ଜ ଜିଲ୍ଲାର ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦରେ ଆସୀନ କରିବା ହେଉ କିମ୍ବା ମୟୁରଭଞ୍ଜରେ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଯୋଜନା। ଏ ସବୁ ପଦକ୍ଷେପ ଯୋଗୁ ଆଦିବାସୀଙ୍କୁ ବିଜେପି ସରକାର ସବୁଠୁ ଅଧିକ ଗୁରୁତ୍ୱ ଦେଉଥିବା ବାର୍ତା ଯାଉଛି।

ଓଡ଼ିଶାରେ ପ୍ରଥମ ଟ୍ରାଇବାଲ ୟୁନିଭରସିଟି ମୟୁରଭଞ୍ଜରେ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି। ସେଥିପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ଇନ୍ଦିରା ଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଏକ ଟିମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷେତ୍ର ଦେଖିଥିବା କୁହାଯାଉଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର।

ଏପରିକି ଦ୍ରୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ମଧ୍ୟ କରାଯାଇଥିଲା। ଖାଲି ସେତିକି ନୁହେଁ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୟୁରଭଞ୍ଜକୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଉଛି। ପୂର୍ବ ନିର୍ବାଚନରେ ବିଜେପି ମୟୁରଭଞ୍ଜ ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିଲା। ଯାହାକୁ ନେଇ ରାଜ୍ୟର ଶାସକ ବିଜେଡିର ଚିନ୍ତା ବଢିବା ସହ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସେଠାକାର ଦାୟିତ୍ୱ ଦିଆଯାଇଥିଲା।

ଏପରିକି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ରାଷ୍ଟ୍ରପତି କରିବା ଓ ବିଶ୍ୱଶ୍ୱର ଟୁଡୁଙ୍କୁ କେନ୍ଦ୍ରରେ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ କରିବା ଆଦି ବିଜେପିର ଆଦିବାସୀ ଫୋକସ ରଣନୀତିକୁ ସୁଚାଉଛି ବୋଲି ଚର୍ଚ୍ଚା ହେଉଛି।

ଆଦିବାସୀ ଵର୍ଗ ଦେଶରେ ବହୁ ସଂଖ୍ୟାରେ ଥିବାବେଳେ ସେମାନେ ଅତ୍ୟନ୍ତ ସରଳ ଓ ବିଶ୍ୱାସୀ। ସେମାନେ ଯାହାକୁ ଥରେ ବିଶ୍ୱାସ କଲେ ହଠାତ ବିଶ୍ୱାସ ତୁଟାନ୍ତି ନାହିଁ। ତେଣୁ ଏହି ଭୋଟ ବ୍ୟାଙ୍କକୁ ନିଜ ହାତମୁଠାକୁ ନେବାକୁ ବିଭିନ୍ନ ସମୟରେ ଉଦ୍ୟମ ହୁଏ।

ଏପରିକି ବିଜେପିର ଆଦିବାସୀ ଫୋକସ ନୀତି ଦେଖି ବିଜେଡି ମଧ୍ୟ ସଜାଗ ହୋଇଛି। ସ୍ୱତନ୍ତ୍ର ବିକାଶ ପରିଷଦକୁ ଅଧିକ କ୍ରିୟାଶୀଳ କରି ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳର ବିକାଶ ଦିଗରେ ଧ୍ୟାନ ଦେଉଛି ଶାସକ ଦଳ। ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ଏହାର ଉପଦେଷ୍ଟା ଭାବେ ନିୟୋଜିତ କରି ଦଳ ଆଦିବାସୀଙ୍କୁ ନିଜ ସପକ୍ଷରେ ରଖିବାକୁ ଉଦ୍ୟମ କରୁଛି। ତେଣୁ ଏହି ଲଢେଇ ମଧ୍ୟରେ କିଏ ଅଧିକ ଆଦିବାସୀଙ୍କ ସମର୍ଥନ ପାଇବ ତା ଉପରେ ନଜର।

Leave A Reply

Your email address will not be published.