ଭୁବନେଶ୍ବର: ବଦଳିଲା ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା । ଏଣିକି ୩୦ ନୁହେଁ ୨୪ ରଖିଲେ ପାସ୍ । । କାରଣ ଏବେ ଆଉ ୧୦୦ ମାର୍କର ପରୀକ୍ଷା ନହୋଇ ସବୁ ବିଷୟରୁ ୮୦ ମାର୍କର ପରୀକ୍ଷା ହେବ । କିଛି ଏମିତି ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । କଳା, ବିଜ୍ଞାନ ଏବଂ ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ପ୍ରଶ୍ନପତ୍ର ବଦଳାଇ କିଛି ଏମିତି ଘୋଷଣା କରଛି ।
ତେବେ ଆସନ୍ତା ବର୍ଷ ଠାରୁ ଏହା ଲାଗୁ ହେଉଥିବା ବେଳେ ୨୦୨୩ରେ ଯେଉଁମାନେ ଯୁକ୍ତ ୨ରେ ନାମ ଲେଖାଇଥିଲେ ସେମାନେ ୨୦୨୫ରେ ଏହି ଢାଞ୍ଚାରେ ପରୀକ୍ଷା ଦେବେ । ହେଲେ ପରୀକ୍ଷା ୮୦ ମାର୍କ ହୋଇଥିଲେ ମଧ୍ୟ ସମୟ ଅନ୍ତରାଳ ସେହି ସମାନ ୩ ଘଣ୍ଟା ରହିବ ବୋଲି ସୂଚନା ଦେଇଛି ସିଏଚଏସଇ ।
ଏନେଇ ବୋର୍ଡ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଏଣିକି ୮୦ ପ୍ଲସ୍ ୨୦ ଅନୁପାତରେ ଥିଓରୀ- ପ୍ରାକ୍ଟିକାଲ ପରୀକ୍ଷା ହେବ । ପରୀକ୍ଷାରେ ୧୦୦ ନୁହେଁ ବରଂ ୮୦ ମାର୍କର ଥିଓରୀ ଆଉ ୨୦ ମାର୍କର ପ୍ରାକ୍ଟିକାଲ ହେବ । ଯାହାକି ପୂର୍ବରୁ ହୋଇଆସୁଥିଲା । ହେଲେ ଏଥର ନନ୍ ପ୍ରାକ୍ଟିକାଲ ବିଷୟରେ ବି ୮୦ ମାର୍କ ଥିଓରୀ ଓ ୨୦ ମାର୍କ ଇଣ୍ଟରନାଲ୍ ପରୀକ୍ଷା ହେବ। ଆଉ ଏହି ନନ୍ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଫୁଲ୍ ମାର୍କ ୮୦, ପାସ୍ ମାର୍କ ୨୪ ରହିବ। ଯେଉଁଥିରେ ପିଲାଙ୍କୁ ପାସ୍ ହେବା ପାଇଁ ୨୪ ମାର୍କ ରଖିବାକୁ ପଡିବ ।
ଏହାସହିତ ଇଂରାଜୀ ଓ ଓଡିଆରେ ରଚନା ଲେଖାକୁ ମଧ୍ୟ ନୂଆ ଢାଞ୍ଚାରେ ହଟାଇ ଦିଆଯିବ । ସେହି ପରି କୌଣସି ପ୍ରଶ୍ନ ପତ୍ରରେ ଆଉ ୧୦ ମାର୍କର ପ୍ରଶ୍ନ ରହିବନି । ସବୁଠୁ ଅଧିକ ୮ ମାର୍କ ଓ ଏହା ପରେ ୫ମାର୍କର ପ୍ରଶ୍ନ ରହିବ ।
ତେବେ ଯୁକ୍ତ -୨ ପରୀକ୍ଷା ଆସନ୍ତା ବର୍ଷ ଫେବୃୟାରୀ ୧୫ରେ ଆରମ୍ଭ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Comments are closed.