ଭୁବନେଶ୍ୱର: ସୁଭଦ୍ରା ହିତାଧିକାରୀଙ୍କୁ ନେଇ ଖୋଳତାଡ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କଟିଥିବା ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବଡ ପଦକ୍ଷେପ ନିଆଯିବ । କିପରିଭାବେ ଯୋଗ୍ୟଙ୍କୁ ସାମିଲ କରାଯିବ ଏବଂ ଅଯୋଗ୍ୟଙ୍କୁ ଏଥିରୁ ବାତିଲ କରାଯିବ ସେଥିପାଇଁ ସରକାର ତତ୍ପରତା ଦେଖାଇଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏ ନେଇ ଚିଠି କରାଯାଇଛି । ବିଶେଷ କରି ଚାରିଚକିଆ ଯାନ ଥିବା ହିତାଧିକାରୀଙ୍କ ତଥ୍ୟ ପାଇଁ ପରିବହନ ବିଭାଗକୁ ଚିଠି ହୋଇଛି। ଏହା ସହ ଖାଦ୍ୟ ଯୋଗାଣ ବିଭାଗକୁ ମୃତ ହିତାଧିକାରୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି। ପଞ୍ଜିକରଣ କରି ଧାନ ବିକିଥିବା ମହିଳାଙ୍କ ତଥ୍ୟକୁ ଆଉଥରେ ଯାଞ୍ଚ ନିର୍ଦ୍ଦେଶ ହୋଇଛି।
କିଛିଦିନ ତଳେ କିଛି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ବାଦ ଦିଆଯାଇଥିଲା । ବିଭିନ୍ନ ନିୟମ ଅନୁସାରେ ସେମାନଙ୍କୁ ବାଦ ଦେଇଥିଲେ ସରକାର। ଆଉ ଏହି ଘଟଣା ପରେ ଯୋଗ୍ୟ ହିତାଧିକାରୀ କେମିତି ସୁଭଦ୍ରା ଯୋଜନାରେ ସାମିଲ ହେବେ ସେଥିପାଇଁ କସରତ ଆରମ୍ଭ ହୋଇଛି । ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ନିଷ୍ପତି ହୋଇଛି। ରାଜ୍ୟରେ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ଥିବା ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ଆହ୍ୱାନ ଦିଆଯାଇଥିଲା।
ସରକାରୀ ଚାକିରିଆ, ସରକାରଙ୍କୁ ଟ୍ୟାକ୍ସ ଦେଉଥିବା ମହିଳା ଏହି ଯୋଜନାରେ ସାମିଲ ହୋଇନଥିଲେ। ଏହାସହ ବିଭିନ୍ନ ନିୟମ କରାଯାଇ କିଛି ମହିଳାଙ୍କୁ ବାଦ ଦିଆଯାଇଥିଲା । ପ୍ରଥମ କିସ୍ତି ବହୁତ ମାତ୍ରାରେ ମହିଳାଙ୍କୁ ଦିଆଯାଇଥିଲା । ଏହାପରେ ଦ୍ୱିତୀୟ କିସ୍ତି ବେଳକୁ କିଛି ବର୍ଗର ମହିଳା ଏଥିରେ ବାଦ ପଡିଥିଲେ । ତେବେ ସମସ୍ତ ନିୟମକୁ ଆଉଥରେ ଯାଂଚ କରାଯାଇ ସଠିକ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବା ପାଇଁ ସରକାର ତତ୍ପରତା ଦେଖାଇଛନ୍ତି ।
Comments are closed.