ଚାନ୍ଦବାଲି: ଦିନ ପ୍ରାୟ ୧୧ ଘଟିକା ସମୟରେ ଦୁଇଜଣ ଦୁର୍ବୃତ୍ତ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି। ଚାନ୍ଦବାଲି କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ସ୍ତ୍ରୀଙ୍କୁ ବାନ୍ଧି ଦେବା ସହ ତାଙ୍କୁ ଅଚେତ କରି ଦେଇଥିଲେ ଦୁର୍ବୃତ୍ତ । ପରେ ତାଙ୍କ ବେକରୁ ସୁନାଗହଣା ଏବଂ ଘରର ଆଲମୀରା ଖୋଲି ନଗଦ ଟଙ୍କା ସହ ସୁନାଗହଣା ଲୁଟ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ଚାନ୍ଦବାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଥାଉକି, କିଛିଦିନ ପୂର୍ବରୁ ଦୁଇଜଣ ବ୍ୟକ୍ତି ଜନ୍ମଦିନ ଅବସରରେ ଚାରା ବାଣ୍ଟିବା ପାଇଁ ପ୍ରମୋଦ ତ୍ରିପାଠୀଙ୍କ ଘରକୁ ଆସିଥିଲେ। ସେହି ଦୁଇଜଣ ବ୍ୟକ୍ତି ଆଜି ପୁଣି ଘରକୁ ଆସିଥିଲେ । ପ୍ରମୋଦ ତ୍ରିପାଠୀ ଘରେ ନଥିଲାବେଳେ ତାଙ୍କୁ ଖୋଜିଥିଲେ। ତ୍ରିପାଠୀ ଘରେ ନଥିବା ତାଙ୍କ ସ୍ତ୍ରୀ କହିବା ପରେ ମଧ୍ୟ ଦୁର୍ବୃତ୍ତମାନେ ସୋଫାରେ ବସି ରହିଥିଲେ। କିଛି ସମୟ ପରେ ଦୁର୍ବୃତ୍ତମାନେ ତ୍ରିପାଠୀଙ୍କ ସ୍ତ୍ରୀଙ୍କୁ ବାନ୍ଧି ନଗଦ ଟଙ୍କା ସହ ସୁନାଗହଣା ଲୁଟ କରି ଫେରାର ହୋଇ ଯାଇଛନ୍ତି ।
