ନୂଆଦିଲ୍ଲୀ: ଗୋଆ ଯାଉଥିଲେ ନିଜ ମୋବାଇଲ ଓ ଦାମୀ ଜିନିଷ ପ୍ରତି ସାବଧାନ ହୁଅନ୍ତୁ । ନଚେତ୍ କେଉଁ ମଦୁଆ ଆପଣଙ୍କ ପ୍ରିୟ ଜିନିଷ ଚୋରି କରି ସଙ୍ଗେ ସଙ୍ଗେ ଶହେ ଦେଢଶହ ଟଙ୍କାରେ ରାସ୍ତା କଡ ଦୋକାନୀକୁ ବିକି ଦେଇଥିବ । ସୋସିଆଲ ମିଡିଆ ଏକ୍ସରେ ଜଣେ ବ୍ୟକ୍ତି ନିଜେ ସମ୍ମୁଖୀନ ହୋଇଥିବା ଏମିତି ଏକ ଘଟଣାକୁ ବର୍ଣ୍ଣନା କରିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ନିଜର ଏହି ଅଭିଜ୍ଞତା ସେୟାର କରି କାର୍ତ୍ତିକେୟ ରାଏ କହିଛନ୍ତି,‘‘ ଗୋଆ ଯାତ୍ରା ମୋତେ ଚକିତ କରିଦେଇଛି । ଗୋଆରେ ଜଣେ ମଦ୍ୟପ ବ୍ୟକ୍ତି ମୋ ଫୋନ୍ ଚୋରି କରିନେଇଥିଲା ।ହେଲେ ଉକ୍ତ ମଦ୍ୟପ ବ୍ୟକ୍ତିଙ୍କୁ ଭୋକ ଲାଗିବାରୁ ସେ ରାସ୍ତାକଡ଼ ଠେଲାରେ ପାଓଭାଜି ଖାଇବାକୁ ଯାଇଥିଲା । ଖାଇବା ପରେ ପଇସା ନଥିବାରୁ ମୋର ଚୋରି ହୋଇଥିବା ଆଇଫୋନକୁ ପାଓ ଭାଜି ଦୋକାନରେ ବଦଳ କରି ଦେଇଥିଲା । ଫୁଡ୍ ଷ୍ଟଲ ମାଲିକ ଆଇଫୋନକୁ ଚାର୍ଜରେ ବସାଇଥିଲେ । ଏହି ସମୟରେ ମୁଁ ମୋ ଫୋନକୁ କଲ୍ କରିବାରୁ ଫୁଡ୍ ଷ୍ଟଲ ମାଲିକ ଫୋନ ଉଠାଇଥିଲେ ଓ ପୂରା ଘଟଣା ବିଷୟରେ ମୋତେ ଜଣାଇଥିଲେ । ଏହାପରେ ମୁଁ ଆସି ଚୋର ଖାଇଥିବା ପାଓଭାଜି ପଇସା ଦେଇ ଫୋନ୍ ଆଣିଥିଲି ।’’
ଏହି ପୋଷ୍ଟକୁ ପଢ଼ି ୟୁଜର୍ସମାନେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି,‘‘ ପାଓ ଭାଜି ଅଧିକ ସ୍ୱାଦିଷ୍ଟ ଥିଲା। ଆଉ ଜଣେ ୟୁଜର୍ସ ଲେଖିଛନ୍ତି,‘‘ ମୁଁ ହସି ହସି ପାଗଳ ହୋଇଯାଉଛି ।’’
Comments are closed.