କଟକ: ଚଳିତବର୍ଷ ନଭେମ୍ବର ୧୫ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା । ଏନେଇ ପ୍ଲଟ ରେଜିଷ୍ଟ୍ରେସନ ସରି ଜାରି ରହିଛି ଜମି ନିଲାମ ପ୍ରକ୍ରିୟା । ୧୦ ଟି ଟିମକୁ ନେଇ ବିଭିନ୍ନ ସ୍ଥାନରେ ନିଲାମ ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ମୋଟ ୧୫୦୦ ଜଣ ପ୍ଲଟ ପାଇଁ ପଞ୍ଜିକରଣ କରିଛନ୍ତି ।
ଅନ୍ୟପଟେ ବାଲିଯାତ୍ରା ତଳ ପଡ଼ିଆରେ ଜୋର ଧରିଲାଣି ପ୍ରସ୍ତୁତି । ଏହାପରେ ହଜାର ହଜାର ବିଭିନ୍ନ ରକମର ଦୋକାନ ବଜାର ସାଙ୍ଗକୁ ଲୋକଙ୍କୁ ଆକୃଷ୍ଟ କରିବ ଅନେକ ପ୍ରକାରର ସ୍ବାଦିଷ୍ଟ ଖାଦ୍ୟର ଷ୍ଟଲ୍ ମାନ । ଆଉ ବଡ ଛୋଟ ଦୋଳି ସାଙ୍ଗକୁ ଲକ୍ଷାଧିକ ଲୋକ ଓ ରଙ୍ଗ ବେରଙ୍ଗର ଆଲୋକମାଳା ମଧ୍ୟରେ ଝଲସି ଉଠିବ ବାଲିଯାତ୍ରା ପଡିଆ ।
ତେବେ ଚଳିତବର୍ଷ ଐତିହାସିକ ବାଲିଯାତ୍ରାରେ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବ ଓଡ଼ିଆ ଚଳଚ୍ଚିତ୍ର । ଓଡ଼ିଆ ସିନେମାକୁ ନେଇ ପ୍ରସ୍ତୁତ କରାଯିବ ଥିମ୍ । ବାଲିଯାତ୍ରା ତଳ ପଡ଼ିଆରେ ଥିବା କଟକ-ଇନ୍-କଟକ ପ୍ୟାଭିଲନ୍ ଠାରେ ଜିଲ୍ଲା ପ୍ରଶାସନ ଦ୍ବାରା ଏହି ଥିମ୍ କୁ ପ୍ରଦର୍ଶିତ କରାଯିବ । ଯାହାଦ୍ୱାରା ଓଡ଼ିଆ ଫିଲ୍ମର ଗୁଣାତ୍ମକ ବୈଶିଷ୍ଟ୍ୟକୁ ଲୋକଲୋଚନକୁ ଆଣିହେବ ।
ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ବରିଷ୍ଠ ଅଭିନେତା ତଥା ସିନେ ପ୍ରଯୋଜକମାନେ ବେଶ୍ ସ୍ୱାଗତ କରିଛନ୍ତି । କାହିଁକି ନା ବାଲିଯାତ୍ରା ହେଉଛି ଓଡ଼ିଶାର ଗର୍ବ ଓ ଗୌରବ । ପୁରୁଣା ପରମ୍ପରା ସଂସ୍କୃତିକୁ ବଜାୟ ରଖିବା ପାଇଁ ଏକ ମାଧ୍ୟମ ।