Latest Odisha News

ମଦ ବିରୋଧୀ ନେତାଙ୍କୁ ହତ୍ୟା ଘଟଣାରେ ୩ ଜଣ ଗିରଫ

ବ୍ରହ୍ମପୁର: ଗତ ୨୦ ତାରିଖରେ ଘଟିଥିବା ଗଞ୍ଜାମର ଜରଡ଼ା ଥାନା ଅନ୍ତର୍ଗତ ପଳାସପୁର ଗ୍ରାମର ବୃନ୍ଦାବନ ଜାନି ହତ୍ୟାକାଣ୍ଡରେ ମଙ୍ଗଳବାର ତିନି ଜଣ ଗିରଫ ହୋଇଛନ୍ତି। ଶନିବାର ପଳାସପୁର ଗ୍ରାମର ଏକ ବିଲରୁ ମୁଣ୍ଡ-ଗଣ୍ଡି ଅଲଗା ହୋଇଥିବା ଶବ ବିଲ ମଧ୍ୟରୁ ମିଳିଥିଲା।

ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଜରଡ଼ା ପୋଲିସ। ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ବୋଲି ବ୍ରହ୍ମପୁର ଏସ୍‍ପି ଡ. ଶ୍ରବଣା ବିବେକ ଏମ୍‍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଲେ ପଳାସପୁର ଗ୍ରାମର ପର୍ଶୁରାମ ଶବର(୪୫), ନିରଞ୍ଜନ ଶବର(୨୬) ଓ ସୁନାରୀବାଡ଼ ଗ୍ରାମର କୈବଲ୍ୟ ଶବର ଓରଫ୍‍ କାର୍ଜୀ(୩୨)।

ସୂଚନାଥାଉକି, ପଳାସପୁର ଗ୍ରାମରେ ଦୀର୍ଘ ଦିନ ଧରି ଚାଲିଥିବା ମଦ କାରବାରକୁ ବନ୍ଦ କରିବା ପାଇଁ ବୃନ୍ଦାବନ ବାରଣ କରି ଆସିବା ସହ ଗ୍ରାମବାସୀଙ୍କୁ ଏକାଠି କରି ଗ୍ରାମାଞ୍ଚଳରେ ମଦ କାରବାରକୁ ରୋକିବା ପାଇଁ ଦୀର୍ଘ ଦିନ ଧରି ସଚେତନ କରି ଆସୁଥିଲା।

ଯାହାକୁ ନେଇ ଚୋରା ମଦ ବ୍ୟବସାୟୀଙ୍କ ଟାର୍ଗେଟରେ ବୃନ୍ଦାବନ ରହିଥିଲା। ହତ୍ୟାକାଣ୍ଡର ଦିନକ ପୂର୍ବରୁ ବୃନ୍ଦାବନ ଗ୍ରାମର ପର୍ଶୁରାମ ଓ ନିରଞ୍ଜନ ଯେଉଁମାନେ ମଦ ରାନ୍ଧି ଗ୍ରାମରେ ବିକ୍ରି କରୁଥିଲେ, ସେମାନଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ କହିଥିଲେ ।

ଏଥି ସହିତ ଗ୍ରାମରେ ମଦ ନ ବିକ୍ରି କରିବା ପାଇଁ କହିଥିଲେ। ପ୍ରାୟ ସବୁ ସମୟରେ ପର୍ଶୁରାମ ଓ ନିରଞ୍ଜନଙ୍କ ଚୋରା ମଦ ବ୍ୟବସାୟକୁ ରୋକୁଥିବାରୁ ବୃନ୍ଦାବନଙ୍କୁ ରାସ୍ତାରୁ ହଟାଇବା ପାଇଁ ପର୍ଶୁରାମ ଓ ନିରଞ୍ଜନ ଯୋଜନା ପ୍ରସ୍ତୁତ କରିଥିଲେ ।

ସୁନାରିବଡ଼ ଗ୍ରାମର କୈବଲ୍ୟ ଶବରଙ୍କୁ ଡାକି ଗତ ୨୦ତାରିଖ ରାତିରେ ବୃନ୍ଦାବନ ନିଜ ଜମିକୁ ଜଗିବା ପାଇଁ ଯାଇ ଜମି ନିକଟରେ ଶୋଇଥିବା ବେଳେ ପର୍ଶୁରାମ, ନିରଞ୍ଜନ ଓ କୈବଲ୍ୟ ସେଠାକୁ ଯାଇଥିଲେ। ଶୋଇଥିବା ଦେଖି ପର୍ଶୁରାମ ଧାରୁଆ ଅସ୍ତ୍ରରେ ବୃନ୍ଦାବନଙ୍କ ବେକକୁ କାଟି ମୁଣ୍ଡ ଗଣ୍ଡି ଅଲଗା କରିଥିଲା। ନିକଟରେ ନିରଞ୍ଜନ ଓ କୈବଲ୍ୟ ଦେଖୁଥିଲେ।

ପରେ ୩ଜଣ ମିଶି ମୁଣ୍ଡକୁ ଗଣ୍ଡି ସ୍ଥାନରୁ କିଛି ଦୂରରେ ପକାଇବା ସହ ବୃନ୍ଦାବନ ପିନ୍ଧିଥିବା ଲୁଗା ଓ କପଡ଼ା ନେଇ ଅନ୍ୟତ୍ର ଫିଙ୍ଗି ଦେଇଥିଲେ। ପୁଲିସ୍‍ ଖବରପାଇ ଶବ ଜବତକରି ତଦନ୍ତ କରିବାପରେ ଘଟଣାରେ ସମ୍ପୃକ୍ତ ଥିବା ପର୍ଶୁରାମ, ନିରଞ୍ଜନ ଓ କୈବଲ୍ୟକୁ ଗିରଫ କରିଥିଲା।

ମଙ୍ଗଳବାର ସକାଳେ ହତ୍ୟା କାଣ୍ଡର ଡେମୋ ପର୍ଶୁରାମ ପୁଲିସ୍‍କୁ ଦେଖାଇବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ଓ ଲୁଚାଇଥିବା କପଡ଼ାକୁ ମଧ୍ୟ ପୁଲିସ୍‍କୁ ଦେଇଥିଲା। ପରେ ପୁଲିସ୍‍ ୩ଜଣଙ୍କୁ ଗିରଫକରି ହତ୍ୟାରେ ବ୍ୟବହୃତ କାତି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରି କୋର୍ଟ ଚାଲାଣ କରିଥିବା ଏସ୍‍ପି କହିଥିଲେ।

Leave A Reply

Your email address will not be published.