ଢାକା: ନୂଆ ବର୍ଷ ପୂର୍ବଦିନ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କ ହତ୍ୟା ଘଟଣାରେ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ବାଂଲାଦେଶ ପୋଲିସ । ଗିରଫ ସନ୍ଦିଗ୍ଧ ମାନେ ହେଲେସୋହାଗ୍ ଖାନ (୨୭), ରାବି ମୋଲ୍ଲା (୨୧) ଏବଂ ପଲାଶ ସର୍ଦ୍ଦାର (୨୫) । ଏହି ତିନି ଜଣଙ୍କୁ କିଶୋରଗଞ୍ଜ ଜିଲ୍ଲାରୁ ପୋଲିସ ଗିରଫ କରିଥିବା କହିଛି । ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଏମାନଙ୍କୁ ଗିରଫ କରାଯାଇଥିବା କହିଛି ବାଂଲାଦେଶର ରାପିଡ୍ ଆକ୍ସନ୍ ବାଟାଲିଅନ୍ ।
ଗିରଫ ହୋଇଥିବା ବ୍ୟକ୍ତିଙ୍କର ପୂର୍ବରୁ ଅପରାଧିକ ରେକର୍ଡ ରହିଛି। ଯେଉଁଥିରେ ଡ୍ରଗ୍ସ ଅପରାଧ ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ସହିତ ଜଡିତ ମାମଲା ଅନ୍ତର୍ଭୁକ୍ତ। ପୋଲିସ କହିଛି ଯେ ଆକ୍ରମଣ ପଛର ଉଦ୍ଦେଶ୍ୟ ଖୋଜିବା ଏବଂ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି ।
ସୂଚନାଯୋଗ୍ୟ, ଡିସେମ୍ବର ୩୧ ତାରିଖ ରାତିରେ ଶରିୟତପୁର ଜିଲ୍ଲାର ଖୋକନ ଦାସ ନିଜର ଔଷଧ ଦୋକାନ ବନ୍ଦ କରି ଫେରୁଥିଲେ । ଏହି ସମୟରେ କିଛି ମୁସଲିମ ମୌଳବାଦୀ ତାଙ୍କ ଉପରେ ଛୁରା ମାଡ଼ କରିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏଥିରେ ସେ ଗମ୍ଭୀର ଭାବରେ ଆହତ ହୋଇଥିଲେ । ଜୀବନ ବଞ୍ଚାଇବାକୁ ଯାଇ ଖୋକନ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲେ । ହେଲେ ଚିକିତ୍ସିତ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା ।
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି ରହିଛି । ଖୋକନ ଦାସଙ୍କ ହତ୍ୟାକୁ ମାଶାଇ ବାଂଲାଦେଶରେ ୪ ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲାଣି । ହିନ୍ଦୁ ହତ୍ୟା ନେଇ ଭାରତ ଚାପ ପକାଇବା ପରେ ବାଂଲାଦେଶ ବାଧ୍ୟ ହୋଇ ଅପରାଧିମାନଙ୍କୁ ଗିରଫ କରୁଥିବା ସୂଚନା ରହିଛି ।