ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ତିନିରଥର ମୋଟ ୩୯ଟି ଚକ କାମ ସମ୍ପୁର୍ଣ୍ଣ ହୋଇଛି। ବୁଧବାର ସୁଦ୍ଧା ଜନ୍ତାଗାଡ଼ରେ ୩ଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି ଭୋଇ ସେବାୟତମାନେ । ଏଥିସହ ତିନିରଥର ଚାରି ନାହାକାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥନିର୍ମାଣ କାର୍ଯ୍ୟ ଜୋର ଧରିଛି । ରଥର ଚାରିନାହାକା ସରିବା ପରେ ମୁହାଁଟି ଅନୁକୂଳ ହୋଇଛି।
ଏହି ମୁହାଁଟି ଦଣ୍ତାରେ ଲାଗିବ। ତିନି ରଥ ପାଇଁ ଦୁଇଟି ଲେଖାଁଏ ଗରଗରା ଚଉପଟ କାମ ଚାଲୁଅଛି । ନନ୍ଦିଘୋଷ ରଥର ୯ ଗୋଟି ଦଣ୍ତା କାର୍ଯ୍ୟ ଦେବଦଳନ ରଥର ୭ ଟି ଦଣ୍ତା ଓ ତାଳଧ୍ୱଜ ରଥର ୯ଟି ଦଣ୍ତା ମଧ୍ୟରୁ ୩ଟି ଲେଖାଁଏ ଦଣ୍ତାର ଚଉପଟ କାର୍ଯ୍ୟ ଶେଷ ହୋଇଛି। ଦଣ୍ତାରେ ସଂଯୋଗ ପାଇଁ ଦୁଇଟି ଲେଖାଁଏ ମୁହାଁଟରେ ପାଞ୍ଚ ବିନ୍ଧ ଖୋଦେଇ କାମ ଶେଷ ହୋଇଛି। ତେବେ ଅଖ ଉପରେ ଦଣ୍ତା ପଡ଼ି ଗରଗରା ରହିବା ପରେ ଗରଗରା ଉପରେ ରହିବ ଚାରିନାହାକା । ସେହିପରି ତିନି ରଥର ୩୯ ଟି ଚକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଭୋଇ ସେବାୟତ ମାନେ ବାକି ତିନୋଟି ଚକର ସିଙ୍ଗଡ଼ା ବାଡ଼ିଆ ସାରି ବିଶ୍ୱକର୍ମାଙ୍କୁ ଦେଇଛନ୍ତି।
ଏହି ଦିନ ତିନି ରଥର ଚାରିନାହାକା ମଧ୍ୟ ଉଠିବ । ରଥ ଖଳାରେ ରୂପକାର ସେବକ , କମାର ଶାଳରେ ଓଝା ସେବକ ମାନେ ଦଣ୍ତାରେ ଲାଗିବା ପାଇଁ ଅଗପାତଳି, ଚଉରସ କଣ୍ଟା ଓ ଗରଗରା ପାଇଁ ଗରଗରା କଣ୍ଟା ତିଆରି କରୁଛନ୍ତି । ଏପଟେ ଆସନ୍ତା ଜୁନ ୨୪ ତାରିଖରେ ପିବତ୍ର ଦେବସ୍ନାନପୂର୍ଣ୍ଣିମା। ଏନେଇ ପୋଲିସ ପ୍ରଶାସନର ଦ୍ୱିତୀୟ ବୈଠକ ହୋଇଛି ।
ଏସପି କନଓ୍ୱର ବିଶାଳ ସିଂଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ସାହି ରାସ୍ତା ସ୍ଥିତି ପରଖିଛନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ହେବତିନି ପର୍ଯ୍ୟାୟ ସୁରକ୍ଷା ବ୍ୟବସ୍ଥା। ବ୍ୟାରିକେଡ଼ିଂ ସହ ଜରୁରୀକାଳୀନ କାର୍ଯ୍ୟ ପାଇଁ ହେବ ସ୍ୱତନ୍ତ୍ରଏସଓପି। ତେଣୁ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ଼ କଟକଣାରେ ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କହିଛନ୍ତି ଏସପି ।
Comments are closed.