ନୂଆଦିଲ୍ଲୀ: ଭାରତର ଶିକ୍ଷା ନୀତିକୁ ନେଇ ଏବେ ମୋଦି ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ । କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିକୁ ସମାଲୋଚନା କରିବା ସହ ଦେଶରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି, ତାକୁ ନେଇ ଏକ ବଡ ଲିଷ୍ଟ ଦେଇଛନ୍ତି ସୋନିଆ । ଏଥିସହିତ ସରକାର ଫେଡେରାଲ ଶିକ୍ଷା ଗଠନକୁ ଦୁର୍ବଳ କରୁଛନ୍ତି, ୩ସି ଏଜେଣ୍ଡା ସହ ଆଗକୁ ବଢୁଛନ୍ତି ବୋଲି କହି ବର୍ଷିଛନ୍ତି ସୋନିଆ ।
ଦ ହିନ୍ଦୁରେ ନିଜର ଏକ ଲେଖାରେ ସୋନିଆ କହିଛନ୍ତି, ଜାତୀୟ ଶିକ୍ଷା ନୀତି…ଶିକ୍ଷା, ବାଣିଜ୍ୟିକ ତଥା ସାମ୍ପ୍ରଦାୟିକତାକୁ କେନ୍ଦ୍ର କରିଥାଏ । ହେଲେ ଏହା ଫେଡେରାଲ୍ ଶିକ୍ଷା ଗଠନକୁ ଦୁର୍ବଳ କରୁଛି । ମୋଦି ସରକାର ରାଜ୍ୟ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତିରୁ ଦୂରେଇ ରଖି ଶିକ୍ଷାର କେନ୍ଦ୍ର ଗଠନକୁ ଦୁର୍ବଳ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଏଥିସହିତ ସରକାରଙ୍କ ଉପରେ ବଡ ଆରୋପ ଲଗାଇ ସୋନିଆ କହିଛନ୍ତି, ଦେଶରେ ୨୦୧୪ ପରଠାରୁ ପ୍ରାୟ ୮୯ ହଜାର ବିଦ୍ୟାଳୟ ବନ୍ଦ ପଡିଛି, ବିଜେପି-ଆରଏସଏସ ସହିତ ଜଡିତ ଲୋକଙ୍କୁ ହିଁ କେବଳ ନିଯୁକ୍ତି ମିଳୁଛି । ଭାରତର ଶିଶୁ ଏବଂ ଯୁବକମାନଙ୍କ ଶିକ୍ଷା ପ୍ରତି ଜାତୀୟ ଶିକ୍ଷା ନୀତି ଅତ୍ୟନ୍ତ ଉଦାସୀନ । ଏଥିରେ ଶିକ୍ଷା ବ୍ୟବସ୍ଥା ଜନସେବାର ଆତ୍ମା ଠାରୁ ବଞ୍ଚିତ ହୋଇଛି ଏବଂ ଶିକ୍ଷାର ଗୁଣବତ୍ତା ଏହି ନୀତି ଦ୍ବାରା ବିପର୍ଯ୍ୟସ୍ତ ହୋଇପଡିଛି । ଏଭଳି ଭାବେ ଭାରତର ଶିକ୍ଷା ବ୍ୟବସ୍ଥାର ହତ୍ୟା ବନ୍ଦ ହେବା ଜରୁରୀ ବୋଲି ଗୁରୁତ୍ବାରୋପ କରିଛନ୍ତି ସୋନିଆ ।
ଏଥିସହିତ ସରକାର ୩ସି ଏଜେଣ୍ଡା ସହ ଶିକ୍ଷା ନୀତିକୁ ଆଗେଇ ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୋନିଆ । ସୋନିଆଙ୍କ ଅଭିଯୋଗାନୁଯାୟୀ, କେନ୍ଦ୍ର ସରକାରଙ୍କ ସହିତ କ୍ଷମତାର କେନ୍ଦ୍ରୀକରଣ,
ଶିକ୍ଷା ନିବେଶର ବାଣିଜ୍ୟିକରଣ ଏବଂ ଘରୋଇ କ୍ଷେତ୍ର ହାତକୁ ଟେକିଦେବା,
ପାଠ୍ୟପୁସ୍ତକ, ପାଠ୍ୟକ୍ରମ ଏବଂ ପ୍ରତିଷ୍ଠାନର ସାମ୍ପ୍ରଦାୟିକୀକରଣ
ସେ ଆହୁରି ମଧ୍ୟ କହିଛନ୍ତି, ଗତ ୧୧ ବର୍ଷ ମଧ୍ୟରେ ଅନିୟନ୍ତ୍ରିତ କେନ୍ଦ୍ରୀକରଣ ଏହି ସରକାରଙ୍କ କାର୍ଯ୍ୟର ଏକ ବିଶେଷ ବୈଶିଷ୍ଟ୍ୟ ରହିଛି, ଯାହାର ଖରାପ ପ୍ରଭାବ ଶିକ୍ଷା କ୍ଷେତ୍ର ଉପରେ ପଡିଛି । ୨୦୧୯ ଠାରୁ କେନ୍ଦ୍ରୀୟ ଶିକ୍ଷା ପରାମର୍ଶଦାତା ବୋର୍ଡ ବୈଠକ କରିନାହିଁ । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ଶିକ୍ଷା ମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରନ୍ତି । ହେଲେ ବୋର୍ଡ ସେପ୍ଟେମ୍ବର ୨୦୧୯ରେ ଶେଷ ଥର ପାଇଁ ବସିଥିଲା । ଏପରି କରି ମୋଦି ସରକାର ଗଣତାନ୍ତ୍ରିକ ପରାମର୍ଶକୁ ଅବମାନନା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଉ ଏବେ ରାଜ୍ୟ ସରକାରଙ୍କ ସହ ପରାମର୍ଶ ନକରି ଏନଇପି ୨୦୨୦ କାର୍ଯ୍ୟକାରୀ କରାଯାଉଛି ବୋଲି କହିଛନ୍ତି ସୋନିଆ ।
ଏହାବ୍ୟତୀତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଏକପାଖିଆ ନିଯୁକ୍ତି!, ପାଠ୍ୟ ପୁସ୍ତକ ଏବଂ ପାଠ୍ୟକ୍ରମରେ ପରିବର୍ତ୍ତନ – ସମ୍ବିଧାନର ପ୍ରିମ୍ବଲ୍ ଅପସାରଣ ଏବଂ ମହାତ୍ମା ଗାନ୍ଧୀଙ୍କ ହତ୍ୟା!, ପେପର ଲିକ୍ ପ୍ରସଙ୍ଗରେ ଏନଟିଏ ଏବଂ ନାକ୍ ବିଫଳତା, ଭଳି ପ୍ରସଙ୍ଗ ଉଠାଇ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ।
Comments are closed.