Latest Odisha News

BREAKING NEWS

ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଘଟଣା: କଡା କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ

ସମ୍ବଲପୁର: ରେଢାଖୋଲରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଆକ୍ସନ ଆରମ୍ଭ କଲା ବନ ବିଭାଗ। ଜଙ୍ଗଲ ଭିତରେ ବିଦ୍ୟୁତ୍ ଲଗେଇ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଏବେବି ଫେରାର୍ ରହିଛି। ସେହିପରି ବନବିଭାଗର ତ୍ରୁଟି ଥିବାରୁ ତୁରନ୍ତ ୩ କ୍ଷେତ୍ରର ବନ କର୍ମଚାରୀଙ୍କୁ ନିଲମ୍ବନ କଲା ବନ ବିଭାଗ।

ଏଥିସହ ଦୁଇ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସରକାରଙ୍କୁ ସୁପାରିସ କରିଛି। ଏହାସହ ବିଦ୍ୟୁତ୍ ବିଭାଗ ଉପରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି। ଏହାସହ ଶିକାରୀଙ୍କୁ ସୁଧାରିବା ପାଇଁ ଗାଁ ଗାଁରେ ହେବ ସଚେତନତା ସଭା। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ଘୁସରାମାଲ ପଞ୍ଚାୟତରୁ ଗତକାଲି ୩ଟି ହାତୀଙ୍କ ମୃତଦେହ ଉଦ୍ଧାର କରିଥିଲା ବନ ବିଭାଗ।

ଗତକାଲି ସମ୍ବଲପୁର ନାକଟିଦେଉଳ ରେଂଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ମୃତ ହାତୀଙ୍କ ମଧ୍ୟରୁ ୨ଟି ବଡ଼ ହାତୀ ଥିବା ବେଳେ ଗୋଟିଏ ଛୁଆ ହାତୀ ରହିଥିଲେ। ପ୍ରାଥମିକ ତଦନ୍ତରୁ ବାରହା ଶିକାର ପାଇଁ ବିଛାଇଥିବା ତାର ଲାଗି ୩ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ୩ ହାତୀଙ୍କ ଜୀବନ ଯାଇଥିବା ପିସିସିଏଫ୍ ସୁଶାନ୍ତ ନନ୍ଦ କହିଥିଲେ। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ।

Comments are closed.