Latest Odisha News

BREAKING NEWS

କଳାହାଣ୍ଡିରେ ଗୁଣି ଗାରେଡ଼ି ସନ୍ଦେହରୁ ହତ୍ୟା, ୩ ଗିରଫ

ଭବାନୀପାଟଣା: ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣ ଲୋକ ଜଣେ ବ୍ୟକ୍ତିକୁ ହତ୍ୟା କରିବା ଘଟଣା ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ୩ ଜଣ ବ୍ୟକ୍ତିଙ୍କୁ ପୋଲିସ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟକୁ ଚାଲାଣ କରିଛି ।

ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବୁଚୁ ମାଝୀ (୪୫) ଓ ତାଙ୍କର ଦୁଇ ପୁଅ ଲେବେ ମାଝୀ (୨୫) ଏବଂ ମକରା ମାଝୀ (୧୯) ।

ଏହି ଘଟଣାଟି ଅଗଷ୍ଟ ୩୦ ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିକଟରୁ ୧୩ କିମି ଦୂର ଝିଙ୍କାପିଟା ଗ୍ରାମରେ ଘଟିଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଏହି ଘଟଣାରେ ମୃତ ୪୫ ବର୍ଷୀୟ ମଦନ ମାଝୀ ସନ୍ଧ୍ୟା ବେଳେ ତାଙ୍କର ୨ଜଣ ପିଲା ଓ ପତ୍ନୀଙ୍କ ସହିତ ଘରକୁ ଫେରୁଥିବା ସମୟରେ ବାଟରେ ଏହି ୩ ଜଣ ଅଭିଯୁକ୍ତ ତାଙ୍କୁ ଅଟକାଇଥିଲେ । “ଏହି ୩ଜଣ ଅଭିଯୁକ୍ତ ମଦନକୁ ଗୁଣି ଗାରେଡ଼ି କରୁଥିବା ନେଇ ଗାଳିଗୁଲଜ କରିଥିଲେ । ମଦନଙ୍କ ସହିତ ଝଗଡ଼ା ସୃଷ୍ଟି କରି ନିସ୍ତୁକ ମାଡ଼ ମାରିଥିଲେ । ମଦନ ତଳେ ପଡ଼ିଯିବା ପରେ ୩ ଜଣ ପଥରରେ ଛେଚି ହତ୍ୟା କରିଥିଲେ,” ଏହା କହିଛନ୍ତି ଭବାନୀପାଟଣା ସଦର ଥାନାର ଭାରପ୍ରାପ୍ତ ପୋଲିସ ଅଧିକାରୀ ପ୍ରଦୀପ କୁମାର ଧାରୁଆ ।

ସେଠାରେ ପତ୍ନୀଙ୍କୁ ଧମକ ଦେଇ ମଦନଙ୍କ ମୃତ ଶରୀରକୁ ନେଇ ଏକ ନିଛାଟିଆ ସ୍ଥାନରେ ପୋତି ଦେଇଥିଲେ । କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ମୃତ ମଦନଙ୍କ ପତ୍ନୀଙ୍କୁ ଧମକ ଦେଇ ସେଠାରୁ ଚାଲିଯାଇଥିଲେ ।

ତେବେ ଦିନକ ପରେ ଭୟଭୀତ ହୋଇ ପତ୍ନୀ ଗ୍ରାମବାସୀଙ୍କୁ ଏକଥା ଜଣାଇଥିଲେ । ପରେ ନିଜ ବାପଘରକୁ ଯାଇ ବାପାଙ୍କୁ ଏକଥା ଜଣାଇବା ପରେ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ତେବେ ଘଟଣା ଘଟିବାର ୨ ଦିନ ପରେ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ତିନିଦିନ ପରେ ଫେରାର ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତମାନେ ଘଟଣାସ୍ଥଳରେ ଶବକୁ ପୋତି ଦେଇଥିବା ପୋଲିସକୁ ଦେଖାଇଥିଲେ ।

ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛନ୍ତି ।

Leave A Reply

Your email address will not be published.