Latest Odisha News

BREAKING NEWS

୧୦ କେଜିର ୩ଟି ହାତୀ ଦାନ୍ତ ଜବତ, ଜଣେ ଗିରଫ

ଭୁବନେଶ୍ୱର: ହାତୀ ଦାନ୍ତ ଏବଂ ବନ୍ୟ ଜନ୍ତୁ ଚୋରା ଚାଲାଣକାରୀ ରଞ୍ଜନ ମହାକୁଡ ଗିରଫ । ସୋନପୁର ଜିଲ୍ଲା ଯୁବରନିସିତାପୁର ଗାଁ ନିକଟରେ ସକାଳୁ ହାତୀ ଦାନ୍ତ ନେଇ ଡିଲ୍ ଚାଲିଥିବା ବେଳେ ଏସଟିଏଫ ରଞ୍ଜନଙ୍କୁ ରଙ୍ଗେହାତ ଗିରଫ କରିଛି । ଗିରଫ ବେଳେ ୧୦ କେଜିର ୩ ଟି ହାତୀ ଦାନ୍ତ ଜବତ ହୋଇଛି। ବିରାମହରାଜପୁର ବନ ବିଭାଗ ସହାୟତାରେ ରଞ୍ଜନକୁ ଏସଟିଏଫ ଗିରଫ କରିଛି। ରାଜଧାନୀ ଭୁବନେଶ୍ୱରରେ ଏସଟିଏଫ ଏ  ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି।

ଏସଟିଏଫ ଡିଏସପି ବିଳାସିନୀ ନାୟକ କହିଛନ୍ତି, ୨୦୨୦ଠାରୁ ଏସଟିଏଫ ୨୭ଟି ଚିତାବାଘ ଚମଡ଼ା , ୧୮ଟି ହାତୀ ଦାନ୍ତ, ୭ଟି ହରିଣ ଚମଡା, ୧୨ଟି ଜୀବନ୍ତ ବଜ୍ରକାପ୍ତା, ୩୦ କେଜି ୪୦୦ ଗ୍ରାମ ବଜ୍ରକାପ୍ତା କାତି, ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ ଓ ୪୬ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ଏସଟିଏଫ ସକ୍ଷମ ହୋଇଛି । ପଶ୍ଚିମ ଓଡ଼ିଶାରେ ଏହି ସବୁ କାରବାରରେ ସଂଶ୍ଳିଷ୍ଟ ଥିବା ତସ୍କରୀଙ୍କ ଉପରେ ତୀଷ୍ଣଣ ନଜର ରହିଛି। ଆଉ ନିୟମିତ ଭାବେ ରେଡ୍ ହେଉଛି।

ଏସଟିଏଫ ଏହି ଗିରଫଦାରୀ ପ୍ରସଙ୍ଗରେ ଏକ ପ୍ରେସ ରିଲିଜ ଜାରି କରି କହିଛି, ସୋନପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଯୁବରନିସିତାପୁର ଗାଁ ନିକଟରେ ବନ୍ୟପ୍ରାଣୀ ଅପରାଧୀଙ୍କ ଦ୍ୱାରା ବନ୍ୟପ୍ରାଣୀ ଦ୍ରବ୍ୟର କାରବାର ସଂପର୍କରେ ଆଜି ସକାଳେ ଡିଲ୍ ହେଉଥିଲା। ଏହି ଖବର ପାଇ ବୀରମହାରାଜପୁର ବନବିଭାଗ ଅଧିକାରୀଙ୍କ ସହାୟତାରେ ଏସଟିଏଫର ଏକ ଟିମ୍ ଚଢାଉ କରିଥିଲା । ଏହାପରେ ରଞ୍ଜନ ମହାକୁଡ ଗିରଫ ହୋଇଛନ୍ତି।

ତଦନ୍ତ ସମୟରେ ତାଙ୍କ ନିକଟରୁ ୧୦ କେଜି ଓଜନର ତିନିଟି ହାତୀ ଦାନ୍ତ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଅଭିୟୁକ୍ତ ବ୍ୟକ୍ତି ଏପରି ହାତୀ ଦାନ୍ତ କେଉଁ କାରଣ ପାଇଁ ରଖିଥିଲେ ତାର ଉତ୍ତର ଏସଟିଏଫକୁ ଦେଇପାରିନଥିଲେ। ଯେଉଁଥିପାଇଁ ତାଙ୍କୁ ଅଟକ ରଖାଯାଇଥିଲା । ଏହାପରେ ସୋନପୁର ବନଖଣ୍ଡ ଅଧିନସ୍ଥ ବୀରମହାରାଜପୁର ବନବିଭାଗ ଅଧିକାରୀଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ରଞ୍ଜନ ଏହି ବେଆଇ କାରବାରରେ ଦୀର୍ଘ ଦିନ ହେବ ମାତିଥିଲେ। ତେଣୁ ପୂର୍ବରୁ ଯେଉଁସବୁ ବନ୍ୟପ୍ରାଣୀ ଚୋରା ଚାଲାଣ କେସ ରହିଛି ସେଥିରେ ରଞ୍ଜନ ମହାକୁଡଙ୍କ ସଂପୃକ୍ତି ରହିଛି କି ଏସଟିଏଫ ଜାଣିବାକୁ ଚେଷ୍ଟା କରିବ । ସେହିପରି ଏହି ସବୁ ବନ୍ୟଜନ୍ତଙ୍କୁ ସାମଗ୍ରୀ କିଏ କିଣୁଥିଲା ନା କାହା ଇଙ୍ଗିତରେ ଏକ ବେଆଇନ ସିଣ୍ଡିକେଟ ଚାଲିଥିଲା ତାର ଖିଅ ଖୋଜିବ ଏସଟିଏଫ ।

Leave A Reply

Your email address will not be published.