Latest Odisha News

BREAKING NEWS

ଥ୍ରୀ-ୱେ ବମିଖାଲ୍ ଫ୍ଲାଏଓଭର୍ ସର୍ବସାଧାରଣଙ୍କ ଲାଗି ଖୋଲିଲା

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ବମିଖାଲ ଫ୍ଲାଏ ଓଭରବ୍ରିଜକୁ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟିତ କରିଛନ୍ତି ।

ବମିଖାଲ ଫ୍ଲାଏ ଓଭରବ୍ରିଜ ୨୦୧୨ ମସିହାରେ ପ୍ରଥମେ ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ଶେଷ ହେବା ବେଳକୁ ବ୍ୟୟ ପ୍ରାୟ ୪୪ କୋଟିରେ ପହଞ୍ଚିଥିଲା । ଜମି ଅଧିଗ୍ରହଣ ତଥା ୨ଟି ଦୁର୍ଘଟଣା ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟିଥିଲା ।

ଭାରତୀୟ ରେଳ ମନ୍ତ୍ରଣାଳୟ ତରଫରୁ ୨୦୦୮-୦୯ ମସିହାରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ଏହି ଫ୍ଲାଏଓଭର୍ ବ୍ରିଜ୍ ନିର୍ମାଣ କରିବା ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଅନେକ କାରଣ ଯୋଗୁଁ ଏହି ବହୁ ପ୍ରତିକ୍ଷୀତ ବ୍ରିଜଟିର କାର୍ଯ୍ୟ ସମାପ୍ତ ହେବାକୁ ବିଳମ୍ବ ହୋଇଥିଲା । ଜମି ଅଧିଗ୍ରହଣ ଲାଗି ମାମଲାରେ କୋର୍ଟରେ ମଧ୍ୟ ବିଚାରଧିନ ରହିଥିଲା । ଏହି ଫ୍ଲାଏଓଭରର ସ୍ଲାବ ପଡୁଥିବା ସମୟରେ ୨୦୧୭ ମସିହା ସେପ୍ଟେମ୍ବର ୧୦ ତାରିଖରେ ଦୁର୍ଘଟଣା ଘଟିବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହିତ ତାଙ୍କ ସହିତ ଅନ୍ୟ କେତେଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ । ସେହିପରି ଏହି ଦୁର୍ଘଟଣା ଯୋଗୁଁ ରାଜ୍ୟ ସରକାର ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏସଡ଼ିଓ ଏବଂ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଏଥିନିମନ୍ତେ ରାଜ୍ୟ ସରକାର ପଣ୍ଡା ଇନଫ୍ରା ପ୍ରା ଲିଃ କୁ ବ୍ଲାକଲିଷ୍ଟ କରିଥିଲେ । ତେବେ ୨୦୧୮ ମସିହା ମେ ୩ ତାରିଖ ଦିନ ନିର୍ମାଣାଧିନ ଏକ କାନ୍ଥ ଧସି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଥିଲେ ।

ଏହି ଫ୍ଲାଏଓଭର ଆପ୍ରୋଚ୍ ରୋଡ଼ ସହିତ ସମୁଦାୟ ୧.୫୪୧ କିଲୋମିଟର ଏବଂ ୭.୫ ମିଟର ଓସାରର ବ୍ରିଜ । ଏହି ଫ୍ଲାଏ ଓଭର୍ ବ୍ରିଜଟି କଟକ ରୋଡ଼ରେ ରସୁଲଗଡ଼ରୁ କଳ୍ପନା ପର୍ଯ୍ୟନ୍ତ ପଥରେ ନିର୍ମିତ ହୋଇଅଛି । କର୍ତ୍ତୃପକ୍ଷ ଫ୍ଲାଏଓଭରର ଉଭୟ ପାଶ୍ୱର୍ରେ ଏଲଇଡ଼ି ଆଲୋକମାଳାର ସୁବ୍ୟବସ୍ଥା କରିଛନ୍ତି ।

Leave A Reply

Your email address will not be published.