Latest Odisha News

BREAKING NEWS

ଅଶାନ୍ତ ହୋଇପଡିଛି ପର୍ଯ୍ୟଟନ ସହର ପୁରୀ; ୪ ଦିନରେ ୨ଟି ଗୋଷ୍ଠୀ ସଂଘର୍ଷ 

ପୁରୀ: ଅଶାନ୍ତ ହୋଇପଡିଛି ପର୍ଯ୍ୟଟନ ସହର ପୁରୀ । କେତେବେଳେ ଭୁଜାଲି ଗୋଟାଳି ତ କେତେବେଳେ ଖଣ୍ଡ ବୁଲୁଛି ସହରରେ । ଆତଙ୍କିତ ହୋଇପଡିଲେଣି ଲୋକେ । ଦିନ ହେଉ କି ରାତି,  ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ । ୪ ଦିନ ଭିତରେ ୨ଟି ଗୋଷ୍ଠୀ ସଂଘର୍ଷ  । ତିନି ଦିନ ତଳେ ଯୁବ ସେବାୟତଙ୍କ ଉପରକୁ ହୋଇଥିଲା ମରଣାନ୍ତକ ଆକ୍ରମଣ । ଏହି  ଘଟଣା ମନରୁ ଲିଭିନି । ଆଜି ସକାଳେ ପୁନର୍ବାର  ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ମାର୍କେଟ ଛକରେ ଗୋଷ୍ଠୀ ସଂଘର୍ଷ  । ଏଥିଯୋଗୁ ତିନିଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଛି। ଗୁରୁତର ତିନିଜଣ ଯୁବକଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।

ପୁରୀରେ ବିପର୍ଯ୍ୟନ୍ତ ହୋଇପଡିଛି ଆଇନଶୃଙ୍ଖଳା ପରିସ୍ଥିତି । ଗତ ଗୁରୁବାର ଦିନ  ଶ୍ରୀମନ୍ଦିରରେ ଯାତ୍ରୀ ବ୍ୟବସାୟକୁ କେନ୍ଦ୍ର କରି ପୁରୀ ଟାଉନ ଥାନା ଅନ୍ତର୍ଗତ ଗୁଡିଆ ସାହିରେ ୪ଜଣ ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ବିଳମ୍ବିତ ରାତିରେ କିଛି ସେବାୟତ ଫେରୁଥିବାବେଳେ  ୧୫ ଜଣ ଯୁବକ ଭୁଜାଲି ଓ ଗୋଟାଳିରେ ଆକ୍ରମଣ କରିଥିଲେ ।  ୪ ଜଣ ସେବାୟତଙ୍କୁ ଗୁୁରୁତର ଅବସ୍ଥାରେ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶନିବାର ଦିନ ଟାଉନ ଥାନା ପୋଲିସ ଏହି ଘଟଣାରେ  ୫ ଜଣ ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏହି ଘଟଣାର ୨ ଦିନ ଯାଇନି, ପୁଣି ଆଜି ସକାଳୁ ସକାଳୁ ବଡ ଦାଣ୍ଡରେ ଉଡୁଥିଲା ଖଣ୍ଡା ।  ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଥିଲା । ଗତକାଲି ରାତିରେ ପୁରୀ ଖଡିପଦା ମେଳଣ ପଡିଆରେ ଜୁଆଖେଳ ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା ।  ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇ ହାତାହାତି ପରିସ୍ଥିତି ଉପୁଜିଥିଲା  । ପ୍ରତିଶୋଧ ପରାୟଣ ହୋଇ ଆଜି ସକାଳ ସାଢେ ୬ଟାରେ ଉଭୟ ଗୋଷ୍ଠୀ ମଧ୍ୟରେ ମାର୍କେଟ ଛକ ବାଟା ଶୋ ରୁମ ନିକଟରେ ମୁହାଁମୁହିଁ ହୋଇଥିଲେ ।

ଆକ୍ରମଣରେ ଉଭୟ ଗୋଷ୍ଠୀର ୩ଜଣ ଯୁବକ ଗୁରୁତର ହୋଇଛନ୍ତି। ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଓ ସଦର ମୁଖ୍ୟ ଚିକିତ୍ସାଳୟରେ ଟାଉନଥାନା ପୋଲିସ, କୁମ୍ଭାରପଡା ଥାନା ପୋଲିସ, ପୁରୀ ସିଟି ଡିଏସପି, ଅତରିକ୍ତ ଏସପି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।   ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଅତରିକ୍ତ ଏସପି ସୂଚନା ଦେଇଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି  ମାର୍କେଟ ଛକ ଏକ ଜନଗହଳିପୂର୍ଣ ଅଞ୍ଚଳ  । ଶ୍ରୀମନ୍ଦିର ଠାରୁ ମାତ୍ର ଏକ କିଲୋମିଟର ମଧ୍ୟରେ  ରହିଛି ।  ସେଠାରେ ପୋଲିସ ଟ୍ରାଫିକ ପ୍ରହରା ମଧ୍ୟ ରହିଥାଏ ।ଏଭଳି ଅଞ୍ଚଳରେ ଖଣ୍ଡା ବୁଲିବା ପୋଲିସର ପାରିବା ପଣିଆ ପ୍ରତି ଆଙ୍ଗୁଠି ଉଠାଇଛି । ତେବେ ଏତେ ଜନଗହଳି ପୂର୍ଣ୍ଣ ସ୍ଥାନରେ ବଡ ଦାଣ୍ଡ ଉପରେ ଏପରି ଆକ୍ରମଣକୁ ନେଇ ସହରବାସୀଙ୍କ ମଧ୍ୟରେ ଭୟ ଓ  ଅସନ୍ତୋଷ ବୃଦ୍ଧି ପାଇଛି ।

 

Leave A Reply

Your email address will not be published.