Latest Odisha News

BREAKING NEWS

ଫେଲ୍‌ ମାରିଛି ବସୁଧା ଯୋଜନା, ସାହାରା ସାଜିଛି ନଦୀ ପାଣି

ନୂଆପଡ଼ା : ଦିନକୁ ଦିନ  ବଢ଼ିଲାଣି ତାତି । ଏବେଠୁ ଦେଖାଗଲାଣି ପାଣି ସମସ୍ୟା । ହେଲେ ଏଥିପ୍ରତି ପ୍ରଶାସନର ନାହିଁ ନିଘା । ଗାଁ ରେ ଅଚଳ ହୋଇ ପଡ଼ି ରହିଛି ନଳକୂପ  । ଫେଲ ମାରିଛି ବସୁଧା ଯୋଜନା । ସାହାରା ସାଜିଛି ନଦୀ ପାଣି । ଜମି ହୁଡ଼ା, ତତଲା ବାଲି ଦେଇ ଗଲେ ନଦୀରୁ ମିଳୁଛି ପାଣି । ଏ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅରେଡ଼ା ପଞ୍ଚାୟତର ଚନୁଟମାଲ ଗାଁ  ଦୃଶ୍ୟ ।

ଗ୍ରୀଷ୍ମ ଋତୁ ଆରମ୍ଭ ପୂର୍ବରୁ ନୂଆପାଡାରେ ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ସରକାର ପାନୀୟଜଳ ପାଇଁ ବିଭିନ୍ନ ଯୋଜନାରେ ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଉଚିତ ତଦାରଖ ସହ  ଉପଯୁକ୍ତ କାର୍ଯ୍ୟ ହେଉନଥିବାରୁ ବିଭିନ୍ନ ଗାଁରେ ଏହି ସମସ୍ୟା ଦେଖା ଦେଉଛି । ପାଣି ବୁନ୍ଦାଏ ପାଇଁ ଗାଁର ମହିଳା ମାନେ ଜମି ହୁଡ଼ା ଦେଇ ଦୀର୍ଘ ୩ କିଲୋମିଟର ନଦୀକୁ ଯାଉଛନ୍ତି  । ଆଉ ନଦୀରେ ବାଲି ଚୁଆଁ କରି ଗୋଳିଆ ପାଣିକୁ ସଫା କରି ପାଣି ସଂଗ୍ରହ କରୁଛନ୍ତି ।

ଏହି ଗାଁ ମୁଣ୍ଡରେ ବସୁଧା ଯୋଜନାର ଓଭର ହେଡ ଟ୍ୟାଙ୍କ ମଧ୍ୟ ଅଛି  । ପାଇପ ଲାଗି ଘର ସମ୍ମୁଖରେ ପାଣି ଟେପ ମଧ୍ୟ ଲାଗିଛି  । ହେଲେ ଗାଁ କୁ ପହଁଞ୍ଚି ପାରୁନି ପାଣି  । ଗାଁ ରେ ଥିବା ନଳକୂଅ ମଧ୍ୟ ଅଚଳ ହୋଇ ପଡିଛି  । ଏହି ପରିସ୍ଥିତିରେ ଗାଁର ମହିଳା ମାନେ ନଦୀରେ ବାଲି ଚୁଆଁ କରି ପାଣି ସଂଗ୍ରହ କରୁଛନ୍ତି  । ଗାଁରେ ପାନୀୟ ଜଳ ସମସ୍ୟାର ସମାଧାନ ନେଇ ଗାଁ ଲୋକେ ଦାବି କରିଛନ୍ତି l ଗାଁ ରେ ଓଭରହେଡ ଟ୍ୟାଙ୍କ ସହ ଗାଁ ରେ ଟେପ ମଧ୍ୟ ଲାଗିଛି ହେଲେ କାହିଁକି ଲୋକେ ପାଣି ପାଇବାରୁ ବଞ୍ଚିତ ଅଛନ୍ତି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅପରପକ୍ଷରେ ଖଡ଼ିଆଳ ବିଡିଓ ବୀରସେନ ବେହେରାଙ୍କୁ ପଚାରିବାରୁ ଏ ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି  । ପାନୀୟ ଜଳ ସୁବିଧା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା  । ହେଲେ ଗ୍ରାମାଞ୍ଚଳରେ କେତେ କାର୍ଯ୍ୟକାରୀ ହେଉଛି ତାହା ଚନୁଟମାଲ ଗାଁରୁ ଜଣା ପଡୁଛି  । ତେବେ ପ୍ରଶାସନ କେବେ ଅଚଳ ନଳକୂପର ମରାମତି କରିବା ସହ ଗାଁକୁ ପାଣି ଯୋଗାଇ ଦେଉଛନ୍ତି ତାକୁ ଚାହିଁ ରହିଛନ୍ତି ଗ୍ରାମବାସୀ ।

 

 

 

Leave A Reply

Your email address will not be published.