Latest Odisha News

BREAKING NEWS

ଆଉ ୨ ଦିନ ଜାରି ରହିବ କାଳବୈଶାଖୀର ତାଣ୍ଡବ! ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଦୁଇଦିନ ହେଲା କାଳବୈଶାଖୀର ତାଣ୍ଡବ ଜାରି ରହିଥିବାବେଳେ ଆଜି ବି ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ଆସନ୍ତା ୨୫ ତାରିଖ ଯାଏଁ ସାରା ରାଜ୍ୟରେ ଏଭଳି ପାଗ ରହିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ ରୁ ୧୧ ସେମି) ଏବଂ ବଜ୍ରପାତ ସହିତ ଝଡ଼ ହୋଇପାରେ ।ଆଜି ପାଇଁ ୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିଭଳି ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରାଯାଇଛି। ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଓ କୁଆପଥର ମାଡ଼ରେ ଚାଷ କ୍ଷତିଗ୍ରସ୍ତ ହେବା ସହ କଚ୍ଚା ଘର କାନ୍ଥ ଓ ଅନ୍ୟ ଦୁର୍ବଳ ଭିତ୍ତିଭୂମି ଭାଙ୍ଗି ଯିବାର ଆଶଙ୍କା ରହିଥିବାରୁ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

ଅନ୍ୟପଟେ ଗତକାଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ବମକେଇ ପଞ୍ଚାୟତରେ କ୍ରିକେଟ୍‌ ଖେଳୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ସେହିଭଳି ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପରିବା କ୍ଷେତରେ ପାଣି ମଡ଼ାଇବା ସମୟରେ ଜଣେ ଚାଷୀ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ।

ସୂଚନାଥାଉକି, ମୟୂରଭଞ୍ଜ ବାଙ୍ଗିରୀପୋଷି ବ୍ଲକରେ କାଳ ବୈଶାଖୀରେ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । କାଳବୈଶାଖୀ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ୫ଟି ବ୍ଲକର ୧୯ଟି ପଞ୍ଚାୟତର ୪୭ଟି ଗ୍ରାମ ପ୍ରଭାବିତ ହୋଇଛି । ୩୬୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଛି । ସମସ୍ତ ପ୍ରଭାବିତ ଲୋକଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ସେହିପରି ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଖଡମବେଡା ଓ ଜୁଡ଼ିଆ ଗ୍ରାମପଞ୍ଚାୟତ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ଗାଁ ପରିଦର୍ଶନ ସହ ଲୋକଙ୍କୁ ଭେଟିଛନ୍ତି ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଦୁଇଦିନ ଭିତରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ରାଶି ପ୍ରଦାନ ଓ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଦୁଇ ମନ୍ତ୍ରୀ ।

Comments are closed.