Latest Odisha News

BREAKING NEWS

ତାତିରୁ ଆଶ୍ୱସ୍ତି ଆଣିଦେବ କି କାଳବୈଶାଖୀ ! ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଏହାରି ଭିତରେ ରାଜ୍ୟର କିଛି ଜିଲ୍ଲା ଆସନ୍ତା ୩ ଘଣ୍ଟା ମଧ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏନେଇ ଭାରତ ପାଣିପାଗ ବିଭାଗ ରବିବାର ସୂଚନା ଦେଇଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ଏବଂ ବଜ୍ରପାତ ମାରିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଓଡିଶାର ତିନୋଟି ଜିଲ୍ଲା ପାଇଁ ରାତି ୮ଟା ପର୍ଯ୍ୟନ୍ତ ବର୍ଷା ସହିତ ବିଜୁଳି ମାରିବାର ସମ୍ଭାବନା ରହିଛି।

କାଳବୈଶାଖୀର ପ୍ରଭାବରେ ହାଲୁକା ପବନର ବେଗ ୩୦-୪୦ କିଲୋମିଟର ରହିବାର ସମ୍ଭାବନା ରହିଛି। ଏହାସହିତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ଭଦ୍ରକ ଏବଂ ପୁରୀ ଜିଲ୍ଲାର କିଛି ଅଞ୍ଚଳରେ ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ ହାଲୁକା ମଧ୍ୟମ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ଖୋର୍ଦ୍ଧାର କିଛି ଅଞ୍ଚଳରେ ଘଡ଼ଘଡ଼ି, ବିଜୁଳି ଏବଂ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁଯାୟୀ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଆକଳନ ଅନୁଯାୟୀ ଆସନ୍ତ ୩ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ତାତିରୁ ତ୍ରାହି ମିଳିବାର ନାହିଁ। ତେବେ ଆସନ୍ତା ୨ ତାରିଖରେ କିଛି ଜିଲ୍ଲାରେ କାଳବୈଶାଖୀ ସହ ସ୍ବଳ୍ପ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏହା ପୂର୍ବରୁ ୨୯ ତାରିଖରେ କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ସାଙ୍ଗକୁ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ।

ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୪ଦିନ ରାଜ୍ୟରେ ତାତିରୁ ନିସ୍ତାର ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ବିଭାଗ ପକ୍ଷରୁ ଭୀଷଣ ଗରମ ହେବା ନେଇ ୮ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ସୋମବାର ପାଇଁ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଖୋର୍ଦ୍ଧା, ନୟାଗଡ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ମୟୁରଭଞ୍ଜ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.