ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟା ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣାର କାରଣ ଏବେ ସାମ୍ନାକୁ ଆସିଛି । ଏହି ଘଟଣାରେ ତଦନ୍ତ ରିପୋର୍ଟରୁ ଜଣାପଡିଛି ଯେ, ମହାକୁମ୍ଭ ଭକ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହେବା ପରେ, ପ୍ରୟାଗରାଜକୁ ଟିକେଟ୍ ବିକ୍ରିରେ ହଠାତ୍ ବୃଦ୍ଧି ହେବା ଦ୍ବାରା ଏଭଳି ଦୁଃଖଦ ଘଟଣା ଘଟିଛି । ରିପୋର୍ଟ ଅନୁସାରେ, ରେଳ କର୍ତ୍ତୃପକ୍ଷ ପ୍ରୟାଗରାଜ ପାଇଁ ପ୍ରତି ଘଣ୍ଟାରେ ପ୍ରାୟ ୧୫୦୦ ସାଧାରଣ ଟିକେଟ୍ ଜାରି କରୁଥିଲେ । ଯାହାକୁ ନେଇ ଟିକେଟ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦଳଚକଟା ସ୍ଥିତି ଉପୁଜିଥିଲା ।
ଶନିବାର ରାତିରେ, ଶହ ଶହ ଯାତ୍ରୀ ପ୍ରୟାଗରାଜ ଯିବା ପାଇଁ ପ୍ଲାଟଫର୍ମ ୧୪ରେ ଅପେକ୍ଷା କରିଥିଲେ । ଏହି ସମୟରେ ବହୁ ସଂଖ୍ୟକ ଯାତ୍ରୀ ମଧ୍ୟ ନୂଆଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ୱତନ୍ତ୍ରତା ସେନାନୀ ଏକ୍ସପ୍ରେସରେ ଚଢ଼ିବା ପାଇଁ ପ୍ଲାଟଫର୍ମ ୧୩ରେ ଅପେକ୍ଷା କରିଥିଲେ । ହେଲେ ସେନାନୀ ଏକ୍ସପ୍ରେସ ବିଳମ୍ବିତ ହେବାରୁ, ଏହାକୁ ମଧ୍ୟରାତ୍ରିକୁ ପୁନଃନିର୍ଦ୍ଧାରିତ କରାଯାଇଥିଲା । ଫଳରେ ତାର ଯାତ୍ରୀମାନେ ମଧ୍ୟ ପାଖ ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ ।
ଆଉ ଯେତେବେଳେ ରେଳ କର୍ତ୍ତୃପକ୍ଷ ପ୍ରୟାଗରାଜ ପାଇଁ ପ୍ରତି ଘଣ୍ଟାରେ ପ୍ରାୟ ୧୫୦୦ ସାଧାରଣ ଟିକେଟ୍ ବିକିବା ଘୋଷଣା କରିଥିଲେ, ଯେତେବେଳେ ଅତିରିକ୍ତ ଟିକେଟ ପାଇଁ ପ୍ଲାଟଫର୍ମ ୧୪ରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଯାହା ଫଳରେ ଲୋକଙ୍କ ପାଇଁ ଛିଡା ହେବା ବି କୌଣସି ସ୍ଥାନ ଖାଲି ନଥିଲା । ଏହାପରେ ଦଳାଚକଟା ସ୍ଥିତି ଉପୁଜିଥିଲା ।
ତେବେ ଏହି ଘଟଣାରେ ଏବେ ପର୍ଯ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା, ୩ ଜଣ ପୁରୁଷ ଏବଂ ୪ ଜଣ ପିଲା ରହିଛନ୍ତି, ଏଥିସହିତ ଏକାଧିକ ଲୋକ ଏଥିରେ ଆହତ ହୋଇଛନ୍ତି । ସେପଟେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏହି ଘଟଣାରେ ବାସ୍ତବରେ ଭୁଲ୍ କାହାର, ଏଥିପାଇଁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଉ ନିର୍ଦ୍ଦେଶ ପାଇବା ପରେ ଘଟଣାସ୍ଥଳର ସିସିଟିଭି ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ତଦନ୍ତକାରୀ ଟିମ୍ ।
Comments are closed.