ବଲାଙ୍ଗୀର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି । ଶେଷ ସାକ୍ଷୀ ଭାବେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ତଥା ତଦନ୍ତକାରୀ ଅଧିକାରୀ ଅନିଲ କୁମାର ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ କରାଯାଇଛି । ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନ୍ଗୋଙ୍କ ଉପସ୍ଥିତିରେ କରାଯାଇଛି । ଗତ ୪ ଦିନ ଧରି ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଚାଲିଥିଲା ।
ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନଗୋ ଗଣମାଧ୍ୟମକୁ କହିଛନ୍ତି ଯେ, ସମସ୍ତ ସାକ୍ଷ୍ୟ ଗ୍ରହଣ ସରିଛି ଶୀଘ୍ର ଅଭିଯୁକ୍ତଙ୍କ ବୟାନ ରେକର୍ଡ ପରେ ଏହି ମାମଲାର ଅନ୍ତ ଘଟିବ ବୋଲି । ଅପରପକ୍ଷରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଓକିଲ ପ୍ରମୋଦ ମିଶ୍ର ମାମଲାର ତଦନ୍ତ ଅତ୍ୟନ୍ତ ଦୁର୍ବଳ ଭାବେ କରାଯାଇଥିବା କହିଛନ୍ତି ।
ସାକ୍ଷ୍ୟ ଗ୍ରହଣ ସମୟରେ ମୃତ ସୌମ୍ୟ ଶେଖର ସାହୁଙ୍କ ବାପା ରବୀନ୍ଦ୍ର ସାହୁ ଅଦାଲତରେ ଉପସ୍ଥିତ ଥିଲେ । ସାହୁଙ୍କ କହିବା ଅନୁଯାୟୀ, ଅଦାଲତ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି। ତାଙ୍କ ପରିବାରକୁ ଉଚିତ ନ୍ୟାୟ ମିଳିବ ବୋଲି କହିଥିଲେ ।
ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ପାଟଣାଗଡ଼ ସୌମ୍ୟଶେଖର ସାହୁଙ୍କ ବିବାହ ଉପହାର ଭାବେ ଆସିଥିବା ଏକ ପାର୍ସଲକୁ ଖୋଲିବାବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା ।
Comments are closed.