ରାୟଗଡା: ଆନ୍ଧ୍ର-ଓଡ଼ିଶା ସୀମାରେ ବୁଲୁଛି ମହାବଳ ବାଘ । ସାମ୍ନାକୁ ଆସିଲା ରାସ୍ତା ଉପରେ ବାଘ ବୁଲୁଥିବାର ଭିଡିଓ । ଯାହାକୁ ନେଇ ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଗୁଣପୁର ବ୍ଳକର ଅଳ୍ପ ଦୂରରେ ବାଘ ବୁଲୁଥିବା କୁହାଯାଉଛି । ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ଭାମିନି ମଣ୍ଡଳରେ ଏହି ମହାବଳ ବାଘ ଚଳପ୍ରଚଳ କରୁଥିବା କୁହାଯାଉଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ମହାବଳ ବାଘ ହଠାତ୍ ରାସ୍ତା ଉପରକୁ ଚାଲି ଆସିବା ସହ କିଛି ଦୂର ଅତିକ୍ରମ କରି ଗୋଟିଏ ପୋଲ ତଳକୁ ଖସିଯାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି ।
ଏ ସମ୍ପର୍କରେ ଆନ୍ଧ୍ର ଓଡିଶା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଖବର ପାଇବା ପରେ ଶ୍ରୀକାକୁଲମ ଜଙ୍ଗଲ ବିଭାଗ କର୍ମଚାରୀମାନେ ଉକ୍ତ ଅଞ୍ଚଳ ପରିଦର୍ଶନ କରି ସତ୍ୟାସତ୍ୟ ଯାଞ୍ଚ କରିଥିଲେ। ଗ୍ରାମବାସୀମାନେ ବାଘ ବୁଲିବାର ଆଖିରେ ଦେଖିନାହାଁନ୍ତି, କିନ୍ତୁ କେତେକ ଅଞ୍ଚଳରେ ବାଘର ପାଦ ଚିହ୍ନ ପଡିଥିବା ଠାବ କରାଯାଇଛି ବୋଲି ଭାମିନି ମଣ୍ଡଳର ଫରେଷ୍ଟର ରାମାରାଓ କହିଛନ୍ତି। ଏହା ପରେ ବନ ବିଭାଗ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ଗ୍ରାମବାସୀଙ୍କୁ ଜଙ୍ଗଲ ମଧ୍ୟକୁ ନଯିବା ପାଇଁ କୁହାଯାଇଛି । ସେହିପରି ଗୃହପାଳିତ ପଶୁଙ୍କୁ ମଧ୍ୟ ଜଙ୍ଗଲ ନଛାଡିବା ପାଇଁ କୁହାଯାଇଛି ।
ଅପର ପକ୍ଷରେ ଏ ସମ୍ପର୍କରେ ଗୁଣପୁର ଡେପୁଟି ରେଞ୍ଜର ନୀଳ ମାଧବ ପାଢ଼ୀ କହିଛନ୍ତି ଯେ ମହାବଳ ବାଘ ଆନ୍ଧ୍ରରେ ରହିଥିବା ଭିଡିଓ ଭାଇରାଲ ହେଉଛି। କିନ୍ତୁ ଓଡିଶାପଟେ କୌଣସି ବିପଦ ନାହିଁ। ସୀମାନ୍ତରେ ପ୍ରତିଦିନ ଯାଞ୍ଚ କରାଯାଉଛି । ଏଭଳି ଖବରର ସତ୍ୟାସତ୍ୟ ଉପରେ ଆନ୍ଧ୍ର ଅଫିସରଙ୍କ ସହ ଯୋଗାଯୋଗ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ଡେପୁଟି ରେଞ୍ଜର ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।

Comments are closed.