Latest Odisha News

ଅଳ୍ପକେ ଖସିଗଲା ସୁନ୍ଦରୀ ବାଘୁଣୀ, ସାତକୋଶିଆରେ ବନବିଭାଗର କସରତ ଜାରି

ଅନୁଗୁଳ: ସାତକୋଶିଆ ଜଙ୍ଗଲରେ ଗତ ୨ଦିନ ଧରି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର, ନିରାପତ୍ତାରକ୍ଷୀ, ବନବିଭାଗ କର୍ମଚାରୀଙ୍କ ସହାୟତାରେ ସ୍ୱତନ୍ତ୍ର ବିଶେଷଜ୍ଞ ଦଳର ବାଘୁଣୀ ‘ସୁନ୍ଦରୀ’କୁ ଧରିବା ଅଭିଯାନ ଜାରି ରହିଛି । ବିଶେଷଜ୍ଞ ଦଳ ବୁଧବାର ରାତିରେ ସୁନ୍ଦରୀକୁ ଠାବ କରିଥିଲେ ମଧ୍ୟ ଟ୍ରାଙ୍କୁଲାଇଜର ପ୍ରୟୋଗ କରିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ।

ଗଣମାଧ୍ୟମକୁ ଗୁରୁବାର ସକାଳେ ସୂଚନା ଦେଇ ବିଶେଷଜ୍ଞ ଦଳର ଜଣେ ସଦସ୍ୟ ଡ଼ଃ ଇନ୍ଦ୍ରମଣୀ ନାଥ କହିଛନ୍ତି, “ବାଘୁଣୀ ସୁନ୍ଦରୀକୁ ଧରିବାକୁ ରବିବାର ରାତିରୁ କୁମୁରୀ ଗାଁ ନିକଟରେ ଏକ ଛେଳିକୁ ବାନ୍ଧି ରଖାଯାଇଥିଲା । କାଳେ ସୁନ୍ଦରୀ ଏହି ଛେଳିକୁ ଖାଇବା ସମୟରେ ତା’ଉପରେ ଟ୍ରାଙ୍କୁଲାଇଜର୍ ପ୍ରୟୋଗ କରାଯାଇଥାଆନ୍ତା । ମାତ୍ର ବିଶେଷଜ୍ଞ ଦଳର ଅକ୍ଳାନ୍ତ ପରିଶ୍ରମ ବୃଥା ଯାଇଛି । ଏବେବି ବାଘୁଣୀକୁ ଧରିବାକୁ ବିଶେଷଜ୍ଞ ଦଳ ଜଙ୍ଘଲ ମଧ୍ୟରେ ଉଦ୍ୟମ ଜାରି ରଖିଛନ୍ତି । ସୁନ୍ଦରୀକୁ ଆକର୍ଷିତ କରିବାକୁ ବିଶେଷଜ୍ଞ ଦଳ ପକ୍ଷରୁ ଏକ ପୁରୁଷ ବାଘର ମୁତ୍ର ସ୍ପେ କରି ଜଙ୍ଗଲର ଏକ ସ୍ଥାନରେ ଅପେକ୍ଷା କରାଯାଇଥିଲା । ମାତ୍ର ବାଘୁଣୀ ସେହି ସ୍ଥାନକୁ ଆସି ଶୁଙ୍ଘି କିଛି ସମୟ ପରେ ମଣିଷ ଗନ୍ଧ ବାରି ପାରି ସେଠାରୁ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା” ।

କୁମୁରି ଜଙ୍ଗଲ ମଧ୍ୟରେ କି ଗାଁ ପାଖରେ ସୁନ୍ଦରୀ ରହିଛି କି ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ, ୫୦ ଜଣ ବନରକ୍ଷୀଙ୍କ ଦ୍ୱାରା ବାଘୁଣୀର ଗତିବିଧି ଉପରେ ତୀକ୍ଷଣ ଧ୍ୟାନ ରଖିାଯାଇଛି, ତେବେ ଜିପିଏସ ଟ୍ରାକିଂ ଦ୍ୱାରା ଜଣାପଡ଼ିଛି ସୁନ୍ଦରୀ ଛାଞ୍ଚୁଣିଆ ଗାଁ ନିକଟବର୍ତ୍ତୀ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହିଛି ।

ସେ ଗଣମାଧ୍ୟମକୁ ସୂଚନା ଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ଏଠାରେ ଖରାପ ଜିପିଏସ ନେଟୱାର୍କ ଯୋଗୁଁ ବାଘୁଣୀକୁ ଠିକ୍ ସମୟରେ ଠାବ କରି ହୋଇନଥିଲା ।

“ଛତିଶଗଡ଼ର ବାନ୍ଧବଗଡ଼ ଅଭୟାରଣ୍ୟରେ ବାଘମାନଙ୍କୁ ଟ୍ରାଙ୍କୁଲାଇଜ କରିବା ବେଶ୍ ସହଜ, କାରଣ ହାତୀ ଉପରେ ବସି ବା ଉଚ୍ଚା ଗଛ ଉପରୁ ବାଘକୁ ଅତି ସହଜରେ ଟ୍ରାଙ୍କୁଲାଇଜର୍ ମାଧ୍ୟମରେ କାବୁ କରାଯାଇଥାଏ । ମାତ୍ର ଏଠାକାର ସାତକୋଶିଆ ଜଙ୍ଗଲରେ ଘଞ୍ଚ ବୁଦା ରହିଥିବାରୁ ବାଘଟି ଆରାମରେ ଲୁଚି ଯାଉଛି ବା ଦଳକୁ ତା’ନିକଟକୁ ଯିବାକୁ କଷ୍ଟକର ହୋଇପଡୁଛି,” ବୋଲି ଶ୍ରୀଯୁକ୍ତ ନାଥ ସୂଚନା ଦେଇ କହିଛନ୍ତି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସାତକୋଶିଆ ଅଭୟାରଣ୍ୟର ଅତିରିକ୍ତ ବନ ସଂରକ୍ଷଣକାରୀ (ଏସିଏଫ) ତଥା ଦଳ ନେତୃତ୍ୱ ନେଇଥିବା ଶୁଭେନ୍ଦୁ ବେହେରା କହିଛନ୍ତି, “ବାଘୁଣୀକୁ ଆମେ ଟ୍ରାକ କରିବାକୁ ଚେଷ୍ଟା କରୁଛୁ । ବାଘଟି ଘଞ୍ଚ ବୁଦା ଆଢୁଆଳରେ ଲୁଚି ରହୁଥିବା ହେତୁ ତାକୁ ଟ୍ରାକ୍ କରିବା କଠିନ ହୋଇପଡୁଛି । ବାଘୁଣୀଟି ଚଳପ୍ରଚଳ ହେଲେ ତାକୁ ଟ୍ରାକ୍ କରି ଟ୍ରାଙ୍କୁଲାଇଜର୍ ପ୍ରୟୋଗ କରିବାକୁ ସୁବିଧା ହେବ” ।

Leave A Reply

Your email address will not be published.