Latest Odisha News

BREAKING NEWS

ବାଦଲ ମହାନ୍ତି ଓ ଶକ୍ତି ମହାନ୍ତି ପାଇବେ ‘ଟାଇମପାସ୍ ବୁକର୍ ପୁରସ୍କାର’

ଭୁବନେଶ୍ୱର : ଓଡ଼ିଶାର ଜଣାଶୁଣା ସାହିତ୍ୟ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ତରଫରୁ ଓଡ଼ିଆ କଥାସାହିତ୍ୟର ଶ୍ରେଷ୍ଠ ପାଣ୍ଡୁଲିପି ଲାଗି ୨୦୧୬ ଏବଂ ୨୦୧୭ ମସିହାର ‘ଟାଇମପାସ୍ ବୁକର୍ ପୁରସ୍କାର’ର ବିଜେତାଙ୍କ ନାମ ଘୋଷିତ ହୋଇଛି । ୨୦୧୬ ମସିହାର ପୁରସ୍କାର ବାଦଲ ମହାନ୍ତିଙ୍କ ଉପନ୍ୟାସ ପାଣ୍ଡୁଲିପି ‘ନଟୁ’ ମନୋନୀତ ହୋଇଥିବା ବେଳେ ୨୦୧୭ ମସିହା ପାଇଁ ଶକ୍ତି ମହାନ୍ତିଙ୍କ ଗଳ୍ପ ପାଣ୍ଡୁଲିପି ‘କ୍ୟାସିନୋ’ ମନୋନୀତ ହୋଇଛି ।

୪୫ ବର୍ଷରୁ କମ ବୟସର କଥାଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ଲାଗି ପ୍ରତିବର୍ଷ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ପ୍ରଦାନ କରାଯାଇଥାଏ । ତେବେ ‘ଟାଇମପାସ୍’ ସଂସ୍ଥାର ବାର୍ଷିକୋତ୍ସବରେ ହିଁ ଏହି ଦୁଇଟି ପୁରସ୍କୃତ ପାଣ୍ଡୁଲିପିର ପୁସ୍ତକ ଉନ୍ମୋଚିତ ହେବାର ସ୍ଥିର ହୋଇଛି ।

ଚଳିତବର୍ଷ ମଧ୍ୟ ୩ଜଣ ଲେଖକଙ୍କୁ ‘ଟାଇମପାସ୍ ବେଷ୍ଟସେଲର’ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ଏହି ପୁରସ୍କାର ଲାଗି ଏଥର କବିତା ବିଭାଗରେ ବିଶିଷ୍ଟ ଓଡ଼ିଆ କବି ଭାରତ ମାଝୀଙ୍କ ‘ମାଝୀଗୀତ’, କଥା ସାହିତ୍ୟ ବିଭାଗରେ ପ୍ରଜ୍ଞାଶ୍ରୀ ରଥଙ୍କ ଉପନ୍ୟାସ ‘ଦର୍ପଣ ସୁନ୍ଦରୀ’ ଏବଂ ପ୍ରବନ୍ଧ ବିଭାଗରେ ପରଂବ୍ରହ୍ମ ତ୍ରିପାଠୀଙ୍କ ‘କିଛି କହିବାର ଅଛି’ ପୁସ୍ତକ ମନୋନୀତ ହୋଇଛି ।

‘ଟାଇମପାସ୍’ ପ୍ରକାଶିତ ଜ୍ଞାନୀ ଦେବାଶିଷ ମିଶ୍ରଙ୍କ କବିତା ସଙ୍କଳନ ‘ଦାଗ’ ଓ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ କବିତା ସଙ୍କଳନ ‘ଏ ସମ୍ପର୍କ ଏମିତି’ ପୁସ୍ତକ ଦ୍ୱୟ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇଥିବାରୁ ଉଭୟଙ୍କୁ ସମ୍ମାନିତ କରାଯିବ ବୋଲି ସ୍ଥିର ହୋଇଛି । ଚଳିତ ଜୁଲାଇ ମାସରେ ଏହି ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ ।

ଏଠାରେ ସୂଚନାଯୋଗ୍ୟ ଯେ, ୨୦୦୮ ମସିହାରୁ ପ୍ରଦାନ କରାଯାଇ ଆସୁଥିବା ଏହି ପୁରସ୍କାରର ପ୍ରଥମ ବିଜେତା ଥିଲେ ସାରଦା ପ୍ରସାଦ ମିଶ୍ର । ସେହିପରି ୨୦୦୯ ମସିହାରେ ସତ୍ୟପ୍ରିୟ ମହାଳିକ, ୨୦୧୦ରେ ମମତାମୟୀ ଚୌଧୁରୀ, ୨୦୧୧ରେ ତପନ ମହାପାତ୍ର, ୨୦୧୨ରେ ଅମରେଶ ବିଶ୍ୱାଳ, ୨୦୧୩ରେ ହିରଣ୍ମୟୀ ମିଶ୍ର, ୨୦୧୪ରେ ଆଦିତେଶ୍ୱର ମିଶ୍ର ଏବଂ ୨୦୧୫ ମସିହାରେ ରମାକାନ୍ତ ସାମନ୍ତରାୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.