Latest Odisha News

ଆଜି ରଥ ଚାଳିରେ ନିର୍ମାଣର ଚତୁର୍ଥ ଦିନ, ପନ୍ଦାରି ବଳା ତିଆରି ଆରମ୍ଭ

ପୁରୀ: ଚଳଚଞ୍ଚଳ ହୋଇଉଠିଛି ରଥଖଳା। ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇଥିଲା। ଆଜି ଚତୁର୍ଥ ଦିନରେ ପହଞ୍ଚିଲା ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ। ଚତୁର୍ଥ ଦିନ ଶେଷ ସୁଦ୍ଧା ତିନି ରଥର ୪୨ ତୁମ୍ବରୁ ୨୪ଟି ତୁମ୍ବ ବଳା ବା ଗୋଲେଇ କାମ ଶେଷ ହୋଇଛି। ବିଶ୍ୱକର୍ମାମାନେ ୨୪ଟି ତୁମ୍ବରୁ ତାଳଧ୍ବଜ ରଥର ୮ଟି, ଦର୍ପଦଳନ ରଥର ୮ଟି ଓ ନନ୍ଦିଘୋଷ ରଥର ୮ଟି ତୁମ୍ବ ଗୋଲେଇ କାମ ଶେଷ କରିଛନ୍ତି। ଓଝା ସେବକ ପନ୍ଦାରି ବଳା ତିଆରି କାମ ଆରମ୍ଭ କରିଛନ୍ତି।

ଆଜି ମଧ୍ୟାହ୍ନ ସୁଦ୍ଧା କରତି ସେବକମାନେ ୨୨ଟି ଫାଶିକାଠ ଗଡ଼ କରି ତିନି ରଥଚାଳିକୁ ଭୋଇସେବକଙ୍କ ଜରିଆରେ ଯୋଗାଇ ଦେଇଛନ୍ତି। ରାତି ପର୍ଯ୍ୟନ୍ତ ଚାଳିରେ ଠାକୁରଙ୍କ କାର୍ଯ୍ୟ କରୁଛନ୍ତି ନିର୍ମାଣକାରୀ। ଅନ୍ୟପଟେ ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥ ପାଇଁ ଅରକଣ୍ଟା ଓ ପନ୍ଦାରି ବଳା ନିର୍ମାଣ ଜାରି ରଖିଛନ୍ତି।

ତିନି ରଥ ପାଇଁ ୩୭ଜଣ ମହାରଣା ସେବକ, ୨୨ଜଣ ଭୋଇ ସେବକ, ୪ଜଣ କରତି ସେବକ, ୯ଜଣ କମାର ସେବକ, ଜଣେ ବିନ୍ଧ କାରିଗରଙ୍କୁ ମିଶାଇ ୭୪ଜଣ ଆଜି ରଥ ନିର୍ମାଣରେ ନିୟୋଜିତ ଥିଲେ। ଆଜି ପନ୍ଦାରି ତିଆରି ଆରମ୍ଭ ହୋଇଛି। ଏହାକୁ ପୋଡ଼ିଲା ପରେ ମଳି ଛଡା ଯାଇ ମଠା ହେବ।

Comments are closed.