Latest Odisha News

BREAKING NEWS

ଦହିବରା ଆଳୁଦମ୍ ଦିବସ: ରାଜ୍ୟର ଏକ ଛୋଟ ଗଳିରୁ ଆରମ୍ଭ ହୋଇ ଆଜି ବିଶ୍ଵପ୍ରସିଦ୍ଧ ଏହି ଖାଦ୍ୟ

ଭୁବନେଶ୍ଵର: ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ । ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ ଦହିବରାର ସ୍ୱାଦର କଥା । ରାତି ଦୁଇଟା ବାଜିଲେ ନିଦରୁ ଉଠିପଡ଼େ ଦହିବରା ବ୍ୟବସାୟୀ । ମଧ୍ୟ ରାତ୍ରରେ ଛାଣିବାକୁ ବସିପଡେ ବରା । ଆଉ ସମସ୍ତ ବରାକୁ ତିଆରି କରି ତାହାକୁ ଦହି ରେ ଢାଳି ଏହାପରେ ଆଳୁଦମ ଓ ଘୁଗୁନି ପାଇଁ ଲାଗିପଡ଼େ ମିସ୍ତ୍ରୀ । ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି ଶେଷ ପରେ ସକାଳୁ ରାସ୍ତା କଡରେ ଲାଗେ ଠେଲା । ଆଉ ଦହିବରା ବାସ୍ନା ରେ ଛାଇ ଯାଆନ୍ତି ଗ୍ରାହକ। ଦହିବରା ଖାଇବା ମଧ୍ୟରେ ସେଓ ପିଆଜ ଧନିଆ ଟିକେ ଟିକେ ମାଗି ମାଗି ଶେଷକୁ ଦହି ପାଣି ପିଇବାର ମଜା ଉଠାଇ ଥାନ୍ତି ଗ୍ରାହକ ।

ଆଜି ହେଉଛି ଦହିବରା ଆଳୁଦମ୍‌ ଦିବସ। ଦହିବରା ଆଳୁଦମ୍‌ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ। ଯେତେବେଳ ଦହିବରା ଆଳୁଦମ କଥା ମନକୁ ଆସେ ସେତେବେଳେ କଟକରେ ମିଳିଥିବା ସୁଆଦିଆ ଦହିବରା ଆଳୁଦମ୍‌ କଥା ମନେପଡ଼େ । ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ ହେଲେ କଟକରେ ମିଳୁଥିବା ଦହିବରା ଆଳୁଦମ୍‌ର ସ୍ଵାଦ ଟିକେ ନିଆରା । ସତେ ଯେମିତି ଏଠାକାର ଲୋକଙ୍କ ଖାଦ୍ୟରେ ଦୈନିକ ଭାବେ ଯୋଡା ହେଇଥାଏ ଦହିବରା ଆଳୁଦମ୍ । ଇତିହାସ ଅନୁସାରେ, ଦହିବରା ପ୍ରଥମେ ଓଡ଼ିଶାରେ କଟକର ବିଡାନାସି ଠାରେ ପ୍ରସ୍ତୁତ ହୋଇଥିଲା । କଟକରେ ଏହି ଦହିବରା ବ୍ୟବସାୟ କାହିଁ କେତେ ଶହ ଶହ ବର୍ଷ ଧରି ଚାଲି ଆସୁଛି। ଏପରିକି ଦହିବରା କଟକ ର ଅବିଛେଦ୍ୟ ଅଙ୍ଗ ଭାବରେ ଗଣିତ ହୋଇସାରିଛି। ଦିନରେ ଯଦି ଅନ୍ୟ କୌଣସି ଖାଇବା ନମିଳେ ତେବେ ଦହିବରା ହିଁ ଦିନର ଭୋକକୁ ମେଣ୍ଟେଇଦିଏ । କିନ୍ତୁ କଟକ ପ୍ରସିଦ୍ଧ ଦହିବରାକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ନିତ୍ୟାନ୍ତ ଆବଶ୍ୟକତା ବୋଲି ଦାବୀ କରନ୍ତି କଟକବାସୀ ।

ଯେତେବେଳେ ବି ଦହିବରାର ନାମ ଆସେ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ, ଏହା ସମସ୍ତଙ୍କର ପ୍ରିୟ ହୋଇଥାଏ । ଯାତ୍ରା ହେଉ ଅବା ମେଳା ସବୁଠାରେ ଦହିବରାର ଷ୍ଟଲ୍ ଦେଖିବାକୁ ମିଳିଥାଏ । ୨୦୨୦ରେ ନୂଆଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ ଓଡ଼ିଶାର ଦହିବରାକୁ ପୁରଷ୍କାର ମିଳିଥିଲା । ଓଡ଼ିଶାରେ ପ୍ରତି ବର୍ଷ ମାର୍ଚ୍ଚ ୧ତାରିଖକୁ ଦହିବରା ଦିବସ ଭାବରେ ପାଳନ କରାଯାଏ । ତେବେ ଦହିବରାର ଇତିହାସ ଯେତିକି ପୁରୁଣା ଏହା ମଧ୍ୟ ସାରା ଦେଶରେ ସେତିକି ଲୋକପ୍ରିୟ । ଅବଶ୍ୟ ଏହା ଅଲଗା ଅଲଗା ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ମରାଠିରେ ଏହାକୁ ଦହି ବଡ଼ା କୁହାଯାଏ, ପଞ୍ଜାବରେ ଏହାକୁ ଦହି ଭଲ୍ଲା, ତାମିଲରେ ଏହା ଥୟରି ବଡେ ନାମରେ ପରିଚିତ ଥିବାବେଳେ ଏହାକୁ ଓଡ଼ିଶା ଓ ବଙ୍ଗଳାରେ ଦହି ବରା କୁହାଯାଏ ।

Leave A Reply

Your email address will not be published.